ଭିତରକନିକା: “ପ୍ରକୃତି ତା’ ବାଟ ଦେଇ ଚାଲିବ। କେଉଁଠି ସମୁଦ୍ର କୂଳ ଖାଇବ; ଆଉ କେଉଁଠି ବଢ଼ିବ। ପ୍ରକୃତିକୁ ଚେନ୍‌ରେ ବାନ୍ଧି ହେବ ନାହିଁ। ସମୁଦ୍ରକୁ ଅଟକାଇବାକୁ ଆମକୁ ପାଚେରି ତିଆରି ନ କରି ହେନ୍ତାଳବନ ପରି ସବୁଜ ବନ୍ଧ ସୃଷ୍ଟି କରିବାକୁ ହେବ। ଯେଉଁଠାରେ ହେନ୍ତାଳବନ ସୁଯୋଗ ରହିଛି, ସେଠାରେ ଏ ସଂକ୍ରାନ୍ତରେ ପଦକ୍ଷେପ ନେବାର ବେଳ ଆସିଗଲାଣି। ସମୁଦ୍ରକୁ ରୋକିବାକୁ ଆଉ କ’ଣ କ’ଣ କରିବାକୁ ହେବ, ତାହା ବି ଦେଖିବାକୁ ପଡ଼ିବ। ଅନ୍ୟଥା ପ୍ରକୃତି ଏମିତି ନିଜର କୋପ ଦେଖାଇ ଚାଲିଥିବ।’’ କେନ୍ଦ୍ରାପଡ଼ାଜିଲ୍ଲା ରାଜନଗର ଅନ୍ତର୍ଗତ ଭିତରକନିକା ଠାରେ ‘ପୁନଶ୍ଚ ପୃଥିବୀ’ ଦ୍ବିତୀୟ ସଂସ୍କରଣ ଅବସରରେ ଆୟୋଜିତ ‘ଡରାଉଛି ସମୁଦ୍ର…..ବଦଳୁଛି ଉପକୂଳର ଚିତ୍ର’ ଶୀର୍ଷକ ଅଧିବେଶନରେ ଭାଗନେଇ ବିଶେଷଜ୍ଞମାନେ ଏଭଳି ମତ ରଖିଛନ୍ତି।

Advertisment

ରାଜନଗର ଡିଏଫ୍ଓ ସୁରେନ୍ଦ୍ର ଗୋପିନାଥ ଯାଦବ ଅତିଥି ବକ୍ତା ଭାବେ ଯୋଗଦେଇ କହିଲେ ଯେ  ଅର୍ଥନୀତି ଓ ବିକାଶ ଗୋଟିଏ ମୁଦ୍ରାର ଦୁଇପାର୍ଶ୍ବ ଭଳି। ଭିତରକନିକା ଜାତୀୟ ଉଦ୍ୟାନରେ ୩୨୨ଟି ଗାଁ ରହିଛି। ପୂର୍ବ ପାର୍ଶ୍ବରେ ସମୁଦ୍ର ଥିବା ବେଳେ ପଶ୍ଚିମରେ ଗାଁଗୁଡ଼ିକ ଅବସ୍ଥିତ। ପୂର୍ବ ପାର୍ଶ୍ବ ନଷ୍ଟ ହେଉଥିବା ଆମେ ଦେଖୁଛେ। ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବାରୁ ଜଙ୍ଗଲ ପାଇଁ ଏହା ବିପଦ ଆଣୁଛି। ସେପଟେ ୧୯୭୫ରେ ଅଭୟାରଣ୍ୟ ଘୋଷଣା ସମୟରେ ପଶ୍ଚିମ ପାର୍ଶ୍ବରେ ଯେତିକି ଲୋକ ରହୁଥିଲେ ଏବେ ତାହା ବହୁ ପରିମାଣରେ ବଢ଼ିଛି। କେବଳ ସେତିକି ନୁହେଁ, ସେମାନଙ୍କ ଜୀବିକା ଆମକୁ ଦେଖିବାକୁ ପଡ଼ୁଛି। ହେନ୍ତାଳବନ ସ୍ଥାନୀୟ ଲୋକଙ୍କ ଅର୍ଥନୀତି ଉନ୍ନତିରେ ପ୍ରଭାବ ପକାଉ ନ ଥିଲେ ମଧ୍ୟ ଅଧିକାଂଶ ଲୋକ ଆଜି ବି ହେନ୍ତାଳବନ ଉପରେ ନିର୍ଭରଶୀଳ ରହିଛନ୍ତି। ଜଙ୍ଗଲରେ ଶିକାର କରୁଛନ୍ତି। ଏବେ ଆମକୁ ଉଭୟ ପୂର୍ବ ଓ ପଶ୍ଚିମ ପାର୍ଶ୍ବରୁ ସୃଷ୍ଟି ହେଉଥିବା ଚାପକୁ ରୋକିବାକୁ ହେବ। ଲୋକଙ୍କୁ ଅନ୍ୟ କୌଣସି ଜୀବିକା ନ ଦେଲେ ସେମାନେ ଜଙ୍ଗଲ ଉପରେ ନିର୍ଭର କରିବେ। ଜଙ୍ଗଲ ଓ ସେମାନଙ୍କ ମଧ୍ୟରେ ବିବାଦ ବଢ଼ିବ। ତେଣୁ ପରିବେଶ ପର୍ଯ୍ୟଟନ ଆଦି କ୍ଷେତ୍ରରୁ ବିକଳ୍ପ ନିଯୁକ୍ତି ସୁଯୋଗ ସୃଷ୍ଟି ହେଲେ ଜଙ୍ଗଲ ଉପରୁ ଚାପ କମିବ।  ସେ ଆହୁରି କହିଥିଲେ, ଭିତରକନିକାର ଜୈବ ବିବିଧତା କମ୍‌ ରହିଥିଲେ ମଧ୍ୟ ତାହାର ଗୁରୁତ୍ବ ରହିଛି। ଜଙ୍ଗଲ ପାଇଁ ‘ଦାନା’ ବାତ୍ୟାରେ ଲୋକଙ୍କ ଜୀବନ ବଞ୍ଚିଗଲା। ବୋଲି ଡିଏଫ୍‌ଓ ମତ ରଖିଥିଲେ।  

ଅନ୍ୟତମ ଅତିଥି ବକ୍ତା ତଥା ‘ନେଚର୍ସ କ୍ଲବ’ର ସମ୍ପାଦକ ମଧୁସ୍ମିତ୍ ପତି କହିଲେ, ଗୋଟିଏ ସମୟରେ ବିଶେଷଜ୍ଞମାନେ କହୁଥିଲେ ସାତଭାୟାର ଏହି ଦୁର୍ଦିନ ପାଇଁ ପାରାଦୀପ ବନ୍ଦର ଦାୟୀ। ଏଥିରେ ସତ୍ୟତା ଥାଇପାରେ। କାରଣ ଗୋଟିଏ ଅଞ୍ଚଳ ଯୋଡ଼ି ହେଲେ ଆଉ ଗୋଟିଏ ଅଞ୍ଚଳ କଟିବ। ଏଥିପାଇଁ ଧର୍ଯ୍ୟହରା ହୋଇ କିଛି ନୂଆ ନିୟମ କରିବା ଠିକ୍‌ ନୁହେଁ। ୧୯୭୧ରୁ ଏପର୍ଯ୍ୟନ୍ତ ଆମେ ୧୦ଟି ବାତ୍ୟା ସାମ୍ନା କରିଛୁ। ଆଗକୁ ଆହୁରି ଦେଖିବା‌। ଏମିତି ଭାବେ ପିଢ଼ି ପରେ ପଢ଼ି ଦେଖିଚାଲିବା। ଆମେ ଏ ପୃଥିବୀର ମାଲିକ ନୁହେଁ। କେବଳ ତାହାକୁ ଧରି ରଖିବାକୁ ହେବ। ୧୯୯୯ ମହାବାତ୍ୟା ପରେ ଆମେ ସମୁଦ୍ର ସମ୍ପର୍କରେ ଅଧିକ କଥା ହେଉଛେ। କାରଣ ଆମ ଆଖି ଆଗରେ ପ୍ରାକୃତିକ ବିପର୍ଯ୍ୟୟ ପରି ଅନେକ ସମସ୍ୟା ଦେଖୁଛୁ। ସମୁଦ୍ରକୂଳରେ ବନ୍ଧ ବାନ୍ଧିବାକୁ ଯାଇ ପେଣ୍ଠ ଉପକୂଳରେ ଟ୍ୟୁବ୍‌ସ ଲଗାଯାଇଥିଲା। ମାତ୍ର କିଛି ଫଳ ହେଲା ନାହିଁ। ତାହା ଭାଙ୍ଗିଗଲା। ଭିତରକନିକାରେ ‘ଖୋଳା’ ଏକ ପତଳା ନଈ ଥିଲା। ସେଥିରେ ବୋଟ୍‌ ଯାଉଥିଲା। ଏବେ ଆମ ଆଖି ଆଗରେ ତାହା ବଡ଼ ନଈ ହୋଇଗଲାଣି ବୋଲି ଶ୍ରୀ ପତି କହିଥିଲେ। କନକ ନ୍ୟୁଜ୍‌ ଉପସ୍ଥାପିକା ସ୍ବସ୍ତିକା ପଣ୍ଡା ଅଧିବେଶନ ପରିଚାଳନା କରିଥିଲେ।

‘ଲୋକଙ୍କ ଜୀବିକା ପ୍ରଭାବିତ’

daddda

‘ଜୀବନ ଓ ଜୀବିକାର ଆହ୍ବାନ’ ଶୀର୍ଷକ ଦ୍ବିତୀୟ ଅଧିବେଶନରେ ବରିଷ୍ଠ ବୈଜ୍ଞାନିକ ସୁଧାକର କର ଅତିଥି ବକ୍ତା ଭାବେ ଯୋଗଦେଇ କହିଲେ, ୧୯୭୫ରେ ଭିତରକନିକାରେ ପ୍ରଥମ ଥର ପାଦ ଦେଇଥିଲି। ଡାଙ୍ଗମାଳ ମାଟି ସହ ଓତଃପ୍ରୋତ ଭାବେ ଜଡ଼ିତ ହୋଇ ରହିଛି। ଗ୍ରାମବାସୀ ବିଭିନ୍ନ ସମୟରେ ସହାୟତା ଯୋଗାଇ ଦେଇଛନ୍ତି। ଏବେ ସମୟ ବଦଳି ଯାଇଛି। ଜୀବନ ଜୀବିକା କିଛି ମାତ୍ରାରେ ପ୍ରଭାବିତ ହୋଇଛି। ଦେଶରେ ଥିବା ୨୬୦ ବର୍ଗ କିଲୋମିଟର ଲୁଣା ଜଙ୍ଗଲ ମଧ୍ୟରୁ ୨୧୦ ବର୍ଗ କିମି କେବଳ ଭିତରକନିକାରେ ରହିଛି। ଲୁଣା ଜଙ୍ଗଲ କେବଳ ବାତ୍ୟାକୁ ରୋକେ ନାହିଁ, ବରଂ ମାଟିକୁ ବାନ୍ଧି ରଖେ। ମାଛ, କଙ୍କଡ଼ା ରହୁଥିବାରୁ ଲୋକଙ୍କ ଜୀବନ ଜୀବିକାରେ ବେଶ୍‌ ସହାୟକ ହୋଇଥାଏ। ଏବେ ଜଙ୍ଗଲ ଧ୍ବଂସ ହୋଇଥିଲେ ମଧ୍ୟ ଭିତରକନିକା ବଞ୍ଚି ରହିଛି। ବନୀକରଣ ଦ୍ବାରା ଏବର୍ଷ ଜଙ୍ଗଲ ୮ ବର୍ଗ କିମି ବଢ଼ିଛି। ସାରା ଭାରତରେ ୧୭ ବର୍ଗ କିମି ବଢ଼ିଥିବା ବେଳେ ଭିତରକନିକାର ଭାଗ ଅଧିକ ରହିଛି। ତେଣୁ ଏହି ଜଙ୍ଗଲକୁ ସୁରକ୍ଷା ଦେଲେ ସମୁଦ୍ର ଉପକୂଳ ଦୀର୍ଘସ୍ଥାୟୀ ହେବ। ସୁନ୍ଦରବନ, ଭିତରକନିକା ଓ ଆଣ୍ଡାମାନରେ ଲୁଣା ଜଙ୍ଗଲ ରହିବା ସହ ଜୈବବିବିଧତା, ସରୀସୃପ, କୁମ୍ଭୀର ରହିଛନ୍ତି। ନ ହେଲେ ଅନ୍ୟାନ୍ୟ ରାଜ୍ୟଗୁଡ଼ିକର ଉପକୂଳ ନଷ୍ଟ ହୋଇଛି। ଯେଉଁଠି ‌ଲୁଣା ଜଙ୍ଗଲ ରହିଛି ସେଠାକାର ଅଞ୍ଚଳ ସମ୍ପୃଦ୍ଧ ବୋଲି ସେ କହିଥିଲେ।

aaxxa

ବାବା ବାଲୁଙ୍କେଶ୍ବର ଗ୍ରାମ୍ୟ ବିକାଶ ପରିଷଦର ପ୍ରତିଷ୍ଠାତା ଅମରେଶ ନରେଶ ସାମନ୍ତ କହିଲେ, ୧୯୯୨ରୁ ଭିତରକନିକାରେ କାମ ଆରମ୍ଭ କରିଥିଲି। ପ୍ରକୃତି ଓ ପରିବେଶର ସେବା ସହ ସବୁଜ ବଳୟ ସୃଷ୍ଟି କରିବାକୁ ସେବେଠାରୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଧାଡ଼ି ଧାଡ଼ି ଗଛ ଲଗାଉଥିଲୁ। ମାତ୍ର ୧୯୯୯ର ମହାବାତ୍ୟା ତାହାକୁ ନଷ୍ଟ କରି ଦେଲା। ସେବେଠାରୁ ନିଷ୍ପତ୍ତି ନେଇଥିଲୁ ଆଉ ପଛକୁ ଫେରିବା ନାହିଁ। ୨୦୦୫-୦୭ରେ ଗଛ ଲଗାଇବା ସମୟରେ ସ୍ଥାନୀୟ ଲୋକେ ହଇରାଣ କରୁଥିଲେ। ମାତ୍ର ସେମାନେ ପରିବେଶର ଉପକାରିତା ବୁଝିବା ପରେ ୨୦୧୨-୧୩ରୁ ଆଉ ଅସୁବିଧା କଲେ ନାହିଁ। ବ୍ୟକ୍ତିବିଶେଷଙ୍କୁ ସାମିଲ କରି ପାରାଦୀପ ଅଞ୍ଚଳରେ ପରିବେଶ ସୁରକ୍ଷା ଦିଗରେ କାମ କଲେ। ଗତ ୫ରୁ ୧୦ ବର୍ଷ ମଧ୍ୟରେ ନଦୀନାଳ, ରାସ୍ତାଘାଟ, ଯୋଗାଯୋଗର ମାଧ୍ୟମ ବଦଳିଯାଇଛି। ଆଗାମୀ ୧୦ ବର୍ଷ ମଧ୍ୟରେ ଅନେକ ପରିବର୍ତ୍ତନ ଆସିବ। ପାରାଦୀପ ମୁହାଣରେ ହେନ୍ତାଳବନ ସୃଷ୍ଟି ଦ୍ବାରା ପରିବେଶରେ ବ୍ୟାପକ ପରିବର୍ତ୍ତନ ଆସିଛି। ମହାନଦୀ କୂଳରେ କେତେ ହେନ୍ତାଳବନ ଲାଗିପାରିବ ବନ ବିଭାଗ ତାହା ସ୍ପଷ୍ଟ କରିବା ଆବଶ୍ୟକ। ପାରାଦୀପରେ ଜାହାଜ ଚଳପ୍ରଚଳ ବଢ଼ିବା ସହ ଯନ୍ତ୍ରଚାଳିତ ଡଙ୍ଗା ଚାଲିବା ଦ୍ବାରା ଜୀବିକା ପ୍ରଭାବିତ ହେଉଛି ବୋଲି ଶ୍ରୀ ସାମନ୍ତ କହିଥିଲେ। 

ଓଡ଼ିଶା ଜୀବିକା ମିସନର ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ କହିଲେ, ୨୦୦୯ରେ ଏଠାରେ କାମ କରିବା ସମୟରେ ତାଳଚୁଆ, ରଙ୍ଗଣୀରେ ସାଇକେଲ୍‌ରେ ବୁଲୁଥିଲୁ। ଏବେ ଯୋଗାଯୋଗର ମାଧ୍ୟମ ବଢ଼ିଛି। ଜୀବନ ଜୀବିକା ବହୁ ପରିମାଣରେ ପ୍ରଭାବିତ ହୋଇଛି। ଧାନ, ମୁଗ, ବିରି ହେଉନି। କେବଳ ଗୋଟିଏ ଚାଷ ହିଁ ହେଉଛି। ଲୁଣା ପାଣି ମାଡ଼ି ଆସୁଥିବାରୁ କେବଳ ଧାନ ଚାଷ କରାଯାଉଛି। ନାଲି ଚୁଡ଼ା ପାଇଁ ଆବଶ୍ୟକୀୟ ଧାନ ଆଉ କରାଯାଉ ନାହିଁ। ଯେଉଁମାନେ କରୁଛନ୍ତି ଖର୍ଚ୍ଚ ଅନୁଯାୟୀ, ଆୟ ହେଉନି। ପୋଖରୀ ଅଧିକ ତିଆରି ହେବା ସହ ଚିଙ୍ଗୁଡ଼ି ଚାଷ ହେଉଛି। ‌ତେବେ ଯେଉଁ ଚିଙ୍ଗୁଡ଼ି ଚାଷ ହେଉଛି ତାହା ବାହାର ସଂସ୍ଥା‌ କରୁଛନ୍ତି। ମାଛ ଏଠାକାର ଲୋକଙ୍କ ଜୀବିକା ଥିଲା। ଏବେ ଟ୍ରଲର ଆସିବା ଦ୍ବାରା ଲୋକଙ୍କ ଜୀବିକା ନଷ୍ଟ ହେଉଛି। ପାରମ୍ପରିକ କୃଷି ସହ ମାଟିର ଉର୍ବରତା ଯେପରି ଠିକ୍‌ ରହିବ ତାହାକୁ ପ୍ରାଥମିକତା ଦେବାକୁ ହେବ। ଛୋଟ ମାଛ ଚାଷୀ ଶୁଖୁଆ କରୁଛନ୍ତି। ତେଣୁ ସେମାନଙ୍କ ଜୀବିକା ଉନ୍ନତି କରିବା ଦିଗରେ ପ୍ରାଥମିକତା ଦେବାକୁ ପଡ଼ିବ ବୋଲି ସେ କହିଥିଲେ। ଏହି ଅଧିବେଶନକୁ ବକୁଳ ଫାଉଣ୍ଡେସନ୍‌ର ମୁଖ୍ୟ ସୁଜିତ୍‌ ମହାପାତ୍ର ପରିଚାଳନା କରିଥିଲେ।