କୋରାପୁଟ: ମାଳଭୂମି ଭାବେ ପରିଚିତ କୋରାପୁଟ କ୍ରମଶଃ ଉତ୍ତପ୍ତ ହେବାରେ ଲାଗିଛି। ଜଙ୍ଗଲ ନଷ୍ଟ, ଅନିୟମିତ ବର୍ଷା କାରଣରୁ ବଢ଼ି ଚାଲିଛି ତାପମାତ୍ରା। ଏକଦା ଖରାଦିନରେ କୋରାପୁଟରେ ଫ୍ୟାନ୍ ଆବଶ୍ୟକ ପଡ଼ୁନଥିଲା। ଏବେ ଏସି, କୁଲର ନ ଲାଗିଲେ ଘରେ ରହି ହେଉନି। ବିଗତ ୫ ବର୍ଷ ମଧ୍ୟରେ ମେ ଓ ଜୁନ୍ ମାସରେ ହେଉଥିବା ଖରା ପୂର୍ବର ସମସ୍ତ ରେକର୍ଡକୁ ଅତିକ୍ରମ କରିଛି। ତାପମାତ୍ରା ୩୮ରୁ ୪୦ ଡିଗ୍ରି ମଧ୍ୟରେ ରହୁଥିବା ବେଳେ କିଛି ଦିନ ୪୨ ଡିଗ୍ରିକୁ ଛୁଉଁଛି।
ସମୁଦ୍ର ପତନରୁ ୮୭୦ ମିଟର (୨୮୫୦ ଫୁଟ୍) ଉଚ୍ଚତାରେ ରହିଛି କୋରାପୁଟ ଜିଲ୍ଲା ସଦର ମହକୁମା। ଚତୁଃପାର୍ଶ୍ବକୁ ଘେରି ରହିଛି ବଣ, ପାହାଡ଼। ଭୌଗୋଳିକ ଦୃଷ୍ଟିକୋଣରୁ କୋରାପୁଟ ଜିଲ୍ଲାର ୧୪ଟି ବ୍ଲକରୁ ୫ଟି ବ୍ଲକ ସମତଳ ଏବଂ ୯ଟି ବ୍ଲକ ପାହାଡ଼ିଆ ଅଞ୍ଚଳ। ସମତଳ ଅଞ୍ଚଳରେ ଥିବା ୫ଟି ବ୍ଲକରେ କୋରାପୁଟ ସଦର ମହକୁମା ତୁଳନାରେ ତାପମାତ୍ରା ଅଧିକ ରହୁଛି। ବାକି ୯ଟି ବ୍ଲକରେ ଗତ ୫ ବର୍ଷ ପୂର୍ବେ ମେ ମାସରେ ସର୍ବୋଚ୍ଚ ତାପମାତ୍ରା ୩୬ ଡିଗ୍ରି ପର୍ଯ୍ୟନ୍ତ ରହୁଥିଲା। ମୌସୁମୀ ଛୁଇଁବା ପୂର୍ବରୁ ଜୁନ୍ରେ ସର୍ବୋଚ୍ଚ ତାପମାତ୍ରା ୩୪ ଡିଗ୍ରି ମଧ୍ୟରେ ସୀମିତ ରହୁଥିଲା। ୨୦୨୪ ଡିସେମ୍ବର ପରଠାରୁ ବର୍ଷା ହୋଇନଥିବାରୁ ଚଳିତ ବର୍ଷ ତାପମାତ୍ରାରେ ବ୍ୟାପକ ପରିବର୍ତ୍ତନ ଦେଖିବାକୁ ମିଳିଛି। ୨୦୨୫ ଏପ୍ରିଲ୍ରେ ତାପମାତ୍ରା ୩୮ରୁ ୪୦ ଡିଗ୍ରି ଏବଂ ମେ’ରେ ୪୦ରୁ ୪୨ ଡିଗ୍ରି ମଧ୍ୟରେ ରହୁଛି।
ପୂର୍ବ ବର୍ଷ ରେକର୍ଡକୁ ଅନୁଧ୍ୟାନ କଲେ ୨୦୨୦ ମେରେ ସର୍ବୋଚ୍ଚ ତାପମାତ୍ରା ୩୬.୬ ଡିଗ୍ରି, ଜୁନରେ ୩୫.୬ ଡିଗ୍ରି, ୨୦୨୧ ମେରେ ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରି, ଜୁନ୍ରେ ୩୪.୨ ଡିଗ୍ରି, ୨୦୨୨ ମେରେ ସର୍ବୋଚ୍ଚ ତାପମାତ୍ରା ୩୬.୮ ଡିଗ୍ରି, ଜୁନ୍ରେ ୩୭.୨ ଡିଗ୍ରି, ୨୦୨୩ ମେରେ ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରି, ଜୁନ୍ରେ ୩୮.୬ ଡିଗ୍ରି, ୨୦୨୪ ମେରେ ସର୍ବୋଚ୍ଚ ତାପମାତ୍ରା ୩୯.୫ ଡିଗ୍ରି ଏବଂ ଜୁନ୍ରେ ୩୬ ଡିଗ୍ରି ଥିଲା। ବିଗତ ୫ ବର୍ଷରେ ଖରାଦିନରେ କୋରାପୁଟର ତାପମାତ୍ରା ୪ ଡିଗ୍ରି ବୃଦ୍ଧି ପାଇଲାଣି। ଯେଉଁ ଦିନ କାଳବୈଶାଖୀ ବର୍ଷା ହେଉଛି ତାପମାତ୍ରା କମୁଛି। ନଚେତ୍ ଖରାର ପ୍ରକୋପ ଓ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ବର୍ଷର ୯ ମାସ ଥଣ୍ଡା ଜଳବାୟୁରେ ଏହି ଅଞ୍ଚଳର ଲୋକ ରହୁଥିବାରୁ ଗ୍ରୀଷ୍ମରେ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ସହ୍ୟ କରିପାରୁ ନାହାନ୍ତି। ଜିଲ୍ଲା ସଦର ମହକୁମାକୁ ଛାଡ଼ିଲେ ନାରାୟଣପାଟଣା, ବନ୍ଧୁଗାଁ, ଜୟପୁର, ବୋରିଗୁମ୍ମା, କୋଟପାଡ଼ ବ୍ଲକ୍ରେ ଗ୍ରୀଷ୍ମର ପ୍ରକୋପ ଅଧିକ ରହୁଛି। ସେମିଳିଗୁଡ଼ା, ପଟାଙ୍ଗି, ନନ୍ଦପୁର, କୁନ୍ଦୁରା, ଲମତାପୁଟ, ଲକ୍ଷ୍ମୀପୁର, ଦଶମନ୍ତପୁର, ବୈପାରିଗୁଡ଼ା ବ୍ଲକ୍ ଅଞ୍ଚଳରେ ତାପମାତ୍ରା ସାମାନ୍ୟ କମ୍ ରହୁଛି।