ମାତ୍ରାଧିକ ତାପମାତ୍ରା ମନୁଷ୍ୟର ବୟସ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଥାଏ, ଅର୍ଥାତ୍ ଉତ୍ତପ୍ତ ପରିବେଶ ଯୋଗୁଁ ଆମର ଆୟୁ କମିଯାଉଛି ବୋଲି ଆମେରିକାର ଲସ୍ଏଞ୍ଜେଲ୍ସ୍ ସ୍ଥିତ ଦକ୍ଷିଣ କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟ (ୟୁଏସ୍ସି) ଅଧୀନ ଡେଭିଡ୍ ସ୍କୁଲ ଅଫ୍ ଜେରୋଣ୍ଟୋଲୋଜିର ଗବେଷକମାନେ ଏକ ସଦ୍ୟ ଅନୁଧ୍ୟାନରୁ ଜାଣିପାରିଛନ୍ତି।
‘ସାଇନ୍ସ ଆଡଭାନ୍ସେସ’ ପତ୍ରିକାରେ ପ୍ରକାଶିତ ବିବରଣୀରେ ମନୁଷ୍ୟର ଜୈବିକ ବୟସ କଥା ଉଲ୍ଲେଖ ରହିଛି। ଆମ ଶରୀର ଆଣବିକ, କୋଷୀୟ ଓ ପ୍ରଣାଳୀ ସ୍ତରରେ କେତେ ଭଲ ଭାବରେ କାର୍ଯ୍ୟ କରେ, ଜୈବିକ ବୟସ ହେଉଛି ତାହାର ଏକ ମାପକାଠି। ଏହା ଆମ ଜନ୍ମ ତାରିଖ ଉପରେ ଆଧାରିତ କାଳାନୁକ୍ରମିକ ବୟସ ଠାରୁ ଭିନ୍ନ। ଗବେଷକମାନେ ସେମାନଙ୍କ ଅନୁଧ୍ୟାନରେ ୩,୬୦୦ ଜଣ ଆମେରିକୀୟ ସ୍ବେଚ୍ଛାସେବୀଙ୍କୁ ସାମିଲ କରିଥିଲେ, ଯେଉଁମାନଙ୍କର ବୟସ ୫୬ ବର୍ଷରୁ ଅଧିକ ଥିଲା। ଆମେରିକାର ଜାତୀୟ ପାଣିପାଗ ବିଭାଗର ଉଷ୍ମତା ସୂଚକାଙ୍କ ମୂଲ୍ୟକୁ ଏଥିରେ ବ୍ୟବହାର କରାଯାଇଥିଲା। ସ୍ବାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବର ସମ୍ଭାବ୍ୟ ବିପଦକୁ ଆଧାର କରି ଉଷ୍ମତା ସୂଚକାଙ୍କ ମୂଲ୍ୟକୁ ତିନିଟି ସ୍ତରରେ ଶ୍ରେଣୀଭୁକ୍ତ କରାଯାଇଥିଲା।
ସେଥି ମଧ୍ୟରେ ଉଷ୍ମତା ସୂଚକାଙ୍କ ୨୬.୬ ଡିଗ୍ରି ସେଲସିଅସରୁ ୩୨ ଡିଗ୍ରି ସେଲସିଅସ ଯାଏ ‘ସତର୍କତା’ ସ୍ତର, ୩୨ ଡିଗ୍ରି ସେଲସିଅସରୁ ୩୯ ଡିଗ୍ରି ସେଲସିଅସ ଯାଏ ‘ଚରମ ସତର୍କତା’ ସ୍ତର ଏବଂ ୩୯ ଡିଗ୍ରି ସେଲସିଅସରୁ ୫୨ ଡିଗ୍ରି ସେଲସିଅସ ଯାଏ ‘ବିପଦ’ ସ୍ତର ଅନ୍ତର୍ଭୁକ୍ତ ଥିଲା। ଏହି ତିନି ସ୍ତରର ଦିବସଗୁଡ଼ିକୁ ଉଷ୍ମ ଦିବସ ଭାବେ ଗଣନା କରାଯାଇଥିଲା। ସାମାଜିକ-ଅର୍ଥନୈତିକ ଓ ଅନ୍ୟାନ୍ୟ ଜନସଂଖ୍ୟାଗତ ପାର୍ଥକ୍ୟ ସମେତ ଶାରୀରିକ କାର୍ଯ୍ୟକଳାପ, ମଦ୍ୟପାନ ଓ ଧୂମପାନ ପରି ଜୀବନଶୈଳୀ କାରକଗୁଡ଼ିକର ନିୟନ୍ତ୍ରଣ ପରେ ମଧ୍ୟ ଅଧିକ ସଂଖ୍ୟକ ମାତ୍ରାଧିକ ଗରମ ଦିନ ଓ ଜୈବିକ ବୟସର ବୃଦ୍ଧି ମଧ୍ୟରେ ସମ୍ପର୍କ ଅବ୍ୟାହତ ରହିଥିବା ଦେଖାଯାଇଥିଲା। ବର୍ଷର ପ୍ରାୟ ଅଧା ଦିନ ‘ଚରମ ସତର୍କତା’ ଉଷ୍ମତା ସ୍ତର ଅନୁଭୂତ ହେଉଥିବା ଫୋନିକ୍ସ ଓ ଆରିଜୋନା ପରି ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କର ଜୈବିକ ବୟସ ବର୍ଷକୁ ୧୦ରୁ କମ୍ ଉଷ୍ମ ଦିବସରେ ରହୁଥିବା ଲୋକଙ୍କ ତୁଳନାରେ ୧୪ ମାସ ଅଧିକ ହୋଇଥିବା ଜଣାପଡ଼ିଥିଲା।
ଗବେଷକଙ୍କ ମତରେ ଉତ୍ତପ୍ତ ପରିବେଶ ଓ ଆର୍ଦ୍ରତାର ମିଶ୍ରିତ ପ୍ରଭାବ ଯୋଗୁଁ ବୟସ୍କମାନଙ୍କ ଜୈବିକ ବୟସ ତ୍ବରାନ୍ବିତ ହୋଇଥାଏ। କାରଣ ସେମାନଙ୍କ ଦେହରୁ କମ୍ ପରିମାଣର ଝାଳ ନିର୍ଗତ ହୁଏ। ସୁତରାଂ ଝାଳ ବାଷ୍ପୀଭୂତ ହେବା ଦ୍ବାରା ଚର୍ମ-ଶୀତଳୀକରଣ ପ୍ରଭାବର ଲାଭ ସେମାନଙ୍କୁ ମିଳେ ନାହିଁ, ଯାହା ଜୈବିକ ବୟସ ବଢ଼ାଇ ଦେଇଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/04/jQUenJQzBvbMIvoIyoHg.jpg)