ଗତ ମଙ୍ଗଳବାର ଦିନ ପରମାଣୁ ବୈଜ୍ଞାନିକମାନେ ସେମାନଙ୍କର ‘ପ୍ରଳୟର ଘଡ଼ି’କୁ ପୂର୍ବାପେକ୍ଷା ମଧ୍ୟରାତ୍ରିର ଆହୁରି ଅଧିକ ନିକଟତର କରିଦେଇଛନ୍ତି। ୟୁକ୍ରେନ୍‌ ଉପରେ ଆକ୍ରମଣ ଅବସରରେ ରୁଷିଆର ପରମାଣୁ ବିପଦ, ବିଶ୍ବର ଅନ୍ୟାନ୍ୟ ଉତ୍ତେଜନାପ୍ରବଣ ସ୍ଥାନରେ ଉଦ୍‌ବେଳନ, କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ସାମରିକ ପ୍ରୟୋଗ ଓ ପାଣିପାଗ ପରିବର୍ତ୍ତନ ଆଦିକୁ ବିଶ୍ବ ବିପର୍ଯ୍ୟୟର କାରଣ ଭାବେ ଏଥିରେ ଦର୍ଶାଯାଇଛି। 

Advertisment

‘ବୁଲେଟିନ୍‌ ଅଫ୍‌ ଦି ଆଟମିକ୍‌ ସାଇଣ୍ଟିଷ୍ଟ୍‌ସ’ ଦ୍ବାରା ବିନାଶର ତାତ୍ତ୍ବିକ ବିନ୍ଦୁ ଭାବରେ ଏହି ଘଡ଼ିକୁ ମଧ୍ୟରାତ୍ରିର ୮୯ ସେକେଣ୍ଡ୍‌ ପଛକୁ ସ୍ଥିର କରାଯାଇଛି, ଯାହା ଗତବର୍ଷ ତୁଳନାରେ ଏକ ସେକେଣ୍ଡ୍‌ ଅଧିକ। ଚିକାଗୋସ୍ଥିତ ଏହି ସଂସ୍ଥା ଶୀତଳ ଯୁଦ୍ଧର ଉତ୍ତେଜନା ମଧ୍ୟରେ ୧୯୪୭ ମସିହାରେ ଉକ୍ତ ଘଡ଼ି ପ୍ରସ୍ତୁତ କରିଥିଲା, ଯାହା ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ବିଶ୍ବକୁ ଧ୍ବଂସ କରିବା ପାଇଁ ମାନବଜାତି କେତେ ନିକଟତର, ସେ ବାବଦରେ ଜନସାଧାରଣଙ୍କୁ ସତର୍କ କରାଇବା ପାଇଁ ଉଦ୍ଦିଷ୍ଟ।

ମାନବଜାତି ଧ୍ବଂସର କେତେ ନିକଟତର, ସେ ନେଇ ସତର୍କ କରାଇବା ପାଇଁ ‘ପ୍ରଳୟର ଘଡ଼ି’ ପ୍ରସ୍ତୁତ କରାଯାଇଛି। ପରମାଣୁ ଅସ୍ତ୍ର, ସଂଘର୍ଷ, କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ସାମରିକ ପ୍ରୟୋଗ ଓ ପାଣିପାଗ ପରିବର୍ତ୍ତନ ମଣିଷକୁ ପ୍ରଳୟର ଆହୁରି ନିକଟତର କରିଦେଇଛି

ଚଳିତବର୍ଷର ଏଭଳି ନିଷ୍ପତ୍ତିକୁ ରୂପ ଦେଇଥିବା କାରଣଗୁଡ଼ିକ ମଧ୍ୟରେ ଆଣବିକ ବିପଦ, ଜଳବାୟୁ ପରିବର୍ତ୍ତନ, ଜୈବ ବିଜ୍ଞାନ ଅଗ୍ରଗତିର ସମ୍ଭାବ୍ୟ ଅପବ୍ୟବହାର ଏବଂ କୃତ୍ରିମ ବୁଦ୍ଧିମତ୍ତା ଭଳି ଅନ୍ୟାନ୍ୟ ଉଦୀୟମାନ ପ୍ରଯୁକ୍ତିବିଦ୍ୟା ଆଦି ରହିଛି। ‘ପ୍ରଳୟ ଘଡ଼ି’କୁ ମଧ୍ୟରାତ୍ରିର ୮୯ ସେକେଣ୍ଡ୍‌ ପାଖକୁ ଆଣିବା ସମସ୍ତ ବିଶ୍ବନେତାଙ୍କ ପାଇଁ ଏକ ଚେତାବନୀ ବୋଲି ‘ବୁଲେଟିନ୍‌’ର ବିଜ୍ଞାନ ଓ ସୁରକ୍ଷା ପରିଷଦ ଅଧ୍ୟକ୍ଷ ଡାନିଏଲ୍‌ ହୋଲ୍‌ଜ କହିଛନ୍ତି। ବିଶ୍ବକୁ ଧ୍ବଂସରୁ ପଛକୁ ହଟାଇବାର ମୁଖ୍ୟ ଦାୟିତ୍ବ ଆମେରିକା, ଚୀନ୍‌ ଓ ରୁଷିଆ ଉପରେ ରହିଛି ଏବଂ ସଦ୍ଭାବନାପୂର୍ଣ୍ଣ ଅନ୍ତଃରାଷ୍ଟ୍ରୀୟ ଆଲୋଚନା ଗୁରୁତ୍ବ ବହନ କରୁଛି। ୨୦୨୨ରେ ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ହେଉଛି ଦ୍ବିତୀୟ ବିଶ୍ବଯୁଦ୍ଧ ପରବର୍ତ୍ତୀ ସବୁଠୁ ରକ୍ତାକ୍ତ ସଂଘର୍ଷ। ଏଯାଏ ଯୁଦ୍ଧ ଲାଗିରହିବା ସହ ବାରମ୍ବାର ପରମାଣୁ ଧମକ ବିଶ୍ବକୁ ବିଚଳିତ କରୁଛି।

ସେହିପରି ଇସ୍ରାଏଲ-ଗାଜା ଯୁଦ୍ଧ ଏବଂ ଇରାନ୍‌ ସମେତ ଅନ୍ୟ ଦେଶଗୁଡ଼ିକ ମଧ୍ୟରେ ଆଞ୍ଚଳିକ ଶତ୍ରୁତା ଆଦି ମଧ୍ୟପ୍ରାଚ୍ୟ ଅସ୍ଥିରତାର ଅନ୍ୟତମ କାରଣ ସାଜିଛି। ତେଣେ ତାଇଵାନ୍‌ ନିକଟରେ ପରମାଣୁ ଅସ୍ତ୍ରସଂପନ୍ନ ଚୀନ୍‌ ସାମରିକ ଚାପ ବଢ଼ାଇଛି ଏବଂ ଉତ୍ତର କୋରିଆ ମଧ୍ୟ ନାନା କ୍ଷେପଣାସ୍ତ୍ର ପରୀକ୍ଷଣ ଚଳାଇଛି। ଉପରୋକ୍ତ ଯେ କୌଣସି କାରକ ମଧ୍ୟ ପରମାଣୁ ଯୁଦ୍ଧକୁ ଆମନ୍ତ୍ରଣ କରିପାରେ, ଯାହାର ଫଳାଫଳ ଅନିଶ୍ଚିତ ଓ ଭୀଷଣ ବିନାଶକାରୀ। ସମ୍ପ୍ରତି ଯୁଦ୍ଧକ୍ଷେତ୍ରରେ ଏଆଇର ଅଗ୍ରଗତି ଭବିଷ୍ୟତରେ ପରମାଣୁ ଅସ୍ତ୍ର ଉପରେ ତାହାର ପ୍ରୟୋଗର ଆଶଙ୍କା ଚିନ୍ତା ବଢ଼ାଇଦେଇଛି। ବୈଜ୍ଞାନିକମାନଙ୍କ ମତରେ, ଜଳବାୟୁ ପରିବର୍ତ୍ତନ ଝଡ଼କୁ ଆହୁରି ଭୀଷଣ କରୁଛି ଏବଂ ବନାଗ୍ନିର ଆଶଙ୍କା ବଢ଼ାଉଛି। ପବନ ଓ ସୌରଶକ୍ତିର ଅଭିବୃଦ୍ଧି ସତ୍ତ୍ବେ ବିଶ୍ବ ଜଳବାୟୁ ପରିବର୍ତ୍ତନର ଖରାପ ଦିଗଗୁଡ଼ିକୁ ରୋକାଯାଇପାରୁନାହିଁ।