ଆନନ୍ଦପୁର: ଦଶବର୍ଷରୁ ଊର୍ଦ୍ଧ୍ବ ହେବ ଗଛ ଲଗାଉଛନ୍ତି। ପରିବେଶ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରାଞ୍ଚଳ ଫକୀରପୁରର ତ୍ରିଲୋଚନ ସାହୁ। ଚଳିତବର୍ଷ ସେ ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ହଜାରେରୁ ଊର୍ଦ୍ଧ୍ୱ ଚାରାରୋପଣ କରିବା ସହ ‘ମୁଁ ଗଛ କହୁଛି’ କାର୍ଯ୍ୟକ୍ରମ ମାଧ୍ୟମରେ ପରିବେଶ ସୁରକ୍ଷା ବାର୍ତ୍ତା ଦେଉଛନ୍ତି।

Advertisment

ଦଶବର୍ଷ ତଳେ ତ୍ରିଲୋଚନ ବୃକ୍ଷରୋପଣ ଅଭିଯାନ ଆରମ୍ଭ କରିଥିଲେ। ଚଳିତବର୍ଷ ବର୍ଷାଋତୁରେ ଆନନ୍ଦପୁର ବ୍ୟାରେଜ ଛକଠାରୁ ଗୋହିରା ଛକ, ଶାଳବଣି ଛକ (ହାଟପଡ଼ିଆ)ଠାରୁ ଫକୀରପୁର, ବାଲୁଙ୍କେଶ୍ବର ମନ୍ଦିର ନିକଟରୁ ଫକୀରପୁର (ବାଲିପଡ଼ା) ରାସ୍ତାର ଉଭୟ ପାର୍ଶ୍ବରେ ୭୦୦ରୁ ଊର୍ଦ୍ଧ୍ବ ଚାରାରୋପଣ କରିପାରିଛନ୍ତି।। ଏହାଛଡ଼ା ଫକୀରପୁରସ୍ଥିତ ଜୟଦୁର୍ଗା ପ୍ରାଥମିକ ବିଦ୍ୟାଳୟ, ବାଲୁଙ୍କେଶ୍ବର ଉନ୍ନୀତ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ବୃକ୍ଷରୋପଣ କରିଛନ୍ତି। ୧୧ ନମ୍ୱର ୱାର୍ଡର ବୈତରଣୀ ନଦୀବନ୍ଧକୁ ଲାଗିଥିବା ଏକ ବିଶାଳ ଖାଲୁଆ ଅଞ୍ଚଳରେ ସେ ଗଛ ଲଗାଇଛନ୍ତି। ପାଞ୍ଚ ମାସର ପରିଶ୍ରମରେ ସେ ଏଠାରେ କ୍ଷୁଦ୍ର ଜଙ୍ଗଲ ସୃଷ୍ଟି କରିଛନ୍ତି। ନିଜସ୍ବ ଉଦ୍ୟମରେ ଏଠାରେ ଏତେ ସଂଖ୍ୟକ ଗଛ ଲଗାଇବା ତ୍ରିଲୋଚନଙ୍କ ପାଇଁ କଷ୍ଟକର ବ୍ୟାପାର ଥିଲା। ପରବର୍ତ୍ତୀ ସମୟରେ ବହୁ ସ୍ୱେଚ୍ଛାସେବୀ ତାଙ୍କୁ ଏହି କାର୍ଯ୍ୟ ପାଇଁ ସହଯୋଗର ହାତ ବଢ଼ାଇଛନ୍ତି।

ଆନନ୍ଦପୁର ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ ଅବସରରେ ଉପଜିଲ୍ଲାପାଳ ଓ ଉପଖଣ୍ଡସ୍ତରୀୟ ଅଧିକାରୀଙ୍କ ଦ୍ବାରା ତ୍ରିଲୋଚନଙ୍କ ଅଭିନବ କାର୍ଯ୍ୟକ୍ରମ ‘ମୁଁ ଗଛ କହୁଛି’ ଉଦ୍‌ଘାଟିତ ହୋଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତ୍ୟେକ ବ୍ୟକ୍ତି ନିଜ ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ଅତି କମ୍‌ରେ ଗୋଟିଏ ଗଛ ଲଗାଇ ତା’ର ଯତ୍ନ ନେବାକୁ ସେ ଲୋକଙ୍କୁ ପରାମର୍ଶ ଦେଉଛନ୍ତି। ବନ୍ୟପ୍ରାଣୀ ସଂରକ୍ଷଣ ସମ୍ପର୍କରେ ମଧ୍ୟ ସେ ଏହି କାର୍ଯ୍ୟକ୍ରମରେ ସୂଚନା ଦେଉଛନ୍ତି। ଏଥିପାଇଁ ଉପଜିଲ୍ଲାପାଳ ଫାଲଗୁନୀ ମାଝୀ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ ଓଡ଼ିଶାର ପ୍ରତି ଜିଲ୍ଲାରେ ପହଞ୍ଚାଇବାକୁ ଶ୍ରୀ ସାହୁ ଲକ୍ଷ୍ୟ ରଖିଛନ୍ତି। ପରିବେଶ ଓ ବନ୍ୟପ୍ରାଣୀ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ୨୦୨୧ରେ ଶ୍ରୀ ସାହୁଙ୍କୁ ପ୍ରକୃତିବନ୍ଧୁ ସମ୍ମାନ ମିଳିଥିଲା। ଏହାଛଡ଼ା ଜଙ୍ଗଲ ସୁରକ୍ଷା ବାର୍ତ୍ତା ନେଇ ସେ ବିଭିନ୍ନ ଚଳଚ୍ଚିତ୍ର ପ୍ରସ୍ତୁତ କରିଛନ୍ତି। ‘ନୀଳରକ୍ତ’ ଚଳଚ୍ଚିତ୍ରଟି ବୃକ୍ଷରୋପଣ ଉପରେ ଆଧାରିତ ଥିଲା। ଏହା ‘ଉତ୍କଳ ଫିଲ୍ମ ଫେଷ୍ଟିଭାଲ-୨୦୨୦’ରେ ଭୁବନେଶ୍ବରରେ ପ୍ରଦର୍ଶିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଛି। ସେହିପରି ‘ମାଟି ଲୁହ’, ‘ସ୍ବଚ୍ଛ ଭାରତ’, ‘ଚିତ୍ର କାଗଜ’ ଏବଂ ‘ଜରି’ ଆଦି ଚଳଚ୍ଚିତ୍ର ପରିବେଶ ସୁ‌ରକ୍ଷାର ବାର୍ତ୍ତା ଦେଉଛି।