ଲିୟନ: ଜଳ ହିଁ ଜୀବନ। ଜଳ ବିନା ବଞ୍ଚିବା ଅସମ୍ଭବ। ବିଶ୍ୱର ଅନେକ ଦେଶ ଏବେ ଜଳଜନିତ ସମସ୍ୟା ଦେଇ ଗତି କରୁଛନ୍ତି। ପୃଥିବୀର ଶତକଡ଼ା ୭୧ ଭାଗ ଜଳ ହୋଇଥିଲେ ମଧ୍ୟ ଏଥିରୁ ପାନୀୟ ଉପଯୋଗୀ ଜଳର ମାତ୍ରା କେବଳ ୧%। ଆମ ଦେଶରେ ୭୦% ରୁ ଅଧିକ ଜଳ ସମୁଦ୍ରରେ ମିଶିଯାଉଛି। ଶିଳ୍ପ ଠାରୁ ଆରମ୍ଭ କରି ମନୁଷ୍ୟକୃତ କାରଣ ପାଇଁ ପ୍ରତି ମୁହୂର୍ତରେ ଆମ ଜଳ ପ୍ରଦୂଷିତ ହେଉଛି । ଗାଁଠୁ ସହର ସବୁଠି ପାନୀୟ ଜଳର ସଂକଟ ଦେଖାଯାଉଛି। ଏହାକୁ ବିଶୋଧନ କରିବା ଏବେ ଆମ ପାଇଁ ଏକ ବଡ଼ ଆହ୍ୱାନ ହୋଇ ଉଭା ହୋଇଛି। ଭାରତ ଭଳି ଜନବହୁଳ ଦେଶରେ ପ୍ରଯୁକ୍ତିର ବ୍ୟବହାର ହିଁ ଜଳ ସମସ୍ୟାକୁ ଅନେକ ମାତ୍ରାରେ ଦୂର କରିପାରିବ।
ଫ୍ରାନ୍ସର ଲିୟନ ସହରରେ ନିକଟରେ ହୋଇଥିବା ବିଶ୍ୱ ଦକ୍ଷତା ପ୍ରତିଯୋଗିତା-୨୦୨୪ରେ ଏହି ଆହ୍ୱାନକୁ ସମାଧାନ କରିବା ପାଇଁ ପ୍ରୟାସ କରିଛନ୍ତି ବିଭିନ୍ନ ଦେଶର ବଛାବଛା ଛାତ୍ରଛାତ୍ରୀ। ସେମାନେ ଜଳର ନମୁନା ସଂଗ୍ରହ କରି ଲାବୋରେଟୋରିରେ ବିଶ୍ଲେଷଣ କରିଛନ୍ତି। ବର୍ଜ୍ୟ ଜଳ ନିଷ୍କାସନ କରିବା ପୂର୍ବରୁ ଏହାର ଉପଯୁକ୍ତ ପ୍ରକ୍ରିୟାକରଣ କରି ପ୍ରତିଯୋଗୀମାନେ ଜଳର ପୁନଃ ଗୁଣବତ୍ତା ପରୀକ୍ଷା କରିଛନ୍ତି। ମେକାନିକାଲ, କେମିକାଲ, ଇଲେକ୍ଟ୍ରିକାଲ୍ସ ଓ ଇଲେକ୍ଟ୍ରୋନିକ୍ସ ପ୍ରଯୁକ୍ତି ବିଦ୍ୟାର ସମନ୍ୱିତ ପ୍ରୟୋଗରେ ଇଞ୍ଜିନିୟରମାନେ ଏହି ପ୍ରକଳ୍ପ ଉପରେ କାର୍ଯ୍ୟ କରିଛନ୍ତି। ଆଜିର ଏହି ପ୍ରକଳ୍ପର ସଫଳତା ହୁଏତ ଆସନ୍ତାକାଲି ବିଶ୍ୱରେ ପାନୀୟ ଜଳର ଅଭାବ ଓ ଜଳ ପ୍ରଦୂଷଣ ଦୂର କରିବାରେ ସହାୟକ ହୋଇ ପାରିବ ବୋଲି ଆଶା ରଖାଯାଇଛି। ଲିୟନ୍ ସହରରେ ଆୟୋଜିତ ଉକ୍ତ ୫ ଦିନିଆ ପ୍ରତିଯୋଗିତାରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି।
ୟୁରୋ ଏକ୍ସପୋର ବିଶାଳ ପ୍ରଦର୍ଶନୀ କକ୍ଷରେ ୱାଟର ଟେକ୍ନୋଲୋଜି ଷ୍ଟଲ୍ଗୁଡ଼ିକ ପାଲଟିଥିଲା ଆକର୍ଷଣର କେନ୍ଦ୍ରବିନ୍ଦୁ। ଭାରତ ପକ୍ଷରୁ ୨୦୧୯ ୱାର୍ଲଡ ସ୍କିଲ୍ସରେ ଏହି ବିଭାଗରେ ସ୍ବର୍ଣ୍ଣ ପଦକ ଜିତିଥିଲେ ସି.ଭି. ରମଣ ବିଶ୍ୱବିଦ୍ୟାଳୟର ଛାତ୍ର ଅଶ୍ୱଥ ନାରାୟଣ। ଆଜି ଯାଏଁ ଏହା ହିଁ ୱାର୍ଲଡ ସ୍କିଲ୍ସରେ ଭାରତର ଏକ ମାତ୍ର ସ୍ବର୍ଣ୍ଣ ପଦକ। ଜର୍ମାନୀରେ ଉଚ୍ଚଶିକ୍ଷା ଗ୍ରହଣ କରୁଥିବା ଅଶ୍ୱଥ ଲିୟନରେ ପ୍ରତିଯୋଗିତାସ୍ଥଳରେ ପହଞ୍ଚି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଛନ୍ତି। ଏଥର ମଧ୍ୟ ଭାରତୀୟ ଛାତ୍ର ୱାଟର ଟେକ୍ନୋଲୋଜିରେ ନିଜ କୌଶଳ ଦେଖାଇଛନ୍ତି। ପ୍ରତିଯୋଗିତା କକ୍ଷରେ ବିଭିନ୍ନ ଷ୍ଟଲ୍ରେ ବର୍ଜ୍ୟ ଜଳକୁ ବିଶୋଧନ କରି ପାନୀୟ ଉପଯୋଗୀ କରିବା ପାଇଁ ଟେକ୍ନୋଲୋଜି ଜରିଆରେ ଢେର୍ ସାରା ପ୍ରୟାସ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/ZV4B3MzNufUMGgKnveis.jpg)