ଭୁବନେଶ୍ବର: ‘ବୈଶ୍ବିକ ନାଗରିକତାର ଭବିଷ୍ୟତ’। ନେଇ ଦୁଇ ଜଣ ଯୁବ ପରିବେଶବିତ୍ ବର୍ତ୍ତମାନ ସମୟରେ ମଣିଷ ସାମ୍ନାକୁ କରୁଥିବା ଜଳବାୟୁ ପରିବର୍ତ୍ତନ ଓ ଏଥିପାଇଁ ସେମାନଙ୍କ ଦ୍ବାରା କରାଯାଇଥିବା ଉଦ୍ୟମ ସଂପର୍କରେ ମତ ରଖିଥିଲେ। ତିମୋର-ଲିସ୍ତ ଫର କ୍ଲାଇମେଣ୍ଟ ଚେଞ୍ଜର ସ୍ପେସାଲ ଏନ୍‌ଭୟ ତଥା ଯୁବ ପରିବେଶବିତ୍‌ ଲିସିପ୍ରିୟା କାଙ୍ଗୁଜମ୍‌ କହିଥିଲେ, ବର୍ତ୍ତମାନ ଆମେ ଜଳବାୟୁ ପରିବର୍ତ୍ତନକୁ ଦେଖିପାରୁଛେ। ହିଟ୍‌ ୱେଭ୍‌ ଓ ବିଶ୍ବ ତାପନ(ଗ୍ଲୋବାଲ ୱାର୍ମିଂ)କୁ ଅନୁଭବ କରିପାରୁଛେ। ଆଉ ଏହା ହେଉଛି କ୍ଲାଇମେଟ୍ ଏର୍ମଜେନ୍‌ସି ବା ଜଳବାୟୁର ଜରୁରିକାଳୀନ ସ୍ଥିତି। ହେଲେ ଏଭଳି ସ୍ଥିତି ଆଗକୁ ମଧ୍ୟ ଜାରି ରହୁ ବୋଲି କେହି ବି ଚାହାଁନ୍ତି ନାହିଁ। ବର୍ତ୍ତମାନର ଯୁବପିଢ଼ି ଜଳବାୟୁ ପରିବର୍ତ୍ତନର ଭୟାବହତାକୁ ଅନୁଭବ କରୁଛନ୍ତି। ମଣିପୁରରେ ମୁଁ ଜନ୍ମ ହୋଇଛି, ହେଲେ ଭୁବନେଶ୍ବରରେ ବଢ଼ିଛି। ୨୦୧୯ରେ ଓଡ଼ିଶା ସାମ୍ନା କରିଥିବା ‘ଫନି’ ବାତ୍ୟାର ଭୟାବହତାକୁ ମୁଁ ଅନୁଭବ କରିଛି। ବାତ୍ୟାକୁ ନେଇ ମୁଁ ସବୁବେଳେ ଆଶ୍ଚର୍ଯ୍ୟ ହୁଏ ଓ ଏ ବାତ୍ୟା କେଉଁଠୁ ଆସୁଛି ? ବାତ୍ୟାକୁ କିଭଳି ରୋକିପାରିବି ସେଥିପାଇଁ ବାପାମା’, ଶିକ୍ଷକ ଓ ମେଣ୍ଟରଙ୍କୁ ପ୍ରଶ୍ନ କରେ। ପରେ ଦିଲ୍ଲୀ ଯିବା ପରେ ସେଠାରେ ଭୀଷଣ ଗ୍ରଷ୍ମ ପ୍ରବାହକୁ ଅନୁଭବ କରିଛି। ତେଣୁ ପୃଥିବୀକୁ ସୁରକ୍ଷା ଦେବା ଓ ଭବିଷ୍ୟତକୁ ସୁରକ୍ଷିତ ରଖିବାକୁ ଲଢ଼େଇ କରିବାକୁ ହେବ। ଏଥିଲାଗି ସରକାର ପରିବେଶ ଶିକ୍ଷାକୁ ଏକ ବାଧ୍ୟତାମୂଳକ ବିଷୟ ଭାବେ ପାଠ୍ୟକ୍ରମରେ ସାମିଲ କରିବା ଦରକାର। ଭାରତର ଅନେକ ରାଜ୍ୟ ପରିବେଶ ଶିକ୍ଷାକୁ ସ୍କୁଲ ପାଠ୍ୟକ୍ରମରେ ସାମିଲ କରିଛନ୍ତି ବୋଲି ଲିସିପ୍ରିୟା କହିଥିଲେ। 

Advertisment

‘ବୈଶ୍ବିକ ନାଗରିକତାର ଭବିଷ୍ୟତ’ ଶୀର୍ଷକ ଆଲୋଚନାଚକ୍ର

ସେହିପରି ଅନ୍ୟତମ ଯୁବ ପରିବେଶବିତ୍ ତଥା ପ୍ରସିଦ୍ଧି ଫରେଷ୍ଟ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ପ୍ରସିଦ୍ଧି ସିଂହ କହିଥିଲେ, ସୂର୍ଯ୍ୟଙ୍କଠାରୁ ଶୁକ୍ର ଓ ପୃଥିବୀଙ୍କ ଦୂରତା ପ୍ରାୟ ସମାନ। ଦୁଇ ଗ୍ରହରେ ସମାନ ପରିମାଣର କାର୍ବନ୍‌ ରହିଛି। ହେଲେ ପୃଥିବୀର ତାପମାତ୍ର ୫୦ ଡିଗ୍ରି ଭିତରେ ଥିବା ବେଳେ ଶୁକ୍ରର ତାପମାତ୍ରା ୮୫୦ ଡିଗ୍ରି। ଏପରିକି ସୂର୍ଯ୍ୟଙ୍କ ଅତି ନିକଟରେ ଥିବା ବୁଧ ଗ୍ରହର ତାପମାତ୍ରା ମଧ୍ୟ ଶୁକ୍ରଠାରୁ କମ୍। ମନୁଷ୍ୟ ଶରୀରର ୧୮ ପ୍ରତିଶତ କାର୍ବନରେ ତିଆରି। ତେଣୁ ତାପମାତ୍ରା ହ୍ରାସ ପାଇଁ କାର୍ବନ ନିର୍ଗମନ କେତେ ଜରୁରି ତାହା ସମସ୍ତେ ଚିନ୍ତା କରିବା ଦରକାର। 

ସେ କହିିଥିଲେ, ମଣିଷ ଏବେ ପୃଥିବୀକୁ ଏକ ଡମ୍ପିଂୟାର୍ଡରେ ପରିଣତ କରିସାରିଛି। ପ୍ଲାଷ୍ଟିକ୍ ଓ ବର୍ଜ୍ୟବସ୍ତୁରେ ପୃଥିବୀ ଭରିଗଲାଣି। ଏସବୁ କାରଣ ପାଇଁ ଆସନ୍ତା ୧ ଦଶନ୍ଧି ଭିତରେ ପୃଥିବୀରୁ ଏକ ନିୟୁତ ପ୍ରଜାତି ବିଲୁପ୍ତ ହୋଇଯିବେ ବୋଲି ଆଶଙ୍କା କରାଯାଉଛି। ତେଣୁ ପୃଥିବୀକୁ ସୁରକ୍ଷିତ ରଖିବାକୁ ଇକୋସିଷ୍ଟମ୍‌ ପୁନରୁଦ୍ଧାରର ଆବଶ୍ୟକତା ରହିଛି। ପ୍ରସିଦ୍ଧି କହିଥିଲେ, ୨୦୧୬ ମସିହାରେ ଭାର୍ଦାରେ ଆସିଥିବା ବାତ୍ୟା ମନକୁ ଆନ୍ଦୋଳିତ କରିଥିଲା। ତେଣୁ ଗଛ ଲଗାଇବା ପାଇଁ ନିଷ୍ପତ୍ତି ନେଇଥିଲି। ଏହା ଭିତରେ ୧୦୫ଟି ସ୍ଥାନରେ ଦେଢ଼ ଲକ୍ଷରୁ ଗଛ ଲାଗିପାରିଛି। ୮୦ହଜାରରୁ ଅଧିକ ସ୍ବେଚ୍ଛାସେବୀ ଏହି ଅଭିଯାନରେ ଯୋଡ଼ି ହୋଇଥିବା ପ୍ରସିଦ୍ଧି କହିଥିଲେ। ୟୁଥ୍‌ ଫର୍‌ ସଷ୍ଟେନବିଲିଟିର ପ୍ରତିଷ୍ଠାତା ପୁଣ୍ୟଶ୍ଳୋକ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।