ବଣାଇଗଡ଼: ଅତୀତରେ ବ୍ରାହ୍ମଣୀ ପାଣି ସ୍ବଚ୍ଛ ଓ ନିର୍ମଳ ଥିଲା। କିନ୍ତୁ କଳକାରଖାନାର ବର୍ଜ୍ୟଜଳ ମିଶିବା ଦ୍ବାରା ଏହା ପ୍ରଦୂଷିତ ହୋଇଛି। ମଣିଷ ନିଜ ସ୍ବାର୍ଥ ପୂରଣ ପାଇଁ ଯେଉଁ ସବୁ କାମ କରୁଛି ତାହା ପରିବେଶକୁ ନଷ୍ଟ କରୁଛି ଓ ପରେ ସେଥି ଯୋଗୁ ନିଜେ ହିଁ କଷ୍ଟ ଭୋଗୁଛି। ତେଣୁ ବ୍ରାହ୍ମଣୀଜଳ କେମିତି ପୁଣି ନିର୍ମଳ ହେବ ଓ ନିଜ ସ୍ବଚ୍ଛତା ଫେରିପାଇବ, ସେ ଦିଗରେ ସାମୂହିକ ଉଦ୍ୟମ ହେବା ଆବଶ୍ୟକ ବୋଲି ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା କହିଛନ୍ତି। 

Advertisment

ଶୁକ୍ରବାର ବ୍ରାହ୍ମଣୀ ନଦୀ କୂଳରେ ଆୟୋଜିତ ବଣାଇ ନିର୍ବାଚନମଣ୍ଡଳୀସ୍ତରୀୟ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଶ୍ରୀ ମୁଣ୍ଡା କହିଲେ, ଏବେଠୁ ଆମେ ସଚେତନ ନ ହେଲେ ପରିବେଶ ନିଶ୍ଚିତ ଧ୍ବଂସ ହେବ। ଅନ୍ୟ ଅଞ୍ଚଳ କଥା ଛାଡ଼ନ୍ତୁ, ଆମ ବଣାଇ ଉପଖଣ୍ଡରେ ଗତ କିଛିବର୍ଷ ମଧ୍ୟରେ ପରିବେଶ ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ଏଠି ଗଛ କଟାଗଲା, ଖଣି ଖୋଳାଗଲା, କଳକାରଖାନା ସ୍ଥାପନ ହେଲା। ଯାହାର ଫଳ ଏବେ ଭୋଗିବାକୁ ପଡ଼ୁଛି। ବହୁଲୋକ କିଡ୍‌ନି ରୋଗରେ ଆକ୍ରାନ୍ତ ହେଉଛନ୍ତି। ପୂର୍ବରୁ ଏଠି ହାତୀ ଦେଖିବା ସ୍ବପ୍ନ ଥିଲା। ଏବେ ବଣାଇ ସହର ଭିତରେ ହାତୀ ବୁଲୁଛନ୍ତି। ଜଳବାୟୁ ଓ ପରିବେଶ ବର୍ତ୍ତମାନ ସମୟର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ। ତୃଣମୂଳସ୍ତରରେ ସଚେତନତା ପାଇଁ ‘ସମ୍ବାଦ’ ପକ୍ଷରୁ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ବିଧାୟକ ଶ୍ରୀ ମୁଣ୍ଡା କହିଥିଲେ।

ବକ୍ତା ଭାବେ ବିଶିଷ୍ଟ ଶ୍ରମିକ ନେତା ପ୍ରମୋଦ ସାମଲ କହିଲେ, କେବଳ ଭାରତବର୍ଷ ନୁହେଁ, ସାରା ପୃଥିବୀରେ ଏବେ ପରିବେଶକୁ ନେଇ ଚିନ୍ତା। ନିକଟ ଅତୀତରେ କେରଳ, ହିମାଚଳ ସମେତ ଦେଶର ବିଭିନ୍ନ ସ୍ଥାନରେ ହୋଇଥିବା ଭୂସ୍ଖଳନ ଉଦ୍‌ବେଗର ବିଷୟ। ଭବିଷ୍ୟତରେ ଓଡ଼ିଶା ସମେତ ବିଭିନ୍ନ ସ୍ଥାନରେ ଏଭଳି ଭୂସ୍ଖଳନ, ଭୂମିକମ୍ପ ପରି ପ୍ରାକୃତିକ ବିପର୍ଯ୍ୟୟ ଘଟିପାରେ। ପୁଞ୍ଜିବାଦୀ ରାଷ୍ଟ୍ରମାନେ ନିଜେ ପରିବେଶକୁ ନଷ୍ଟ କରି ଏବେ ଅନ୍ୟ ବିକାଶଶୀଳ ଦେଶ ଉପରେ ପରିବେଶ ସୁରକ୍ଷା ପାଇଁ ଚାପ ପକାଉଛନ୍ତି। ବିଜ୍ଞାନର ଯେତେ ବିକାଶ ହେଉଛି, ପରିବେଶ ସେତେ ଧ୍ବଂସାଭିମୁଖୀ ହେଉଛି। ତେଣୁ ସେଥିପ୍ରତି ଯତ୍ନବାନ ହେବା ଦରକାର ବୋଲି ଶ୍ରୀ ସାମଲ କହିଥିଲେ। ଅନ୍ୟତମ ବକ୍ତା କୋଇଡ଼ା ‘କ’ ଜିଲ୍ଲା ପରିଷଦ ସଦସ୍ୟା ସୁଶୀଳା ମୁଣ୍ଡା କହିଲେ, ଗଛ ହେଉଛି ପ୍ରକୃତିର ଆଭୂଷଣ ଓ ସୌନ୍ଦର୍ଯ୍ୟର ଉପାଦାନ। ଗଛ ନରହିଲେ ଆମ ପୃଥିବୀ ଶ୍ରୀହୀନ ହୋଇଯିବ। ତେଣୁ ଆମେ ଗଛ ଲଗାଇବା ସହ ତାର ଯତ୍ନ କେମିତି ନିଆଯିବ ଶିଖିବା ଦରକାର। ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଲହୁଣିପଡ଼ା ବ୍ଲକ୍‌ ଅଧ୍ୟକ୍ଷା ସୁକୁମତି ମୁଣ୍ଡା ପରିବେଶ ପଞ୍ଚାୟତ ଆୟୋଜନ ନିମନ୍ତେ ‘ସମ୍ବାଦ’ର ଉଦ୍ୟମକୁ ପ୍ରଶଂସା କରିଥିଲେ। ପରିବେଶର ସୁରକ୍ଷା ପାଇଁ ସମସ୍ତେ ସମୟ ଦେବା ଦରକାର ବୋଲି କାର୍ଯ୍ୟକ୍ରମର ଅନ୍ୟତମ ଅତିଥି ଲହୁଣିପଡ଼ା ବ୍ଲକ୍‌ ଉପାଧ୍ୟକ୍ଷ ପଣ୍ଡିତ ମୁଣ୍ଡା କହିଥିଲେ।