ବଲାଙ୍ଗୀର: ସର୍ବୋଚ୍ଚ ତାପମାତ୍ରା କ୍ଷେତ୍ରରେ ଦେଶରେ ରେକର୍ଡ କରିଥିବା ଟିଟିଲାଗଡ଼ ସହରକୁ ‘ତତଲାଗଡ଼’ କୁହାଯାଉଥିଲା। ଦଶନ୍ଧି ତଳେ ମାର୍ଚ୍ଚ ମାସ ମଧ୍ୟ ଭାଗରୁ ଟିଟିଲାଗଡ଼ ଗଣମାଧ୍ୟମର ଶିରୋନାମ ପାଲଟୁଥିଲା।  ୨୦୧୦ ମାର୍ଚ୍ଚରେ ରାଜ୍ୟର ହାରାହାରି ତାପମାତ୍ରା ୩୬ ଡିଗ୍ରି ରହିଥିଲା। କିନ୍ତୁ ଟିଟିଲାଗଡ଼ରେ ତାପମାତ୍ରା ୪୦ ଡିଗ୍ରି ଛୁଇଁଥିଲା। ସେହିବର୍ଷ ମେ’ ମାସରେ ପାରଦ ୫୦ ଡିଗ୍ରି ପହଞ୍ଚି ଯାଇଥିଲା। ୨୦୧୬ ଏପ୍ରିଲ ମା‌ସ‌ରେ ହିଁ ଟିଟିଲାଗଡ଼ର ପାରଦ ୪୯ ଡିଗ୍ରି ଅତିକ୍ରମ କରିଥିଲା। ଯାହା ଏପ୍ରିଲ ମାସରେ ଦେଶର ସର୍ବୋଚ୍ଚ ତାପମାତ୍ରା ରହିଥିଲା। ଟିଟିଲାଗଡ଼ରେ ତାପମାତ୍ରା ବୃଦ୍ଧି ପାଇଁ ସହର ନିକଟସ୍ଥ କୁମୁଡ଼ା ପାହାଡ଼କୁ ଦାୟୀ କରାଗଲା।

Advertisment

ଏହି ଲଣ୍ଡା ପାହାଡ଼ର ପଥରରୁ ବିକିରଣ ଯୋଗୁଁ ଜୀବନ ବେହାଲ ହେଉଥିବା ଆଶଙ୍କା କରାଯାଇଥିଲା। ଏହାପରେ ଲଣ୍ଡା ପାହାଡ଼କୁ ସବୁଜିମାମୟ କରିବା ପାଇଁ ବହୁ ସଂଗଠନ ଓ ପରିବେଶପ୍ରେମୀ ମିଶି ବ୍ୟାପକ ଗଛ ଲଗାଇଲେ। ଏହି କାରଣରୁ କିଛି ବର୍ଷ ଟିଟିଲାଗଡ଼ର ତାପମାତ୍ରା ନିୟନ୍ତ୍ରଣକୁ ଆସିଥିଲା। କିନ୍ତୁ ତିନି ଚାରି ବର୍ଷ ହେଲା ଟିଟିଲାଗଡ଼ ପୁଣି ତତଲାଗଡ଼ ପାଲଟିଛି। ଜଳବାୟୁ ପରିବର୍ତ୍ତନ ଏହାର ମୁଖ୍ୟ କାରଣ ବୋଲି ଦର୍ଶାଯାଉଛି। ଟିଟିଲାଗଡ଼ ସହର ପାର୍ଶ୍ବରେ ପୂର୍ବରୁ ବ୍ୟାପକ ଜଙ୍ଗଲ ରହିଥିଲା। ବାରମ୍ବାର ଜଙ୍ଗଲ ନଷ୍ଟ ଯୋଗୁଁ ପ୍ରାକୃତିକ ସବୁଜିମା ଉଜୁଡ଼ି ଯାଇଛି। ନିକଟସ୍ଥ ତେଲ ନଦୀରେ ଆଗଭଳି ସୁଅ ନାହିଁ। କେବଳ ଅତି ପ୍ରବଳ ବର୍ଷା ହେଲେ ନଦୀରେ ପାଣି ରହୁଛି। ନହେଲେ ବର୍ଷତମାମ ଶୁଖିଲା। ତେଣୁ ଟିଟିଲାଗଡ଼ବାସୀଙ୍କୁ ଗରମରୁ ନିସ୍ତାର ମିଳୁନାହିଁ। ଗତ ଗ୍ରୀଷ୍ମଋତୁରେ ଏହାର ଝଲକ୍‌ ମିଳିଥିଲା। କିଛି ଦିନ ଧରି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ଥିବା ଅଞ୍ଚଳ ପାଲଟିଥିଲା ଟିଟିଲାଗଡ଼। 

ଅସନ୍ତୁଳିତ ପାଣିପାଗ ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଲେ ବି ଟିଟିଲାଗଡ଼‌ ବର୍ଷାଶୂନ୍ୟ ରହିଥାଏ। ବାରମ୍ବାର ଏଭଳି ଘଟଣା ଘଟୁଥିଲେ ହେଁ ଏହା ଉପରେ କୌଣସି ଠୋସ୍‌ ଗବେଷଣା କରାଯାଇନାହିଁ। ଦଶନ୍ଧି ତଳେ ଖରା ହେଲେ ବି ଲୋକେ ଘରେ କୌଣସି ପ୍ରକାରେ ସୁରକ୍ଷିତ ରହୁଥିଲେ। ଏବେ ଆର୍ଦ୍ରତା ବୃଦ୍ଧି ଯୋଗୁଁ ପ୍ରଚଣ୍ଡ ଗୁଳୁଗୁଳି ହେଉଛି। ଖରା ଦିନେ ଟିଟିଲାଗଡ଼ରେ ସ୍ବାଭାବିକ ଜୀବନ ବିତାଇବା ଅସମ୍ଭବ ହୋଇପଡ଼ିଛି।

ରାୟଗଡ଼ା ଜିଲ୍ଲାରେ ନିଅଣ୍ଟିଆ ବର୍ଷା
ରାୟଗଡ଼ା: ଜଳବାୟୁ ପରିବର୍ତ୍ତନର ପ୍ରଭାବରେ କମୁଛି ବର୍ଷା। ନିଅଣ୍ଟିଆ ବର୍ଷା ଯୋଗୁଁ ଘାଣ୍ଟି ହେଉଛି ରାୟଗଡ଼ା ଜିଲ୍ଲା। ଆଗକୁ ଚାଷ ପ୍ରଭାବିତ ହେବ। ସେହିପରି ନଦୀନାଳ ଗୁଡ଼ିକ ଭର୍ତ୍ତି ହୋଇନଥିବାରୁ ଜିଲ୍ଲା ଜଳ ସଂକଟର ସମ୍ମୁଖୀନ ହେବ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ପାଣିପାଗ ବିଭାଗ କରିଥିବା ସବୁ ପୂର୍ବାନୁମାନ ବିଫଳ ହୋଇଛି। ଚଳିତବର୍ଷ ଜୁନ୍‌ ମାସରେ ରାୟଗଡ଼ା ଜିଲ୍ଲାରେ ସ୍ବାଭାବିକ ଠାରୁ ପ୍ରାୟ ୧୫ପ୍ରତିଶତ କମ୍‌ ବର୍ଷା ହୋଇଥିବା ଜଣାପଡ଼ିଛି। ସେହିପରି ଜୁଲାଇ ମାସରେ ମଧ୍ୟ ୨୦ପ୍ରତିଶତ କମ୍‌ ବର୍ଷା ହୋଇଥିବା ସୂଚନା ମିଳିଛି। ଅଗଷ୍ଟ ମାସ ନିଅଣ୍ଟିଆ ବର୍ଷାକୁ ଭରଣା କରିବ ବୋଲି ଆଶା କରାଯାଉଥିଲା। ଲଗାତାର ଲଘୁଚାପ ଯୋଗୁଁ ସାରା ରାଜ୍ୟରେ ଭଲ ବର୍ଷା ହୋଇଥିଲା। କିନ୍ତୁ ରାୟଗଡ଼ା ଜିଲ୍ଲା ପାଇଁ ଠିକ୍‌ ବିପରୀତ ରହିଥିଲା ମୌସୁମୀର ମିଜାଜ୍‌। ରାୟଗଡ଼ା ଜିଲ୍ଲାକୁ ଅଛୁଆଁ ରହିବାରୁ ପ୍ରାୟ ୩୨ପ୍ରତିଶତ କମ୍‌ ବର୍ଷା ହୋଇଥିବା କୃଷି ବିଭାଗ ତଥ୍ୟ ଦେଇଛି। ଯାହାକୁ ଆଦୌ ଗ୍ରହଣ କରିପାରୁନି ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟ। ବିଭାଗ ପକ୍ଷରୁ ରାୟଗଡ଼ା ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଥିବା କୁହାଯାଉଛି। ଦୁଇ ବିଭାଗ ମଧ୍ୟରେ ସମନ୍ବୟ ଅଭାବ ଯୋଗୁଁ ସଂଶୟ ପ୍ରକାଶ ପାଇଛି। କୃଷିବିତ୍‌ ଏବଂ ପରିବେଶବିତ୍‌ ଏଭଳି ଦ୍ବନ୍ଦ୍ବାତ୍ମକ ତଥ୍ୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଚାଷ ପାଇଁ ଆବଶ୍ୟକ ବର୍ଷା ହୋଇନଥିବା ଚାଷୀ କହିଛନ୍ତି।

ନିଅଣ୍ଟିଆ ବର୍ଷା ଯୋଗୁଁ ନାଗାବଳୀ, ବଂଶଧାରା, ଝଞ୍ଜାବତୀ, କଲ୍ୟାଣୀ ଆଦି ପ୍ରମୁଖ ନଦୀରେ ଆଶାନୁରୂପ ଜଳ ପ୍ରବାହିତ ହେଉନାହିଁ। ଏଥିଯୋଗୁଁ ଶିଳ୍ପ, କୃଷି ଏବଂ ପାନୀୟ ଜଳ ଯୋଗାଣ ଉପରେ ଗଭୀର ପ୍ରଭାବ ପକାଇବାର ଆଶଙ୍କା ରହିଛି। ଜଳବାୟୁ ପରିବର୍ତ୍ତନ କାରଣରୁ ହିଁ ବର୍ଷା କମିଥିବା ଅଧିକାଂଶ ମତ ଦେଉଛନ୍ତି। ଜଙ୍ଗଲ କ୍ଷୟ ହେଉଥିଲେ ସୁଦ୍ଧା ନୂଆ ସବୁଜ ପରିବେଶ ସୃଷ୍ଟି ଦିଗରେ ପଦକ୍ଷେପ ନିଆଯାଉନି। ତେଣୁ ତାପମାତ୍ରା ବଢ଼ୁଥିଲା ବେଳେ ବର୍ଷା ହ୍ରାସ ପାଉଛି। ଚଳିତବର୍ଷ ଗ୍ରୀଷ୍ମରେ ଜିଲ୍ଲାର ସର୍ବୋଚ୍ଚ ତାପମାତ୍ରା ୪୭ ଡିଗ୍ରି ରେକର୍ଡ କରାଯାଇଛି। କିଛି ଦିନ ତଳେ ଲଘୁଚାପ ଗଭୀର ଅବପାତ ରୂପ ନେବାରୁ ରାୟଗଡ଼ା ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିଲା। ଏହି ଲଘୁଚାପ ପ୍ରଭାବରେ ପଡ଼ୋଶୀ କୋରାପୁଟ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଥିବା ବେଳେ ରାୟଗଡ଼ା ଜିଲ୍ଲା ଉପରେ ଲଘୁଚାପର କୌଣସି ପ୍ରଭାବ ନଥିଲା। କାଁଭାଁ ଅଞ୍ଚଳରେ ମାତ୍ର କିଛି ମିନିଟ୍‌ ପାଇଁ ବର୍ଷ‌ା ହୋଇଥିଲା।

ଛିଡୁଛି ଚାଷ, ବଢ଼ୁଛି ଦାଦନ
ବଲାଙ୍ଗୀର: ଗତ ପାଞ୍ଚ ଦଶନ୍ଧିର ତାପମାତ୍ରା ଓ ବର୍ଷା ପରିମାଣର ପରିସଂଖ୍ୟାନ ଦେଖିଲେ ବଲାଙ୍ଗୀର ଜିଲ୍ଲା ଜଳବାୟୁ ପରିବର୍ତ୍ତନର ଏକ ଉଦାହରଣ ହୋଇ ରହିବ। ଏହି ଅବଧି ଭିତରେ ଜିଲ୍ଲାରେ ପ୍ରାକୃତିକ ବିପର୍ଯ୍ୟୟର ଲମ୍ବା ତାଲିକା ରହିଛି। ଗତ ତିନି ଦଶନ୍ଧି ଭିତରେ ଜିଲ୍ଲାର ହାରାହାରି ତାପମାତ୍ରା ଆଶ୍ଚର୍ଯ୍ୟଜନକ ଭାବେ ୮ଡିଗ୍ରି ସେଲ୍‌ସିଅସ୍‌ ବୃଦ୍ଧି ପାଇଛି। ୨୦୦୬ରୁ ୨୦୨୪ ମସିହାର ପାଣିପାଗ ସ୍ଥିତି ଦେଖିଲେ ଜିଲ୍ଲାରେ ତାପମାତ୍ରା ବଢ଼ୁଥିବାବେଳେ ବର୍ଷା ପରିମାଣ ଖସି ଚାଲିଛି। ଜିଲ୍ଲାରେ ୨୦୦୬ ମାର୍ଚ୍ଚରେ ୩୪ ଡିଗ୍ରି, ଏପ୍ରିଲ୍‌ରେ ୩୯, ମେ’ରେ ୪୦ ଓ  ଜୁନ୍‌ରେ ୩୬ ଡିଗ୍ରି ହାରାହାରି ସର୍ବୋଚ୍ଚ ତାପମାତ୍ରା ରହିଥିଲା। ୨୦୨୪ରେ ଏହା ଯଥାକ୍ରମେ ମାର୍ଚ୍ଚରେ ୪୦.୨, ଏପ୍ରିଲ୍‌ରେ ୪୪ ଡିଗ୍ରି ଓ ମେ’ରେ ୪୬.୪ ହାରାହାରି ତାପମାତ୍ରା ରହିଥିଲା।

ସେହିପରି ଜିଲ୍ଲାରେ ବାର୍ଷିକ ବୃଷ୍ଟିପାତ ହାର ଉଦ୍‌ବେଗଜନକ ଭାବେ ହ୍ରାସ ପାଇଛି। ୧୯୦୧ ରୁ ୧୯୫୦ ମସିହା ଯାଏ ଜିଲ୍ଲାର ବାର୍ଷିକ ବୃଷ୍ଟିପାତ ହାର ୧୪୪୦ ମିଲିମିଟର ରହିଥିଲା। ଯାହା କ୍ରମଶଃ ଖସି ୧୨୮୯.୮ ମିମିକୁ ପହଞ୍ଚିଛି।  ବର୍ଷା କମୁଥିବାରୁ ଏହାର ସିଧାସଳଖ ପ୍ରଭାବ ଚାଷବାସ ଉପରେ ପଡ଼ୁଛି। ଜିଲ୍ଲାରେ ବର୍ଷାଭାବ ଯୋଗୁଁ ଅମଳକ୍ଷମ ଚାଷ ଜମିର ପରିମାଣ କମି ଚାଲିଛି। ଫଳରେ ବହୁ ଚାଷୀ ଦାଦନ ପାଲଟୁଛନ୍ତି। ଜିଲ୍ଲାର ବଲାଙ୍ଗୀର ଜିଲ୍ଲାର ୬ଟି ବ୍ଲକ୍‌ ଦାଦନପ୍ରବଣ ଅଞ୍ଚଳ ତାଲିକାରେ ରହିଛି। ପାଟଣାଗଡ଼ ଉପଖଣ୍ତର ପାଟଣାଗଡ଼, ବେଲପଡ଼ା, ଖପ୍ରାଖୋଲ, ଟିଟିଲାଗଡ଼ ଉପଖଣ୍ତର ତୁରେକେଲା, ବଙ୍ଗୋମୁଣ୍ତା ଓ ମୁରିବାହାଲ ବ୍ଲକ୍‌ ଏହି ତାଲିକାରେ ରହିଛି। ସରକାରୀ ହିସାବରେ ଏସବୁ ବ୍ଲକ୍‌ରୁ ୪୩୪୫ଟି ପରିବାରର ମୋଟ୍‌ ୨୬୯୮୨ ଜଣ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। କିନ୍ତୁ ପ୍ରକୃତରେ ଏହି ସଂଖ୍ୟା ୧.୨୫ ଲକ୍ଷରୁ ଅଧିକ। ଯେଉଁ ସବୁ ବ୍ଲକ୍‌ ଦାଦନପ୍ରବଣ ତାଲିକାରେ ରହିଛି, ସେଠାରେ ଜଳସେଚନ ପାଇଁ କିଛି ବିକଳ୍ପ ବ୍ୟବସ୍ଥା ହିଁ ନାହିଁ।

ଜିଲ୍ଲାରେ ମାତ୍ର ୩ ପ୍ରତିଶତ ଜମି ଜଳସେଚିତ ହେଉଛି। ଦାଦନପ୍ରବଣ ବ୍ଲକ୍‌ରେ ଜଳସେଚନ ବ୍ୟବସ୍ଥା ପୂରା ଶୂନ୍‌। ତେଣୁ ସେଠାରେ ଚାଷ ବଞ୍ଚାଇବାକୁ ଚାଷୀ ପାଖରେ ଆଉ କିଛି ଉପାୟ ନାହିଁ। ତେଣୁ ଚାଷୀ ଜମିବାଡ଼ି ବିକି ଦାଦନ ଖଟିବାକୁ ପସନ୍ଦ କରୁଛି। ତଥ୍ୟ କହୁଛି, ୨୦୨୨ ଖରିଫରେ ଜିଲ୍ଲାରେ ୧,୮୪,୫୪୫ ହେକ୍ଟର ଜମିରେ ଧାନଚାଷ ହୋଇଥିଲା। ଯାହା ୨୦୨୩ରେ ୧,୬୮,୪୧୨ ହେକ୍ଟର ଏବଂ ୨୦୨୪ରେ ୧,୬୪,୦୦୦ ହେକ୍ଟରକୁ ଖସିଛି। ପନିପରିବା ଚାଷ ବି ହ୍ରାସ ପାଉଛି। ୨୦୨୨ରେ ୨୯,୨୩୬ ହେକ୍ଟର ଜମିରେ ପନିପରିବା ଚାଷ ହୋଇଥିବା ବେଳେ ୨୦୨୩ରେ ୨୧,୬୪୬ ହେକ୍ଟର ଏବଂ ୨୦୨୪ରେ ଏହା ୨୧,୦୦୫ ହେକ୍ଟରକୁ ଖସିଛି। ଅସନ୍ତୁଳିତ ପାଣିପାଗ ଯୋଗୁଁ ଚାଷୀମାନେ ଚାଷକାର୍ଯ୍ୟରୁ ବିମୁଖ ହେଉଥିବା ଉପରୋକ୍ତ ପରିସଂଖ୍ୟାନରୁ ସ୍ପଷ୍ଟ। ଫଳରେ ଜିଲ୍ଲାରେ ଦାଦନ ସଂଖ୍ୟା ବଢ଼ିବାରେ ଲାଗିଛି।