ଭୁବନେଶ୍ବର: ‘ପୁନଶ୍ଚ ପୃଥିବୀ’ ସମ୍ମିଳନୀରେ ଯୋଗଦେଲେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ପରିବେଶକୁ ନେଇ ସମ୍ବାଦ ପକ୍ଷରୁ କରାଯାଉଥିବା ଏହି ମହାନ ଅଭିଯାନରେ ସାମିଲ ହୋଇ ମନ୍ତ୍ରୀ କହିଛନ୍ତି- ବିକାଶର କଥା ଯେତେବେଳେ କୁହାଯାଏ, ସେତେବେଳେ ସୃଷ୍ଟିର କିଛି ନା କିଛି ନଷ୍ଟ ହେବାର ସମ୍ଭାବନା ଥାଏ । ଜଳବାୟୁ ପରିବର୍ତ୍ତନ ହୋଇଛି। ଏହା ଆମ ପାଇଁ ଏକ ବିରାଟ ଚାଲେଞ୍ଜ । ସୃଷ୍ଟିକୁ ଆମେ ବଞ୍ଚାଇବାର ଅଛି । ସୃଷ୍ଟିକୁ ଗୁରୁତ୍ବ ଦେଇ ମନ୍ତ୍ରୀ କହିଛନ୍ତି, ମୁଁ ବଞ୍ଚିଲେ ଯାଇ ଅର୍ଥନୀତି ଆଗକୁ ଗତି କରିବି । ଅଭିବୃଦ୍ଧି ଏବଂ ସ୍ଥାୟୀତ୍ୱ ମଧ୍ୟରେ ସନ୍ତୁଳନ ସୁନିଶ୍ଚିତ କରିବା ଆମର ଦାୟିତ୍ୱ । ସମାଜକୁ ଆଗକୁ ବଢ଼ାଇବା ସହ ଆମ ପରିବେଶକୁ ସୁରକ୍ଷା ଦେବା ଆମର ଗୁରୁ ଦାୟିତ୍ୱ ।
ଜଳବାୟୁ ପରିବର୍ତ୍ତନ ନେଇ ଆମ ବିଭାଗ କାନ୍ଧରେ ଗୁରୁ ଦାୟିତ୍ବ ରହିଛି । ସେ ଦିଗରେ ଆମ ସରକାର କାମ କରୁଛନ୍ତି । ଶିଳ୍ପ, ଖଣି ସହ ପରିବେଶର କେମିତି ସନ୍ତୁଳନ ରହିବ ସେ ନେଇ ଯୋଜନା ହୁଏ । ଆମ ବିଭାଗ ଓ ଆମ ସରକାର ପରିବେଶ ଏବଂ ଜଳବାୟୁକୁ ନେଇ କାମ କରୁଛନ୍ତି । ମାଆଙ୍କ ନାଁରେ ଯେଉଁ ଗଛ ବହୁ ପରିମାଣରେ ଲାଗିଲା ସମସ୍ତଙ୍କୁ ଧନ୍ୟବାଦ । ଏ ବର୍ଷ ବର୍ଷା ପ୍ରଚୁର ହୋଇଛି, ଯେଉଁଠି ଗଛ ପୋତିଲେ ବଞ୍ଚଯିବ । ଏକ୍ ପେଡ୍ ମା କେ ନାମରେ ଯେଉଁ ଗଛ ସବୁ ଲାଗିଛି କେମିତି ତାହା ବଞ୍ଚିକି ରହିବ ସେ ଦିଗରେ କାମ କରାଯାଉଛି । ସବୁ ବିଭାଗକୁ ଚିଠି ହେଉଛି । ଏଆଇ ଜଗିବ କେତେ ଗଛ ବଞ୍ଚିଛି ବୋଲି କହିଛନ୍ତି ମନ୍ତ୍ରୀ ।
ଦୁର୍ନୀତିମୁକ୍ତ ଶାସନ ଆମର ଲକ୍ଷ୍ୟ । ତେଣୁ ଜଙ୍ଗଲ ବିଭାଗରେ ଯଦି ସେମିତି କେହି ଦୁର୍ନୀତି କରନ୍ତି ତେବେ କାହାକୁ ଛଡାଯିବନି । ପ୍ରଦୂଷଣ ମୁକ୍ତ ଚାଷ ନେଇ ଲୋକଙ୍କ ଭିତରେ ସଚେତନତା ହେବା ଜରୁରୀ । ଦେଶୀ ଖତ, ଜୈବିକ ପଦ୍ଧତିରେ ଚାଷକୁ ଗୁରୁତ୍ବ ଦେବା ଦରକାର । ଅନେକ ଜିଲ୍ଲାର ଚାଷୀ ଗୋବର ଖତ ବ୍ୟବହାର କରିଥାନ୍ତି । ଅନ୍ୟ ଚାଷୀଙ୍କୁ ସେ ଦିଗରେ ସଚେତନ କରାଯାଉ ଏବଂ ସେମାନେ ବି ସେୟା କରନ୍ତୁ ବୋଲି ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ପୁନଶ୍ଚ ପୃଥିବୀ ନେଇ ମତ ରଖିଛନ୍ତି ମନ୍ତ୍ରୀ, କହିଛନ୍ତି- ଏହି ଅଭିଯାନକୁ କେମିତି ଶେଷ ବ୍ୟକ୍ତି ଯାଏଁ ପହଞ୍ଚାଇ ପାରିବା ତାହା ଆମ ପାଇଁ ଚାଲେଞ୍ଜ । ମୁଁ ପ୍ରତି ବର୍ଷ ପୁନଶ୍ଚ ପୃଥିବୀ ମିଟିଂରେ ସାମିଲ ହୁଏ, କାର୍ଯ୍ଯକ୍ରମରେ ଗଛ ଲଗାଇବାକୁ ପରାମର୍ଶ ଦିଏ । ଗଛ ଲଗାଇବା ପରେ ଗଛର ଅବସ୍ଥା କଣ, ତାର ଫଲୋଅପ୍ ସହ ରିପୋର୍ଟ ନେବା ଦରକାର ।
ପୁନଶ୍ଚ ପୃଥିବୀ ଅନେକ ଲୋକଙ୍କୁ ଛୁଇଁଛି । ସମ୍ବାଦ ପକ୍ଷରୁ ଏ କାର୍ଯ୍ଯକ୍ରମକୁ ସମସ୍ତେ ପସନ୍ଦ କରୁଛନ୍ତି । ପୁନଶ୍ଚ ପୃଥିବୀ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି । ଆମେ ସମସ୍ତେ ପରିବେଶ ପାଇଁ ତ୍ୟାଗ, ତପସ୍ୟା କରିବା । ଯଦି ଆମେ ପ୍ରତି ବର୍ଷ ପୂର୍ବଠାରୁ ୧୦ ଗୁଣା ଗଛ ଲଗାଇବା ତେବେ ବିକାଶ ପାଇଁ ଯେଉଁ କ୍ଷତି ହେଉଛି ତାହାର ଭରଣା ହେବ ଏବଂ ପୁନଶ୍ଚ ପୃଥିବୀ ସଫଳ ହେବ । ଗଛ ହିଁ ଜୀବନ ଭାବି- ଯୁବପିଢି, ଶିକ୍ଷିତ ସମାଜ ସମସ୍ତେ ଆଗେଇ ଆସନ୍ତୁ ।