ହିନ୍ଦୋଳ/ରାସୋଳ: ଗଛ ଲାଗୁଛି, ବଞ୍ଚୁନି। ବଞ୍ଚାଇବାକୁ ପ୍ରୟାସ ବି ହେଉନି। ଗଛଟିଏ ମରିଯାଉଥିବା ଦେଖି ବି କେହି ପାଣି ମୁନ୍ଦାଏ ଦେଉନାହାନ୍ତି। କିନ୍ତୁ ଗୁଳୁଗୁଳି, ଗରମରେ ସନ୍ତୁଳି ହେଲାବେଳେ ଆମେ ଚିତ୍କାର କରୁଛେ କାହିଁକି ବୃକ୍ଷ‌ରୋପଣ ହେଉନି? ପରିବେଶ ସନ୍ତୁଳନ ହରାଉଛି। ଜୀବଜଗତ ବିପଦମୁହଁରେ ପଡ଼ିଛି। ଏବେ ସମୟ ଆସିଛି ଆମ ପୃଥିବୀକୁ ପୁଣିଥରେ ସବୁଜ ସୁନ୍ଦର ଭାବେ ଗଢ଼ି ତୋଳିବାକୁ। ଆଜି ହିନ୍ଦୋଳ ନିର୍ବାଚନମଣ୍ଡଳୀରେ ‘ସମ୍ବାଦ’ ଗ୍ରୁପ୍‌ ପକ୍ଷରୁ ଆୟୋଜିତ ପରିବେଶ ପଞ୍ଚାୟତରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଧାୟିକା ସୀମାରାଣୀ ନାୟକ ଏହା କହିଛନ୍ତି। ଏହି ଅବସରରେ ସବୁଜ ହିନ୍ଦୋଳ ଗଠନ ପାଇଁ ସମସ୍ତଙ୍କ ସହଯୋଗ କାମନା କରିବା ସହିତ ଏଥି ନିମନ୍ତେ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ।

Advertisment

ରାସୋଳସ୍ଥିତ ଦାମିନୀ ପ୍ଲାଜାଠାରେ ଆଜି ପୂର୍ବାହ୍‌ଣରେ ଅନୁଷ୍ଠିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ନାୟକ ଯୋଗଦେଇ ସୁସ୍ଥ, ସୁନ୍ଦର ଓ ସବୁଜ ହିନ୍ଦୋଳ ଗଢ଼ିବା ଦିଗରେ ସମସ୍ତଙ୍କ ସହଯୋଗ ଦରକାର ବୋଲି କହିଥିଲେ। ସାରା ବିଶ୍ବରେ ଜଳବାୟୁ ପରିବର୍ତ୍ତନ ଚିନ୍ତ‌‌ାଜନକ ସ୍ଥିତି ସୃଷ୍ଟି କରିଛି। ଆଗରୁ ରାସ୍ତା କଡ଼ରେ ଗଛ ଦେଖିଲେ ଛାଇ ପାଇଁ ବାଟୋଇ ଅଟକି ଯାଉଥିଲା। କିନ୍ତୁ ଏବେ ନୂଆ ରାସ୍ତା ତିଆରି ପାଇଁ ସେ ସବୁ ଗଛ କାଟି ଦିଆଯାଉଛି। ଏହା ବଦଳରେ କେଉଁଠି ଗଛ ଲାଗୁଛି କେହି ଜାଣି ପାରୁନାହାନ୍ତି। ପରିବେଶର ସୁରକ୍ଷା ପାଇଁ ଜାତି, ଧର୍ମ, ବର୍ଣ୍ଣ, ରାଜନୈତିକ ଦଳ ନିର୍ବିଶେଷରେ ସମସ୍ତଙ୍କୁ ଏକାଠି ହେବାକୁ ପଡ଼ିବ ବୋଲି ଶ୍ରୀମତୀ ନାୟକ ଆହ୍ବାନ ଦେଇଥିଲେ। ବର୍ତ୍ତମାନ ଋତୁ ବଦଳିଗଲାଣି କହି ଆମେ ଋତୁକୁ ହଜାଇ ସାରିଲେଣି। ବର୍ଷକୁ ୬ଋତୁ ବଦଳରେ ବର୍ଷସାରା କେବଳ ଖରା ଅନୁଭୂତ ହେଉଛି। ନୂତନ ଜଙ୍ଗଲ ସୃଷ୍ଟି ପାଇଁ ଆମ ସମସ୍ତଙ୍କୁ ଉଦ୍ୟମ କରିବାକୁ ପଡ଼ିବ। ନଚେତ୍‌ ଆଜି ଯେମିତି ପାଣି କିଣି ପିଉଛେ, ସେମିତି ଦିନ କେଇଟା ପରେ ଗାଁରେ ବି ଅକ୍ସିଜେନ୍ କିଣିବାକୁ ପଡ଼ିବ ବୋଲି ବିଧାୟିକା କହିବା ସହିତ ‘ସମ୍ବାଦ’ର ଏଭଳି ଆୟୋଜନକୁ ସାଧୁବାଦ ଜଣାଇଥିଲେ। 

ପରିବେଶବିତ୍‌ ତଥା ଅବସରପ୍ରାପ୍ତ ଶିକ୍ଷକ ପ୍ରଫୁଲ୍ଲ କୁମାର ଦେହୁରୀ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇଥି‌ଲେ। ହାତୀ-ମଣିଷ ଲଢ଼େଇ ପରିବେଶ ଅସନ୍ତୁଳନର ଏକ ଚରମ ଉଦାହରଣ  ବୋଲି ସେ କହିଥିଲେ। କେବେ ମଣିଷ ହାତରେ ହାତୀ ମରୁଛି ପୁଣି କେବେ ହାତୀ ମଣିଷକୁ ମାରୁଛି। ଯାହାର କାରଣ ଖୋଜିବାକୁ କେହି ଚାହୁନାହାନ୍ତି। ଜଙ୍ଗଲରେ ଗଛ ନାହିଁ, ପିଇବାକୁ ପାଣି ନାହିଁ। ଢେଙ୍କାନାଳ ଜିଲ୍ଲାରେ ରାଜ୍ୟର ସର୍ବାଧିକ ହାତୀ-ମଣିଷ ସଂଘର୍ଷର କାହାଣୀ ନିତି ଦେଖିବାକୁ ପଡ଼ୁଛି। ହିନ୍ଦୋଳ ନିର୍ବାଚନମଣ୍ଡଳୀରେ ଏହାର ସ୍ଥିତି ଆହୁରି ସାଂଘାତିକ ବୋଲି ସେ କହିବା ସହିତ ପରିବେଶ ସନ୍ତୁଳନ ହରାଇବାକୁ କେବଳ ବିବର୍ତ୍ତନବାଦର ପ୍ରଭାବ କହି ନିଜକୁ ଆମେ ଦୋଷମୁକ୍ତ କରି ପାରିବା କି ବୋଲି ପ୍ରଶ୍ନ କରିଥିଲେ। ବସ୍ତୁବାଦୀ ନହୋଇ ବାସ୍ତବବାଦୀ ହେବାକୁ ଶ୍ରୀ ଦେହୁରୀ ଆହ୍ବାନ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ହିନ୍ଦୋଳ ବ୍ଲକ୍‌ ଉପାଧ୍ୟକ୍ଷ ବରୁଣ କୁମାର ସର ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକ୍ରମେ ବ୍ୟାପକ ବୃକ୍ଷରୋପଣ କରାଯାଉଛି। ସମସ୍ତେ ମିଶି ଏହାକୁ ବଞ୍ଚାଇବା ଦରକାର ବୋଲି କହିଥିଲେ। ତାପମାତ୍ରା ବୃଦ୍ଧିରୁ ବଞ୍ଚିବାକୁ ‌ହେଲେ ଏହା ହିଁ ଏକମାତ୍ର ପନ୍ଥା ବୋଲି ଶ୍ରୀ ସର କହିବା ସହ ଏହି କାର୍ଯ୍ୟକ୍ରମରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ।