ଜଟଣୀ: ପୃଥିବୀ ଏବେ ବିଷ ବଳୟରେ ଅଣନିଶ୍ୱାସୀ ହୋଇଗଲାଣି। ଦିନକୁ ଦିନ ପ୍ରଦୂଷଣ ମାତ୍ରା ହୁହୁହୋଇ ବଢ଼ିଚାଲିଛି। ପ୍ରଦୂଷଣ ଏଭଳି ସ୍ତରକୁ ଗଲାଣି ଯେ ଋତୁ ପରିବର୍ତ୍ତନ ହେଲେ ବି ଜାଣି ହେଉନାହିଁ। ଆମେ କେବଳ ଗ୍ରୀଷ୍ମ ଓ ବର୍ଷାଋତୁକୁ ଅନୁଭବ କରୁଛେ। ପ୍ରକୃତି ହେଉଛି ଆମ ମା’। କିନ୍ତୁ ସନ୍ତାନ ଭାବେ ଆମେ ପ୍ରକୃତି ମା’ ପାଥଁ ଯେଉଁ କର୍ତ୍ତବ୍ୟ କରିବା କଥା, ତାହା କରୁନାହେଁ। ଏହାର ଫଳ ଆମେ ପାଉଛନ୍ତି। ବିଜ୍ଞାନ ନାଁରେ ଆମେ ପ୍ରକୃତି ସହ ଖେଳିବା ଆରମ୍ଭ କରିଦେଇଛେ। ଅନ୍ୟପଟେ ସରକାର ବୃକ୍ଷରୋପଣ ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ତାହା ଯେମିତି ହେବା କଥା ହେଉନାହିଁ। ‘ସମ୍ବାଦ’ ଗ୍ରୁପ୍ ପକ୍ଷରୁ ଜଟଣୀ କୁଦିଆରୀ ଝରଣା କଲ୍ୟାଣ ମଣ୍ଡପଠାରେ ଆୟୋଜିତ ‘ପରିବେଶ ପଞ୍ଚାୟତ’ରେ ଜଟଣୀ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟଙ୍କ ସମେତ ସ୍ଥାନୀୟ ପରିବେଶବିତ୍, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ଓ ଆଇନଜୀବୀ ପ୍ରମୁଖ ଯୋଗଦେଇ ଅଞ୍ଚଳର ସମସ୍ୟାକୁ ସମାଧାନ କରିବା ସମସ୍ତଙ୍କର କର୍ତ୍ତବ୍ୟ ବୋଲି ମତ ପ୍ରକାଶ କରିଛନ୍ତି।
ମୁଖ୍ୟ ଅତିଥି ବିଧାୟକ ଶ୍ରୀ ବଳବନ୍ତରାୟ କହିଲେ, ବର୍ତ୍ତମାନ ଦେଶର ରାଜଧାନୀ ଦିଲ୍ଲୀର ସ୍ଥିତି ଚିନ୍ତାଜନକ। ସେଠାରେ ଘରୁ ବାହାରକୁ ବାହାରିବା ମଧ୍ୟ କଷ୍ଟକର ହୋଇଯାଇଛି। ପ୍ରଦୂଷଣ ପାଇଁ ଲୋକେ ଏବେ ମୁହଁରେ ମାସ୍କ ଲଗାଇ ବୁଲୁଛନ୍ତି। ବର୍ତ୍ତମାନ ପରିବେଶର ସୁରକ୍ଷା ଆମ ପାଇଁ ଏକ ଆହ୍ବାନ ପାଲଟିଛି। ଏବେଠୁ ସଜାଗ ନ ହେଲେ ଭବିଷ୍ୟତରେ ଜଟିଳ ପରିସ୍ଥିତିକୁ ସାମ୍ନା କରିବାକୁ ପଡ଼ିବ। ତେଣୁ ପ୍ରଦୂଷଣମୁକ୍ତ ପରିବେଶ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ଆବଶ୍ୟକ। ଯେଉଁଠି ଗଛ କଟା ହେଉଛି, ସେଇଠି ସେହି ଜାତୀୟ ଗଛ ଲଗାଇବାକୁ ସଙ୍କଳ୍ପ ନେବା। ଏଥିସହ ସରକାର ମଧ୍ୟ ସଚେତନତା ଉପରେ ଅଧିକ ଗୁରୁତ୍ବ ଦେବା ଆବଶ୍ୟକ।
ସେହିପରି ଜଟଣୀରେ ଚାଷଜମିର କିସମ ପରିବର୍ତ୍ତନକୁ ବନ୍ଦ କରିବାକୁ ପଡ଼ିବ। ଏହି ବେଆଇନ କାର୍ଯ୍ୟ କରୁଥିବା ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯିବା ଆବଶ୍ୟକ। ପ୍ରତ୍ୟେକ ଅଞ୍ଚଳରେ ଯେମିତି ଗୋଚର ଜମି, ଗାଡ଼ିଆ ଓ ପୋଖରୀ ରହିବ, ସେଥିପାଇଁ ଦୃଷ୍ଟିଦେବା ଆବଶ୍ୟକ। ସେହିପରି ରାସାୟନିକ ସାରକୁ ବର୍ଜନ କରିବା ନିହାତି ଆବଶ୍ୟକ। ଛୋଟପିଲାଙ୍କ ପାଠରେ ପରିବେଶ ପ୍ରସଙ୍ଗ ରଖିବା ଉଚିତ ବୋଲି ବିଧାୟକ ମତ ଦେଇଥିଲେ। ସମ୍ମାନିତ ଅତିଥି ପୌରାଧ୍ୟକ୍ଷ ଅନନ୍ତ ବେହେରା ‘ପରିବେଶ ପଞ୍ଚାୟତ’ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ବୃକ୍ଷରୋପଣ ଓ ଲଗାଇଥିବା ଗଛର ଉପଯୁକ୍ତ ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ବାରୋପ କରିଥିଲେ। ଅମ୍ରିତା ଦାସ ଓ ଶଶାଙ୍କ ଶେଖର ରାୟ ପ୍ରଦୂଷଣକୁ ନେଇ ସ୍ଥାନୀୟ ଅଞ୍ଚଳର କିଛି ପ୍ରସଙ୍ଗ ଉତ୍ଥାପନ କରିଥିଲେ। ପରିବେଶବିତ୍ ଶ୍ରୀନିବାସ ମଙ୍ଗରାଜ ପରିବେଶ ପ୍ରଦୂଷଣ ବୃଦ୍ଧିର କାରଣ ଓ ପ୍ରତିକାର ସଂପର୍କରେ କହିଥିଲେ।
ପଞ୍ଚାୟତରେ ଉପସ୍ଥିତ ଅନ୍ୟମାନେ ପରିବେଶ ପ୍ରଦୂଷଣଜନିତ ଆହୁରି ବିଭିନ୍ନ ସ୍ଥାନୀୟ ପ୍ରସଙ୍ଗ ଉପସ୍ଥାପନ କରି ସମାଧାନ ପାଇଁ ପ୍ରସ୍ତାବ ଦେଇଥିଲେ। ପ୍ରାରମ୍ଭରେ ଅତିଥିମାନଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ‘ସମ୍ବାଦ’ର ଜଟଣୀ ପ୍ରତିନିଧି ଦେବବ୍ରତ ଷେଣ୍ଢ ପରିଚାଳନା କରିଥିଲେ। ଆଇନଜୀବୀ ସଂଗ୍ରାମ ହୋତା ଓ ବବୁଲ ମହାରଣା ସହଯୋଗ କରିଥିଲେ। ଶେଷରେ କାଉନସିଲର ଶଶାଙ୍କ ଶେଖର ରାୟ ଧନ୍ୟବାଦ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/YXnuyIjtyVPWcPbGgXwT.jpg)