ରେଢ଼ାଖୋଲ: ଈଶ୍ବର ସୁନ୍ଦର ପୃଥବୀ ସୃଷ୍ଟି କରିଛନ୍ତି। ପୃଥବୀକୁ ସୁନ୍ଦର କରିବା ପାଇଁ ଆହୁରି ଅନେକ ସୁନ୍ଦର ଜିନିଷ ତିଆରି କରିଛନ୍ତି। ସ୍ରଷ୍ଟା ସୃଷ୍ଟି କରିଥିବା ସୁନ୍ଦର ପରିବେଶକୁ ବଞ୍ଚାଇବା ରଖିବା ଆମ ସମସ୍ତଙ୍କର ଦାୟିତ୍ବ। ହେଲେ ଆମେ କିନ୍ତୁ ଏହାର ବିପରୀତ କାମ କରୁଛୁ। ଜଙ୍ଗଲ ନଷ୍ଟ ‌‌ଯୋଗୁ ବନ୍ୟପ୍ରାଣୀ ଏବେ ବିପଦରେ। ଜଗତର ନାଥ ଜଗନ୍ନାଥଙ୍କୁ ଆମେ କେବଳ ପୂଜିଲେ ଖୁସି ହେବେ ନାହିଁ। ଆମେ ତାଙ୍କ ସୁନ୍ଦର ପୃଥିବୀକୁ ବଞ୍ଚାଇ ରଖିଲେ ହିଁ ସେ ଖୁସି ହେବେ ବୋଲି ରେଢ଼ାଖୋଲ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି। ରେଢ଼ାଖୋଲ ବିଧାନସଭା କ୍ଷେତ୍ର ଅନ୍ତର୍ଗତ ଚାରମାଳ ପଥପ୍ରାନ୍ତ ସୁବିଧା କେନ୍ଦ୍ର ସଂଲଗ୍ନ ପ୍ରାକୃତିକ ପରିବେଶରେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ‘ପରିବେଶ ପଞ୍ଚାୟତ’ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବିଧାୟକ ଶ୍ରୀ ଆଚାର୍ଯ୍ୟ କହିଲେ, ହରିୟାଣା, ପଞ୍ଜାବର ଚାଷୀମାନଙ୍କ ନଡ଼ା ପୋଡ଼ିବା ସଂସ୍କୃତି ସଂକ୍ରାମକ ରୋଗ ଭଳି ଅନ୍ୟ ଅଞ୍ଚଳକୁ ବ୍ୟାପୁଛି। ଆମ ଓଡ଼ିଶାରେ ବି ଏହା ଦେଖିବାକୁ ମିଳିଲାଣି। ହରିୟାଣା, ପଞ୍ଜାବର ଏହି ନଡ଼ା ପୋଡ଼ିବା ସଂସ୍କୃତିର ପରିଣାମ ଦିଲ୍ଲୀର ଜନତାଙ୍କୁ ଭୋଗିବାକୁ ପଡ଼ୁଛି। ଓଡ଼ିଶାରେ ଏହା ଜାରି ରହିଲେ ଅନେକ ନୂଆ ନୂଆ ରୋଗରେ ଆମେ ଆକ୍ରାନ୍ତ ହେବା। ପରିବେଶ ସନ୍ତୁଳନ ଆହୁରି ବିଗିଡ଼ିବ। କେବଳ ସରକାରୀ ଆଇନ ଦ୍ବାରା ପ୍ରକୃତିକୁ ନଷ୍ଟ ହେବାରୁ ବଞ୍ଚାଇ ହେବନାହିଁ। ଏଥିପାଇଁ ଲୋକମାନଙ୍କ ମାନସିକତାରେ ପରିବର୍ତ୍ତନ ଆବଶ୍ୟକ। ସ୍ରଷ୍ଟା ଆମ ପାଇଁ ଯାହା ସବୁ ସୃଷ୍ଟି କରିଛନ୍ତି, ତାହାର ସୁରକ୍ଷା କେବଳ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ହେଲେ ସମ୍ଭବ ହୋଇପାରିବ।‘ପୁନଶ୍ଚ ପୃଥିବୀ’ ଅଭିଯାନକୁ ପ୍ରଶଂସା କରି ଶ୍ରୀ ଆଚାର୍ଯ୍ୟ ପରିବେଶ ପଞ୍ଚାୟତରେ ସାମିଲ ହୋଇଥିବା ଛାତ୍ରଛାତ୍ରୀ, ମହିଳା, ପରିବେଶ ପ୍ରେମୀଙ୍କୁ ଏଠାରୁ ଗାଁ ଫେରିଯିବା ପରେ ଅନ୍ୟମାନଙ୍କୁ ସଚେତନ କରାଇବାକୁ ଆହ୍ବାନ ଦେଇଥିଲେ।

Advertisment

  ସମ୍ମାନିତ ଅତିଥି ରେଢ଼ାଖୋଲ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ ଗାଁରୁ ପରିବେଶ ଆରମ୍ଭ କରିବା ସହିତ ଜୀବନରେ ପ୍ଲାଷ୍ଟିକ ବ୍ୟବହାର କମ୍ କରିବା ପାଇଁ ଗୁରୁତ୍ବାରୋପ କରିଥିଲେ। ଅନ୍ୟ ଅତିଥି ପଞ୍ଚାୟତ ସମିତି ଉପାଧ୍ୟକ୍ଷା ଚିନ୍ମୟୀ ତ୍ରିପାଠୀ, ଚାରମାଳ କ‌ଲେଜର ଅଧ୍ୟକ୍ଷ ନିବାସ କୁମ୍ଭାର, ପରିବେଶବିତ୍‌ କୁଳଧର ପ୍ରଧାନ, ଚାରମାଳ ସରପଞ୍ଚ ସଞ୍ଜୟ ପ୍ରଧାନ ପ୍ରମୁଖ ଜୈବିକ କୃଷି, ବୃକ୍ଷରୋପଣ ଓ ଏହାର ଯତ୍ନ ଉପରେ ଗୁରୁ୍ତ୍ବାରୋପ କରିବା ସହିତ ପରିବେଶ ସୁରକ୍ଷାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।