ଅନ୍ୟ ଯେକୌଣସି ଜଳବାୟୁ-ସମ୍ବନ୍ଧୀୟ କାରଣ ଅପେକ୍ଷା ବଜ୍ରପାତ ଯୋଗୁଁ ଅଧିକ ସଂଖ୍ୟକ ଗଛର ମୃତ୍ୟୁ ହେଉଛି ବୋଲି ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି। ଏକ ନୂତନ ଅଧ୍ୟୟନ ଅନୁଯାୟୀ, ଲଗାତାର ବୃଦ୍ଧି ପାଉଥିବା ବଜ୍ରପାତ ସଂଖ୍ୟା ବର୍ତ୍ତମାନ ଆମାଜନ୍ ଜଙ୍ଗଲରେ ଗଛମୃତ୍ୟୁର ଏକ ପ୍ରମୁଖ କାରଣ ସାଜିଛି, ଯାହାକୁ ଏପର୍ଯ୍ୟନ୍ତ ଅଣଦେଖା କରାଯାଇ ଆସିଥିଲା।
ଉଲ୍ଲେଖଯୋଗ୍ୟ, କ୍ରାନ୍ତିମଣ୍ଡଳୀୟ ଜଙ୍ଗଲ ଅଙ୍ଗାରକାମ୍ଳ ଶୋଷଣ କରି ଜଳବାୟୁ ପରିବର୍ତ୍ତନକୁ ଧୀର କରିବାରେ ସାହାଯ୍ୟ କରେ। ସେହି ଗଛଗୁଡ଼ିକ ଅଧିକ ସଂଖ୍ୟାରେ ମରିବା ଦ୍ବାରା ଅଧିକ ପରିମାଣର ଅଙ୍ଗାରକ ବାୟୁରେ ରହି ବିଶ୍ୱ ଉତ୍ତପ୍ତୀକରଣକୁ ତୀବ୍ରତର କରିଥାଏ। କ୍ରାନ୍ତିମଣ୍ଡଳୀୟ ଅଞ୍ଚଳରେ ବୃକ୍ଷ ମୃତ୍ୟୁ ପାଇଁ ବୈଜ୍ଞାନିକମାନେ ବହୁ ଦିନ ଧରି ମରୁଡ଼ି, ତାପମାତ୍ରା ବୃଦ୍ଧି, ଜଙ୍ଗଲ ନିଆଁ ଓ ଜଙ୍ଗଲ କାଟ ପ୍ରମୁଖକୁ ଦାୟୀ କରିଆସୁଛନ୍ତି। କିନ୍ତୁ ଏହି ନୂତନ ଗବେଷଣା କହୁଛି ଯେ ଛୋଟ ତଥା ତୀବ୍ର ଝଡ଼ ସର୍ବାଧିକ କ୍ଷତି କରୁଛି। ଏହି ଝଡ଼ଗୁଡ଼ିକ ଆମାଜନ୍ ଜଙ୍ଗଲରେ ଗଛ ମୃତ୍ୟୁରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଁ ଦାୟୀ ବୋଲି ‘ଇକୋଲୋଜି ଲେଟର୍ସ’ ପତ୍ରିକାରେ ପ୍ରକାଶିତ ଅଧ୍ୟୟନରୁ ଜଣାପଡ଼ିଛି। ଏହି କ୍ଷଣସ୍ଥାୟୀ ସଂଚଳନଶୀଳ ଝଡ଼ଗୁଡ଼ିକ ତୀବ୍ର ହେବା ସହ ଛୋଟ ଅଞ୍ଚଳକୁ ଘେରି ରଖି ପ୍ରବଳ ପବନ, ବିଜୁଳି ଓ ହଠାତ୍ ବାଦଲଫଟା ବର୍ଷା କରାଇଥାନ୍ତି। ଘୂର୍ଣ୍ଣିବାତ୍ୟା କିମ୍ବା ଟାଇଫୁନ୍ ପରି, ଏଗୁଡ଼ିକୁ ନାମକରଣ କିମ୍ବା ଟ୍ରାକ୍ କରାଯାଏ ନାହିଁ। କିନ୍ତୁ ଝଡ଼ ସହ ହେଉଥିବା ଘଡ଼ଘଡ଼ି-ବିଜୁଳି ଗଛଗୁଡ଼ିକୁ ଲକ୍ଷ ଲକ୍ଷ ସଂଖ୍ୟାରେ ନଷ୍ଟ କରିଦିଏ।
ଉଲ୍ଲେଖଯୋଗ୍ୟ, କ୍ରାନ୍ତିମଣ୍ଡଳୀୟ ଜଙ୍ଗଲଗୁଡ଼ିକ ବିପୁଳ ପରିମାଣର ଅଙ୍ଗାର ସଂରକ୍ଷଣ କରନ୍ତି। ସେମାନେ ପ୍ରତିବର୍ଷ ସମସ୍ତ ଜୀବାଶ୍ମ ଇନ୍ଧନ ନିର୍ଗମନର ପ୍ରାୟ ୪୫ ପ୍ରତିଶତ ଶୋଷି ନେଇଥା’ନ୍ତି। ଯେତେବେଳେ ଝଡ଼ ଗଛଗୁଡ଼ିକୁ ଏପରି ମାରିଦିଏ, ମୃତ ଗଛଗୁଡ଼ିକ ଅଙ୍ଗାରକୁ ସଂରକ୍ଷଣ କରିବା ପରିବର୍ତ୍ତେ ତାହା ବାୟୁମଣ୍ଡଳକୁ ଫେରି ଆସିଥାଏ। ବଜ୍ରପାତ ହିଁ ଥରକେ ଡଜନେ ଗଛକୁ ଆଘାତ କରିବା ସହ ପ୍ରତି ବର୍ଷ କୋଟି କୋଟି ଗଛକୁ ମାରିଦିଏ। ଅନେକ ବୃକ୍ଷ ଧୀରେ ଧୀରେ ମରିଥା’ନ୍ତି, ଯେଉଁ କ୍ଷତିକୁ ଗଣନା କରିବା କଷ୍ଟକର ହୋଇଥାଏ। ଏକ ଆକଳନ ଅନୁଯାୟୀ, ବାର୍ଷିକ ୩୫ରୁ ୬୭ ନିୟୁତ ବଜ୍ରପାତ ଗ୍ରୀଷ୍ମମଣ୍ଡଳୀୟ ଜଙ୍ଗଲକୁ ଆଘାତ କରେ। ଅର୍ଥାତ୍ ପ୍ରତିବର୍ଷ ଶହ ଶହ ନିୟୁତ ବୃକ୍ଷ ଏଥିଯୋଗୁଁ ମୃତ୍ୟୁମୁଖରେ ପଡ଼ିଥା’ନ୍ତି। ପାନାମାରେ କେବଳ ଗୋଟିଏ ବଜ୍ରପାତ ହାରାହାରି ୩.୫ ଗଛକୁ ମାରିଦିଏ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ଏହା ସତ୍ତ୍ବେ ବଜ୍ରପାତକୁ ଜଙ୍ଗଲ କ୍ଷୟର କାରକ ଭୂମିକାରେ ରଖି ଖୁବ୍ କମ୍ ଗବେଷଣା ହେଇଛି। ଗତ ୫୦ ବର୍ଷରେ ବଜ୍ରପାତ ହାର ଦଶନ୍ଧି ପିଛା ୫-୨୫ ପ୍ରତିଶତ ହାରରେ ବଢୁଥିବାରୁ ଜଳବାୟୁ ପରିବର୍ତ୍ତନ ଜଙ୍ଗଲ କ୍ଷୟକୁ ବଢ଼ାଇଦେବ ବୋଲି ଗବେଷକମାନେ ସତର୍କ କରାଇଦେଇଛନ୍ତି।