ସାଧାରଣତଃ ଆର୍ଦ୍ରଭୂମିରୁ ହିଁ ବିଶ୍ବର ପ୍ରାୟ ସମସ୍ତ ମଧୁର ଜଳ ଆହରଣ କରାଯାଇଥାଏ। ଏପରି ଆର୍ଦ୍ରଭୂମି ବା ରାମ୍‌ସାର ସ୍ଥଳ ହେଉଛି ବିଶ୍ବର ସର୍ବବୃହତ୍‌ ଅଙ୍ଗାର ତଟ, ଯାହା କ୍ଷତିକାରକ ଦୂଷିତ ଜଳକୁ ବିଶୁଦ୍ଧ ତଥା ପରିସ୍ରବଣ କରିଥାଏ। ୧୯୭୧ ମସିହାରେ ଇରାନର ରାମସାର୍ ସହର ଠାରେ ଅନୁଷ୍ଠିତ ଆର୍ଦ୍ରଭୂମି ସଂରକ୍ଷଣ ଓ ତାହାର ଦୀର୍ଘକାଳୀନ ବ୍ୟବହାର ସଂକ୍ରାନ୍ତ ପ୍ରଥମ ଆନ୍ତର୍ଜାତିକ ସମ୍ମିଳନୀ ଅନୁସାରେ ଆନ୍ତର୍ଜାତିକ ଗୁରୁତ୍ବ ଥିବା ଆର୍ଦ୍ରଭୂମିଗୁଡ଼ିକୁ ରାମ୍‌ସାର ସ୍ଥଳ ଭାବେ ନାମିତ କରାଯାଉଛି। ଆମର ଖାଦ୍ୟ ଯୋଗାଣ ଏହି ରାମ୍‌ସାର ସ୍ଥଳ ଉପରେ ନିର୍ଭର କରିଥାଏ।

Advertisment

ଏହା ନିଯୁକ୍ତି ଓ ସ୍ଥାୟୀ ଜୀବିକା ପ୍ରଦାନ କରିଥାଏ। ସମସ୍ତ ପ୍ରାଣୀ ପ୍ରଜାତି ମଧ୍ୟରୁ ପ୍ରାୟ ଅଧାଅଧି ଏପରି ଆର୍ଦ୍ରଭୂମିରେ ବସବାସ କରନ୍ତି ଓ ପ୍ରଜନନ କରିଥା’ନ୍ତି। ଖୁସିର କଥା,  ଚୀନ୍‌ ତୁଳନାରେ ଭାରତରେ ଅଧିକ ସଂଖ୍ୟକ ଏପରି ରାମ୍‌ସାର ସ୍ଥଳ ରହିଛି। ଚୀନ୍‌ରେ ମୋଟ ୮୨ଟି ରାମ୍‌ସାର ସ୍ଥଳ ଥିବା ବେଳେ ଭାରତରେ ତାହା ୮୯ ବୋଲି ରାମ୍‌ସାର ସମ୍ମିଳନୀର ମହାସଚିବ ମୁସୋଣ୍ଡା ମୁମ୍ବା ପ୍ରକାଶ କରିଛନ୍ତି। ସମଗ୍ର ବିଶ୍ବରେ ସମ୍ପ୍ରତି ମୋଟ୍‌ ୨୫୭ ନିୟୁତ ହେକ୍ଟର ପରିମିତ ୨,୫୦୦ଟି ରାମ୍‌ସାର ସ୍ଥଳ ରହିଛି। ତେବେ ଏକ ପରିସଂଖ୍ୟାନ ଅନୁଯାୟୀ, ୧୭୦୦ ମସିହା ପରଠାରୁ ପ୍ରାୟ ୮୭ ପ୍ରତିଶତ ଆର୍ଦ୍ରଭୂମି ନଷ୍ଟ ହୋଇଯାଇଛି। ସେହିପରି ୧୯୭୦ ମସିହା ପରଠାରୁ ୩୫ ପ୍ରତିଶତ ଆର୍ଦ୍ରଭୂମି ନଷ୍ଟ ହୋଇଗଲାଣି। କ୍ରାନ୍ତିମଣ୍ଡଳୀୟ ଜଙ୍ଗଲ ତୁଳନାରେ ଆର୍ଦ୍ରଭୂମିଗୁଡ଼ିକ ତିନି ଗୁଣ ଦ୍ରୁତ ବେଗରେ ନଷ୍ଟ ହୋଇଚାଲିଛି। ଫଳସ୍ବରୂପ ଆର୍ଦ୍ରଭୂମି ଉପରେ ନିର୍ଭରଶୀଳ ପ୍ରାୟ ୪,୮୭୫ ପ୍ରଜାତି ପ୍ରାଣୀ ବିଲୁପ୍ତ ଅବସ୍ଥାରେ ଅଛନ୍ତି।