ସମ୍ପ୍ରତି ଜଳବାୟୁ ସଂକଟ ଯୋଗୁଁ ପାଣିପାଗ ଢାଞ୍ଚାରେ ପ୍ରଭୂତ ପରିବର୍ତ୍ତନ ଘଟି ତାହା ଅପ୍ରତ୍ୟାଶିତ ହୋଇପଡ଼ିଥିବା ବେଳେ ଆମ ଦେଶରେ ‘ମିସନ୍‌ ମୌସମ୍‌’ ନାମରେ ଏକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହାଦ୍ବାରା କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଓ ମେସିନ୍‌ ଲର୍ଣ୍ଣିଂ ପରି ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ପାଣିପାଗକୁ ଠିକ୍‌ରେ ବୁଝିପାରିବା ସହ ସେ ସମ୍ପର୍କରେ ସଠିକ୍‌ ପୂର୍ବାନୁମାନ କରିହେବ ବୋଲି ଆଶା କରାଯାଉଛି। ଦେଶରେ ରାଡାର୍‌ ସଂଖ୍ୟା ବଢ଼ାଇବା, ଅଧିକ ନୂତନ କୃତ୍ରିମ ଉପଗ୍ରହ ଓ ସୁପର୍‌କମ୍ପ୍ୟୁଟର୍‌ ଉପଯୋଗ  କରିବା ଓ କୃତ୍ରିମ ଭାବରେ ମେଘ ସୃଷ୍ଟି କରିବାକୁ ସକ୍ଷମ ସ୍ବତନ୍ତ୍ର ବିଜ୍ଞାନାଗାର ପ୍ରତିଷ୍ଠା ଆଦି ଏହି ମିସନ୍‌ରେ ଅନ୍ତର୍ଭୁକ୍ତ। 

Advertisment

ଭୂବିଜ୍ଞାନ ମନ୍ତ୍ରଣାଳୟର କହିବା କଥା, ବାୟୁମଣ୍ଡଳର ଜଟିଳତା ସାଙ୍ଗକୁ ନିରୀକ୍ଷଣ ଓ ବିଶ୍ଳେଷଣ ପାଇଁ ଉପଲବ୍‌ଧ ସୀମିତ ସାଧନ ଯୋଗୁଁ ସମ୍ପ୍ରତି କ୍ରାନ୍ତିମଣ୍ଡଳୀୟ ପାଣିପାଗର ସଠିକ୍‌ ପୂର୍ବାନୁମାନ କରିବା ଏକ ଆହ୍ବାନ ପାଲଟିଛି। ପୁଣି ଜଳବାୟୁ ପରିବର୍ତ୍ତନ ବାୟୁମଣ୍ଡଳକୁ ଅଧିକ ବିଭ୍ରାଟ କରିଦେଉଛି। ଫଳରେ ସ୍ଥାନେ ସ୍ଥାନେ ଭୀଷଣ ବୃଷ୍ଟିପାତ ତ କେଉଁଠି ମରୁଡ଼ି ଦେଖାଦେଉଛି। ଭାରତରେ ଦେଖାଦେଉଥିବା ବାଦଲଫଟା ବର୍ଷା, ବଜ୍ରପାତ ଓ ବରଫପାତ ଆଦି କିଛି ଭୀଷଣ ପାଣିପାଗ ଘଟଣାବଳିକୁ କିଛି ମାତ୍ରାରେ ବୁଝିହେଉଛି। ସବୁ ଜଟିଳ ଢାଞ୍ଚାକୁ ବୁଝିବା ଲାଗି ବାୟୁମଣ୍ଡଳର ଉପରିଭାଗ, ସମୁଦ୍ର ଉପର ଓ ମେରୁ ଅଞ୍ଚଳର ମେଘଖଣ୍ଡ ଉପରେ, ଭିତରେ ଓ ବାହାରେ ସଂଘଟିତ ବିଭିନ୍ନ ପ୍ରକ୍ରିୟା ସମ୍ପର୍କରେ ବିଶଦ ଜ୍ଞାନ ରହିବା ଦରକାର। ସେଥିଲାଗି ଭୂପୃଷ୍ଠ ସ୍ତରରେ ଉଚ୍ଚ କ୍ଷମତାସଂପନ୍ନ ନିରୀକ୍ଷଣ ଜରୁରି ଏବଂ ପଞ୍ଚାୟତସ୍ତରୀୟ ପାଣିପାଗ ପୂର୍ବାନୁମାନ ପାଇଁ ୧୨ କି.ମି. ଭିତ୍ତିକ ଏନ୍‌ଡବଲ୍ୟୁପି ମଡେଲକୁ ୬ କି.ମି. ରିଜଲ୍ୟୁସନ୍‌ ବିଶିଷ୍ଟ କରିବାକୁ ହେବ। ଆଗାମୀ ଦେଢ଼ ବର୍ଷ ଭିତରେ ପୁଣେସ୍ଥିତ ଭାରତୀୟ ପାଣିପାଗ ବିଜ୍ଞାନ ପ୍ରତିଷ୍ଠାନରେ ଏକ ‘କ୍ଲାଉଡ୍‌ ଚାମ୍ବର’ ସ୍ଥାପନ କରାଯିବ ଯହିଁରେ କୃତ୍ରିମ ମେଘ ସୃଷ୍ଟି କରି ମେଘଖଣ୍ଡମାନଙ୍କରେ ସଂଘଟିତ ତାପମାତ୍ରା ବୃଦ୍ଧିଜନିତ ପ୍ରକ୍ରିୟାଗୁଡ଼ିକର ବିଶ୍ଳେଷଣ କରାଯାଇପାରିବ।

ଫଳରେ କେଉଁ ପ୍ରକାର ମେଘରେ କେଉଁ ପଦାର୍ଥ ମିଶାଇଲେ ତାହା ଉତ୍ତମ ବର୍ଷା ଦେଇପାରିବ ତାହା ନିର୍ଦ୍ଧାରିତ ହୋଇପାରିବ। ଏପରିକି ବର୍ଷା ବଢ଼ାଇବା ଅଥବା କମାଇବା ପାଇଁ କେତେ ପରିମାଣର ରାସାୟନିକର ଯୋଗଦାନ ରହିବ, ତାହା ମଧ୍ୟ ନିର୍ଣ୍ଣୟ କରିହେବ। ସର୍ବୋପରି କ୍ଷୁଦ୍ରରୁ ମଧ୍ୟମ ଧରଣର ପାଣିପାଗ ଘଟଣାବଳିର ସଠିକ ପୂର୍ବାନୁମାନ କରିବା ଏବଂ ପ୍ରମୁଖ ମେଟ୍ରୋ ସହରମାନଙ୍କରେ ବାୟୁ ମାନର ପୂର୍ବାନୁମାନ କରିବା ହିଁ ‘ମିସନ୍‌ ମୌସମ୍‌’ର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜଣେ ଅଧିକାରୀ କହିଛନ୍ତି।