ଖୋର୍ଦ୍ଧା: ଗତ ଶୀତଋତୁରେ ଚିଲିକାକୁ ରେକର୍ଡ ପରିମାଣର ବିଦେଶୀ ପକ୍ଷୀଙ୍କର ଆଗମନ ହୋଇଥିଲା। ବିଭାଗୀୟ ପକ୍ଷୀ ଗଣନା ରିପୋର୍ଟ ମୁତାବକ, ଗଲା ଶୀତଋତୁରେ ୧୮୭ ପ୍ରଜାତିର ପକ୍ଷୀଙ୍କୁ ଚିଲିକାରେ ଦେଖିବାକୁ ମିଳିଥିଲା। ମୋଟ ୧୧ଲକ୍ଷ ୩୭ ହଜାର ୭୫୯ ବିଦେଶୀ ପକ୍ଷୀ ଆସିଥିଲେ। ସେଥିରୁ ଅଧିକାଂଶ ପକ୍ଷୀ ଥିଲେ ନଳବଣରେ। ନଳବଣରେ ମୋଟ ୩ ଲକ୍ଷ ୪୭ ହଜାର ୨୮୦ ପକ୍ଷୀଙ୍କୁ ଠାବ କରାଯାଇଥିବା ଚିଲିକା ବନଖଣ୍ଡ ସୂତ୍ରରୁ ପ୍ରକାଶ। ତେବେ ବିଭିନ୍ନ କାରଣରୁ ଏହି ନଳବଣ ପକ୍ଷୀଙ୍କ ପାଇଁ ଅସୁରକ୍ଷିତ ହୋଇପଡ଼ୁଥିବା ପରିବେଶବିତ୍ମାନେ ମତ ଦିଅନ୍ତି। ନଳବଣ ଚାରିପାଖରେ ସିମେଣ୍ଟ୍ ଖୁଣ୍ଟ ପୋତି ତା’ର ସୀମା ନିର୍ଦ୍ଧାରଣ କରାଯିବା ସହିତ ନିଷିଦ୍ଧାଞ୍ଚଳ ଚିହ୍ନଟ କରାଯାଇଛି। ୱାଚ୍ ଟାୱାରରେ ବନ ବିଭାଗ ଜଗୁଛି। ତଥାପି ମାଛ ମାରିବା ପାଇଁ କିଛି ମତ୍ସ୍ୟଜୀବୀଙ୍କ ଅବାଧ ପ୍ରବେଶ ଯୋଗୁଁ ପକ୍ଷୀଙ୍କ ଆବାସ ପ୍ରତି ବିପଦ ସୃଷ୍ଟି କରିଛି।
ଫେରିଲା ‘ପଲାସା ଫିସ୍ ଇଗଲ୍’
ଆଇୟୁସିଏନ୍ (ଦି ଇଣ୍ଟରନ୍ୟାସ୍ନାଲ୍ ୟୁନିୟନ ଫର୍ କନ୍ଜରଭେସନ୍ ଅଫ୍ ନେଚର)ର ରେଡ୍ ତାଲିକାରେ ସ୍ଥାନିତ ହୋଇଥିବା ବିଲୁପ୍ତ ପ୍ରାୟ ପକ୍ଷୀ ‘ପଲାସା ଫିସ୍ ଇଗଲ୍’ ୧୦ବର୍ଷ ପରେ ଫେରିଥିଲା ଚିଲିକା। ଗୋଟିଏ ଦଶନ୍ଧି ପରେ ଚିଲିକା ମାଟିରେ ପାଦ ଥାପିଥିବା ପଲାସା ଫିସ୍ ଇଗଲ ହେଉଛି ମଙ୍ଗୋଲିଆ, ରୁଷ୍ ଦେଶର ପକ୍ଷୀ। ଚିଲିକାରେ ଏ ପକ୍ଷୀର ଗଲା ୧୦ବର୍ଷ ହେଲା ଦେଖା ନଥିବାବେଳେ ହଠାତ୍ ପୁନଃ ଆଗମନ ହୋଇଛି ବୋଲି ଚିଲିକା କର୍ତ୍ତୃପକ୍ଷ ଦର୍ଶାଇଛନ୍ତି। କିନ୍ତୁ ପକ୍ଷୀପ୍ରେମୀମାନେ ଏହି ପକ୍ଷୀ ଗଲା କିଛି ବର୍ଷ ହେଲା ଚିଲିକାକୁ ଆସୁଛି ବୋଲି ପ୍ରକାଶ କରିଛନ୍ତି। ଏହି ପକ୍ଷୀଙ୍କ ସଂଖ୍ୟା ଅତି ନଗଣ୍ୟ। ଏହି ପକ୍ଷୀର ପୁନଃ ଆଗମନ ଚିଲିକା ପାଇଁ ଆଉ ଏକ ସୁଖଦ ଖବର। ବିଦେଶାଗତ ପକ୍ଷୀବଂଶ ଏବେ ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ବେଳେ ଚିଲିକାର ଜୈବ ବିବିଧତା କେମିତି ଏହି ବିଲୁପ୍ତପ୍ରାୟ ପକ୍ଷୀଙ୍କୁ ନିଜ କୋଳକୁ ଟାଣି ଆଣୁଛି ଏହା ତାହାର ଗୋଟିଏ ଉଦାହରଣ।
ବନ ବିଭାଗର ଗୁଇନ୍ଦା ବିଫଳ
ଶିକାରୀଙ୍କ ପାଇଁ ଚିଲିକାରେ ଶହଶହ ପକ୍ଷୀଙ୍କ ଜୀବନ ଯାଉଛି। କିନ୍ତୁ, ବନ ବିଭାଗ ଏହାକୁ ରୋକିବାରେ ବିଫଳ। କାରଣ, ଚିଲିକାରେ ପକ୍ଷୀ ଶିକାର କରିବା ପାଇଁ ଶିକାରୀଙ୍କ ଗୁପ୍ତଚର ଯେତିକି ସଶକ୍ତ, ବନ ବିଭାଗର ଗୁଇନ୍ଦାଗିରି ସେତିକି ଦୁର୍ବଳ। ଫୁରାଡିନ୍ ନାମକ ଯେଉଁ କୀଟନାଶକରେ ପକ୍ଷୀଙ୍କୁ ହତ୍ୟା କରାଯାଉଛି, ତାକୁ ବିଛାଇବା ପାଇଁ ଶିକାରୀଙ୍କୁ ଚିଲିକାକୁ ଯିବାକୁ ପଡ଼େ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଚିଲିକାର ଯେଉଁ ଅଞ୍ଚଳରେ ପକ୍ଷୀ ଶିକାର ଜୋର୍ସୋର୍ ଚାଲିଛି, ସେହି ଅଞ୍ଚଳରେ ମଇଁଷି ଚରାଳି ବେଶ୍ ସକ୍ରିୟ। ଚିଲିକା କୂଳରେ ଥିବା ବନ୍ଧ ଉପରେ ପ୍ରାୟ ସବୁ ସମୟରେ ମଇଁଷି ଚରାଳିମାନେ ରହୁଛନ୍ତି। କେଉଁ ଶିକାରୀ କେତେବେଳେ ଚିଲିକା ଭିତରକୁ ଗଲା, ତା’ର ଖବର ଏହି ମଇଁଷି ଚରାଳିଙ୍କ ପାଖରେ ରହୁଛି। ଏମିତିକି, ବନ ବିଭାଗର କେଉଁ ଅଧିକାରୀ କେତେବେଳେ କେଉଁ ଆଡ଼କୁ ପାଟ୍ରୋଲିଂ କରିବାକୁ ଯାଉଛନ୍ତି ତାର ଖବର ମଧ୍ୟ ସେମାନଙ୍କ ପାଖରେ। ଏହି ମଇଁଷି ଚରାଳିମାନେ କିନ୍ତୁ ଶିକାରୀଙ୍କ ପାଇଁ କାମ କରନ୍ତି। ଚିଲିକା କୂଳରେ ମୋବାଇଲ୍ରେ ଯୋଗାଯୋଗ ମଧ୍ୟ ଅତି ସହଜ। ତେଣୁ ଟିକିନିଖି ଖବର ଶିକାରୀଙ୍କ ପାଖରେ ଏମାନେ ହିଁ ପହଞ୍ଚାଉଛନ୍ତି। କହିବାକୁ ଗଲେ ଶିକାରୀଙ୍କ ପାଇଁ ଏମାନେ ସୁରକ୍ଷା କବଚ ପାଲଟିଛନ୍ତି।
ପକ୍ଷୀଙ୍କୁ ଲୋଡ଼ା ବର୍ଷିକିଆ ସୁରକ୍ଷା
ପକ୍ଷୀଙ୍କ ପ୍ରତି ବିପଦର ଅନ୍ୟତମ କାରଣ ହେଉଛି ବର୍ଷର ଅଧା ଦିନ ପକ୍ଷୀ ସୁରକ୍ଷା ବାହିନୀର ଅନୁପସ୍ଥିତି। ଚିଲିକାକୁ ପକ୍ଷୀଙ୍କର ଆଗମନ ସାଧାରଣତଃ ଅକ୍ଟୋବର ମାସରୁ ଆରମ୍ଭ ହୋଇ ମାର୍ଚ୍ଚ ପର୍ଯ୍ୟନ୍ତ ଥାଏ। ଏହି ସମୟ ପାଇଁ ଚିଲିକାରେ ଠିକାରେ ପକ୍ଷୀ ସୁରକ୍ଷା ବାହିନୀ ନିୟୋଜିତ କରାଯାଉଛି। ଶୀତଋତୁ ପରେ ଯଦିଓ ଚିଲିକାରେ ପକ୍ଷୀଙ୍କ ସଂଖ୍ୟା ହ୍ରାସ ହୁଏ, କିନ୍ତୁ ସମାପ୍ତ ହୁଏ ନାହିଁ। କିନ୍ତୁ, ବନ ବିଭାଗ ଶୀତଋତୁ ପରେ ପକ୍ଷୀ ସୁରକ୍ଷା ବାହିନୀଙ୍କୁ କାମରୁ ହଟାଇ ଦେଉଛି। ସୁରକ୍ଷା ବାହିନୀର ଅନୁପସ୍ଥିତି ପକ୍ଷୀଙ୍କ ପାଇଁ ବଡ଼ ବିପଦ ଭାବେ ଠିଆ ହେଲାଣି।
କଇଁଫୁଲରେ ‘ଫୁରାଡିନ୍’ ବିପଦ
ଚିଲିକାର ପକ୍ଷୀ ମାରିବା ପାଇଁ ଶିକାରୀମାନେ ବ୍ୟବହାର କରୁଛନ୍ତି ‘ଫୁରାଡିନ୍’। ଏହା ହେଉଛି ଏକ କୀଟନାଶକ ଔଷଧ। ଯାହାକୁ ଧାନ ବିଲରେ କୀଟକୁ ମାରିବାରେ ବ୍ୟବହାର କରାଯାଏ। କିନ୍ତୁ, ଏହି କୀଟନାଶକ ପକ୍ଷୀଙ୍କ ବଂଶ ବୁଡ଼ାଇ ଦେବାକୁ ବସିଛି। ପକ୍ଷୀମାନେ ସାଧାରଣତଃ ଚିଲିକାରେ ଥିବା କଇଁଫୁଲ ଉପରେ ବସି ତାକୁ ଖାଇବାକୁ ଭଲ ପାଆନ୍ତି। ତେଣୁ ଶିକାରୀମାନେ କଇଁଫୁଲ ଉପରେ ଫୁରାଡିନ୍ ବିଷକୁ ଢାଳି ଚାଲି ଆସନ୍ତି। ପକ୍ଷୀ ଏହି ଫୁଲକୁ ଖାଇବା କ୍ଷଣି ଟଳି ପଡ଼ନ୍ତି। କିଛି ଦିନ ପୂର୍ବେ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଟାଙ୍ଗୀ ରେଞ୍ଜ୍ ଅନ୍ତର୍ଗତ ସୁଭଦ୍ରାଘେରି ଓ ମଙ୍ଗଳାଯୋଡ଼ି ପକ୍ଷୀ ବିହାର ଅଞ୍ଚଳରୁ ୩୨ଟି ମୃତ ପକ୍ଷୀ ଜବତ ଘଟଣା ତା’ର ପ୍ରମାଣ ଦେଇଥିଲା।
ପକ୍ଷୀ ଗୋଟାକୁ ଦେଢ଼ଶହରୁ ଦୁଇଶହ ଟଙ୍କା
ଚିଲିକାର ବିରଳ ପକ୍ଷୀଙ୍କୁ ମାରି ଅଳ୍ପ ଟଙ୍କାରେ ବିକ୍ରିବଟା ଚାଲିଛି। ଚିଲିକା ଅଞ୍ଚଳରେ ଏମିତି ପରିସ୍ଥିତି ହୋଇଛି ଯେ, ଏଠି ଗୋଟିଏ ଗୋଟିଏ ପକ୍ଷୀଙ୍କୁ ବ୍ରଏଲର କୁକୁଡ଼ାଠୁ ବି ଶସ୍ତାରେ ବିକ୍ରି କରାଯାଉଛି। ମାତ୍ର ୧୫୦ ରୁ ୨୦୦ ଟଙ୍କାରେ ପକ୍ଷୀ ବିକ୍ରି ଚାଲିଛି। ଟାଙ୍ଗୀ ବନାଞ୍ଚଳର ଅଭିମାନପୁର, ବାଲିପାଟପୁର ଅଞ୍ଚଳରେ ଏ ଧାରା ସବୁଠୁ ବେଶି। ଏମିତିକି, ଚିଲିକା ପକ୍ଷୀଙ୍କ ମାଂସ ବିଭିନ୍ନ ଢାବା ଓ ହୋଟେଲ୍ରେ ବିକ୍ରି ହେଉଛି।