ନୂଆଦିଲ୍ଲୀ: ଆଣ୍ଟାର୍କଟିକା ‘ନାଟକୀୟ ଭାବେ’ ସବୁଜ ହେବାରେ ଲାଗିଛି ଏବଂ ଗତ ତିନି ଦଶନ୍ଧି ତୁଳନାରେ ବିଗତ ବର୍ଷଗୁଡ଼ିକରେ ଏହି ଧାରା ୩୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି ବୋଲି ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି। ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ ୧୯୮୬ରୁ ୨୦୨୧ ମଧ୍ୟରେ ଆଣ୍ଟାର୍କଟିକା ଉପଦ୍ୱୀପରେ ଉଦ୍ଭିଦ ଆଚ୍ଛାଦନ ଏକ ବର୍ଗ କିଲୋମିଟରରୁ ପ୍ରାୟ ୧୨ ବର୍ଗ କିଲୋମିଟରକୁ, ଅର୍ଥାତ୍ ଦଶଗୁଣରୁ ଅଧିକ ବୃଦ୍ଧି ପାଇଛି। ବ୍ରିଟେନର ଏକ୍ସେଟର ୟୁନିଭର୍ସିଟିର ଗବେଷକମାନେ ସାଟେଲାଇଟ୍ ଡାଟା ବ୍ୟବହାର କରି ଜଳବାୟୁ ପରିବର୍ତ୍ତନର ପ୍ରତିକ୍ରିୟାରେ ଆଣ୍ଟାର୍କଟିକା ଉପଦ୍ୱୀପର ସବୁଜିମା ହାର ଆକଳନ କରିଥିଲେ। ନେଚର ଜିଓସାଇନ୍ସ ପତ୍ରିକାରେ ପ୍ରକାଶିତ ଏହି ଅଧ୍ୟୟନରେ ଲେଖକମାନେ ଲେଖିଛନ୍ତି, ଉଦ୍ଭିଦ ଆଚ୍ଛାଦନରେ ପରିବର୍ତ୍ତନ ହାର (୨୦୧୬-୨୦୨୧)ରେ ଏହି ସାମ୍ପ୍ରତିକ ବୃଦ୍ଧି ଆଣ୍ଟାର୍କଟିକାରେ ବରଫ ପରିମାଣରେ ଉଲ୍ଲେଖନୀୟ ହ୍ରାସ ସହିତ ସମାନ ଭାବରେ ମେଳ ଖାଉଛି। ଅତ୍ୟଧିକ ଗ୍ରୀଷ୍ମପ୍ରବାହ ସାଧାରଣ ହେଉଥିବା ବେଳେ ଆଣ୍ଟାର୍କଟିକା ବିଶ୍ୱର ହାରାହାରି ତୁଳନାରେ ଦ୍ରୁତ ଗତିରେ ଉଷ୍ମ ହେଉଥିବା ଦେଖାଯାଇଛି। ୟୁନିଭର୍ସିଟି ଅଫ୍ ଏକ୍ସେଟରର ଟମାସ୍ ରୋଲାଣ୍ଡ କହିଛନ୍ତି, ଆଣ୍ଟାର୍କଟିକା ଉପଦ୍ୱୀପରେ ଆମେ ଯେଉଁ ଉଦ୍ଭିଦ ଦେଖିବାକୁ ପାଉଛୁ (ଅଧିକାଂଶ ହରିତା ବା ମସ୍, ଅପୁଷ୍ପକ ଉଦ୍ଭିଦ ବିଶେଷ) ତାହା ପୃଥିବୀର ସବୁଠାରୁ କଠିନ ପରିସ୍ଥିତିରେ ବଢିଥାଏ। 

Advertisment

ରୋଲାଣ୍ଡ କହିଛନ୍ତି ଯେ, ଭୂପୃଷ୍ଠର ମାତ୍ର ଏକ କ୍ଷୁଦ୍ର ଅଂଶ, ଯାହା କେବଳ ତୁଷାର, ବରଫ ଓ ପଥର-ବହୁଳ ଥିଲା ସେଥିରେ ଉଦ୍ଭିଦ ଜନ୍ମିବା ନାଟକୀୟ ଭାବରେ ବୃଦ୍ଧି ପାଇଛି। ଏହା ଦର୍ଶାଉଛି ଯେ ଏହି ବିଶାଳ ଓ ବିଚ୍ଛିନ୍ନ ଅଞ୍ଚଳ ମଧ୍ୟ ମାନବଜନିତ ଜଳବାୟୁ ପରିବର୍ତ୍ତନ ଦ୍ୱାରା ପ୍ରଭାବିତ। ବ୍ରିଟେନର ହର୍ଟଫୋର୍ଡସାୟାର ବିଶ୍ୱବିଦ୍ୟାଳୟର ଲେଖକ ଅଲିଭର ବାର୍ଟଲେଟ୍ କହିଛନ୍ତି ଯେ ଜଳବାୟୁ ଉଷ୍ମ ହେବା ସହ ଏହି ଅଞ୍ଚଳରେ ସବୁଜିମା ବଢିବାର ସମ୍ପର୍କ ରହିଛି। ଆଣ୍ଟାର୍କଟିକାରେ ମାଟି ଅଧିକାଂଶ ଖରାପ କିମ୍ବା ପ୍ରାୟ ନାହିଁ, କିନ୍ତୁ ଏଠାରେ ସବୁଜିମା ବୃଦ୍ଧି ଜୈବିକ ପଦାର୍ଥକୁ ଯୋଡ଼ିବ ଏବଂ ମୃତ୍ତିକା ଗଠନରେ ସହାୟକ ହେବ, ଯାହା ସମ୍ଭବତଃ ଅନ୍ୟ ଗଛମାନଙ୍କ ପାଇଁ ବଢିବା ପଥ ପ୍ରଶସ୍ତ କରିବ। ଏହି ଅଧ୍ୟୟନ ଦ୍ୱାରା ଆଣ୍ଟାର୍କଟିକାର ଭବିଷ୍ୟତକୁ ନେଇ ଗମ୍ଭୀର ଚିନ୍ତା ପ୍ରକଟ କରାଯାଉଛି ବୋଲି ଗବେଷକମାନେ କହିଛନ୍ତି। ଆଣ୍ଟାର୍କଟିକାକୁ ସୁରକ୍ଷା ଦେବା ପାଇଁ ଆମକୁ ଏହି ପରିବର୍ତ୍ତନଗୁଡ଼ିକୁ ବୁଝିବାକୁ ପଡ଼ିବ ଏବଂ ଏହାର କାରଣ ଚିହ୍ନଟ କରି ନିରାକରଣ କରିବାକୁ ପଡ଼ିବ ବୋଲି ବାର୍ଟଲେଟ୍ କହିଛନ୍ତି।