ଅବିଭକ୍ତ କୋରାପୁଟ ଜିଲ୍ଲାକୁ ପ୍ରକୃତି ଅନେକ କିଛି ଦେଇଛି। ଅପରୂପ ସୌନ୍ଦର୍ଯ୍ୟ ସାଂଗକୁ ମଣିଷ ଓ ଜୀବଜନ୍ତୁଙ୍କୁ ଆହାର ଯୋଗାଇବା ପାଇଁ ମାଳଭୂମିରେ ପର୍ଯ୍ୟାପ୍ତ ସୁବିଧା ଦେଇଛି ପ୍ରକୃତି। ହେଲେ ମଣିଷ ଅଧିକ ଲୋଭରେ ପଡ଼ି ପ୍ରକୃତି ଉପରେ କରି ଚାଲିଛି ଅତ୍ୟାଚାର। ଫଳ ସ୍ବରୂପ ପ୍ରକୃତିର କୋପ ଦୃଷ୍ଟି ବି ପଡୁଛି। କେଉଁଠି ଜଳ ପ୍ରଳୟ ତ ଆଉ କେଉଁଠି ଭୂସ୍ଖଳନ ହେଉଛି। ଜଙ୍ଗଲ ଧ୍ବଂସ ଯୋଗୁଁ ବର୍ଷର ଅଧିକାଂଶ ଦିନ ଶୀତରେ ଥରୁଥିବା ମାଳଭୂମିରେ ଏବେ ପ୍ରଚଣ୍ଡ ତାତି ଅନୁଭୂତ ହେଉଛି। ମାଲକାନଗିରିରେ ଅହରହ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଥିବା ବେଳେ ରାୟଗଡ଼ା ଓ ଗଜପତି ଜିଲ୍ଲାରେ ବଂଶଧାରା ଡରାଉଛି। ମୃତ୍ତିକା କ୍ଷୟ ଯୋଗୁଁ ଉଭୟ କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ଭୂସ୍ଖଳନ ହେଉଛି। ମାଳଭୂମିରେ ପ୍ରକୃତି କାହିଁକି ତାଣ୍ଡବ ରଚୁଛି ? ପ୍ରକୃତିର ଆକ୍ରୋଶରୁ ବର୍ତ୍ତିବା ପାଇଁ କ’ଣ କରାଯିବା ଦରକାର ? ବେଳ ଥାଉଣୁ ପ୍ରତିକାର ନକଲେ ପରିସ୍ଥିତି ଆଗକୁ ଜଟିଳ ହେବ ବୋଲି ପରିବେଶବିତ୍‌ମାନେ ମତ ଦେଉଛନ୍ତି।

Advertisment

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ପାଇଁ ବିପଦ ପାଲଟିଛି ବଂଶଧାରା ଓ ନାଗାବଳୀ ନଦୀ। ଏକଦା ଏହି ଦୁଇ ନଦୀ ଜିଲ୍ଲା ପାଇଁ ଭାତହାଣ୍ଡି ପାଲଟିଥିଲା। ପ୍ରକଳ୍ପ ନିର୍ମାଣରେ ରାଜ୍ୟ ସରକାରଙ୍କ ସ୍ଥାଣୁତା ଓ ପ୍ରଶାସନିକ ଅବହେଳା କାରଣରୁ ଦୁଇ ନଦୀର ଜଳକୁ ବ୍ୟବହାର କରି ଫାଇଦା ଉଠାଇ ଚାଲିଛି ଆନ୍ଧ୍ର। ୩ ଦଶନ୍ଧିର ଦାବି ସତ୍ତ୍ବେ ଦୁଇ ନଦୀ ଉପରେ ଓଡ଼ିଶା ଗୋଟିଏ ବି ପ୍ରକଳ୍ପ ନିର୍ମାଣ କରିପାରିନି। ସେପଟେ ଆନ୍ଧ୍ର ଉଭୟ ନଦୀର ତଳମୁଣ୍ଡରେ ଗୋଟିଏ ପରେ ଗୋଟିଏ ବ୍ୟାରେଜ୍ ନିର୍ମାଣ କରି ଚାଲିଛି। ନଦୀ ଉପରେ ଆନ୍ଧ୍ରର ଅତ୍ୟାଚାର ପାଇଁ ଓଡ଼ିଶା ବନ୍ୟାର ଶିକାର ହେଉଛି। ବଂଶଧାରା ରାୟଗଡ଼ା ବ୍ଲକର ଗୁଣପୁର, ଗୁଡାରି, ପଦ୍ମପୁର, ମୁନିଗୁଡ଼ା ବ୍ଲକ୍ ସମେତ ଗଜପତି ଜିଲ୍ଲାର କାଶୀନଗର ବ୍ଲକକୁ ବୁଡ଼ାଉଛି। ସେହିପରି ନାଗାବଳୀ ପ୍ରତିବର୍ଷ କୂଳ ଖାଉଥିବାରୁ ନଦୀ ଆଁରେ ରହିଛି ରାୟଗଡ଼ା, କୋଲନରା, କଲ୍ୟାଣସିଂହପୁର ବ୍ଲକର ୧୦ଗାଁ।

ନାଗାବଳୀ କଳାହାଣ୍ଡି, ରାୟଗଡ଼ା ଜିଲ୍ଲା ସମେତ ଆନ୍ଧ୍ରରେ ପ୍ରବାହିତ ହୋଇଛି। ୨୫୬ କିମି ମଧ୍ୟରୁ ରାୟଗଡ଼ା ଜିଲ୍ଲାରେ ସର୍ବାଧିକ ୧୧୦ କିମି, କଳାହାଣ୍ଡିରେ ୫୧ କିମି ଏବଂ ବଳକା ୯୫ କିମି ଆନ୍ଧ୍ରପ୍ରଦେଶରେ ପ୍ରବାହିତ ହେଉଛି। ବଂଶଧାରା କଳାହାଣ୍ଡି, ରାୟଗଡ଼ା ଓ ଗଜପତି ଜିଲ୍ଲା ଦେଇ ପ୍ରବାହିତ ହେବା ପରେ ଆନ୍ଧ୍ରପ୍ରଦେଶର କଳିଙ୍ଗପାଟଣା ନିକଟରେ ବଙ୍ଗୋପସାଗରରେ ମିଶିଛି। ଉଭୟ ନଦୀର ଜଳ ପରିଚାଳନାରେ ଓଡ଼ିଶା ସରକାର ବିଫଳ ହୋଇଛନ୍ତି। ନାଗାବଳୀ ଉପରେ ବୃହତ୍‌ ଜଳସେଚନ ପ୍ରକଳ୍ପ ଓ ସୁରକ୍ଷା ବନ୍ଧ ନିର୍ମାଣ ପାଇଁ ନାବାର୍ଡକୁ ପ୍ରସ୍ତାବ ଯାଇଛି। ସେହିପରି କଲ୍ୟାଣସିଂହପୁର ବ୍ଲକର ଭେଜାରେ ଏକ ପ୍ରକଳ୍ପ ନିର୍ମାଣ ନିମନ୍ତେ ଯୋଜନା ହୋଇଥିଲା ମଧ୍ୟ କୌଣସି ଅଗ୍ରଗତି ହୋଇପାରିନି। ଆନ୍ଧ୍ର ପାର୍ବତୀପୁରମ ନିକଟସ୍ଥ ତୋଟାପଲ୍ଲୀରେ ବ୍ୟାରେଜ୍ ନିର୍ମାଣ କରି ୪୮ ହଜାର ହେକ୍ଟରରୁ ଊର୍ଦ୍ଧ୍ବ ଜମିକୁ ଜଳସେଚିତ କରୁଛି। ବର୍ଷା ଦିନେ ନାଗାବଳୀର ଗତିପଥ ବଦଳୁଥିବାରୁ ନଦୀ ଅବବାହିକାରେ ଥିବା କ୍ରିଷ୍ଣାପାତ୍ରଗୁଡ଼ା, ମାଲ୍ଲିଗାଁ, ମାରିଗୁଡା, ପ୍ରତାପପୁର, ଗୁରୁରାଜଗୁଡ଼ା ଆଉ କିଛି ବର୍ଷ ଭିତରେ ନଦୀଗର୍ଭରେ ଲୀନ ହୋଇଯିବ। ନଦୀକୂଳର ସୁରକ୍ଷା ପାଇଁ ୫୨ କୋଟିର ଯୋଜନା ହୋଇଛି। ଡିପିଆରକୁ ଉଚ୍ଚକ୍ଷମତା ସଂପନ୍ନ କମିଟି ଅନୁମୋଦନ ଦେଇଥିଲେ ମଧ୍ୟ ତାହା କେବଳ କାଗଜପତ୍ରରେ ସୀମିତ ରହିଛି। ଅନ୍ୟପଟେ ବଂଶଧାରାରେ ମଧ୍ୟ ଓଡ଼ିଶା ସରକାର ନଦୀବନ୍ଧ କରିବାରେ ସଫଳ ହୋଇନାହାନ୍ତି। ବଂଶଧାରା ଉପରେ ଓଡ଼ିଶାର ପାଣିଡଙ୍ଗର ବ୍ୟାରେଜ୍ ନିର୍ମାଣ ୨୦୦୯ ମସିହାରୁ ଶିଳାନ୍ୟାସ‌ରେ ସୀମିତ ରହିଛି। ବଂଶଧାରା-ଋଷିକୂଲ୍ୟା ନଦୀ ସଂଯୋଗୀକରଣ ମଧ୍ୟ ପ୍ରସ୍ତାବରେ ସୀମିତ ରହିଛି। ଆନ୍ଧ୍ର ବଂଶଧାରା ଉପରେ ଗୋଟା, ନେରେଡ଼ି ବ୍ୟାରେଜ୍ କରି ଫାଇଦା ଉଠାଉଛି। ଉପରମୁଣ୍ଡରେ ପାଣି ଜମୁଥିବାରୁ ପ୍ରତିବର୍ଷ ପ୍ରଭାବିତ ହେଉଛି କାଶୀନଗର ଓ ଗୁଣପୁର ବ୍ଲକ୍‌।