ସମ୍ପ୍ରତି ବିକାଶଶୀଳ ଦେଶମାନେ ଜଳବାୟୁ ପରିବର୍ତ୍ତନର ପ୍ରଭାବରୁ ଜୀବନ, ଜୀବିକା ଓ ଅର୍ଥନୀତିକୁ ସୁରକ୍ଷା ଦେବା ପାଇଁ ଅନୁକୂଳ ପଦକ୍ଷେପ ନେବା ନିମନ୍ତେ ସେମାନଙ୍କ ପାଖରେ ଖୁବ୍ କମ୍ ଅର୍ଥରାଶି ଉପଲବ୍ଧ ହେଉଛି ବୋଲି ମିଳିତ ଜାତିସଂଘ କ୍ଷୋଭ ପ୍ରକାଶ କରିଛି। ସେଥିପାଇଁ ୨୦୩୫ ସୁଦ୍ଧା ପ୍ରତିବର୍ଷ ଅତି କମ୍ରେ ୩୧୦ରୁ ୩୬୫ ବିଲିୟନ ଡଲାର ଅର୍ଥରାଶି ଆବଶ୍ୟକ ଥିବା ବେଳେ ବର୍ତ୍ତମାନ ମାତ୍ର ୨୬ ବିଲିୟନ ଡଲାର(୨୦୨୩ର ତଥ୍ୟ)ର ଆର୍ଥିକ ସହାୟତା ମିଳୁଛି ବୋଲି ଜାତିସଂଘର ଏକ ନୂତନ ରିପୋର୍ଟ ଦର୍ଶାଇଛି । ଏହା ଆବଶ୍ୟକତା ତୁଳନାରେ ୧୨-୧୪ ଗୁଣ କମ୍ ବୋଲି ମିଳିତ ଜାତିସଂଘ ସତର୍କ କରାଇଛି।
ଉକ୍ତ ରିପୋର୍ଟରେ କୁହାଯାଇଛି ଯେ ଯଦିଓ ଅନୁକୂଳନ ଯୋଜନା ଓ କାର୍ଯ୍ୟାନ୍ୱୟନରେ ଉନ୍ନତି ହେଉଛି, ତଥାପି ୨୦୨୫ ସୁଦ୍ଧା ଅନ୍ତର୍ଜାତୀୟ ସାର୍ବଜନୀନ ଅନୁକୂଳନ ପାଣ୍ଠିକୁ ୪୦ ବିଲିୟନ ଡଲାରକୁ ବୃଦ୍ଧି କରିବା ପାଇଁ ହୋଇଥିବା ଗ୍ଲାସ୍ଗୋ ଜଳବାୟୁ ଚୁକ୍ତିର ଲକ୍ଷ୍ୟ ହାସଲ ହେବ ନାହିଁ ଏବଂ ଏହି ବ୍ୟବଧାନ ଲକ୍ଷ ଲକ୍ଷ ଲୋକଙ୍କୁ ବନ୍ୟା, ଗ୍ରୀଷ୍ମ ପ୍ରବାହ ଓ ଝଡ଼ ଆଦି ଅଧିକ ବିପଦରେ ପକାଇବ। ଜଳବାୟୁ ପ୍ରଭାବ ତ୍ୱରାନ୍ୱିତ ହେଉଥିଲେ ହେଁ ଅନୁକୂଳନ ଅନୁଦାନ ବଢୁ ନଥିବାରୁ ବିଶ୍ୱର ସବୁଠାରୁ ଦୁର୍ବଳ ଦେଶଗୁଡ଼ିକ ସମୁଦ୍ର ପତ୍ତନ ବୃଦ୍ଧି, ଘାତକ ଝଡ଼ ଓ ପ୍ରଚଣ୍ଡ ଉତ୍ତାପର ସମ୍ମୁଖୀନ ହେଉଛନ୍ତି। ବ୍ରାଜିଲରେ ବାର୍ଷିକ ଜାତିସଂଘ ଜଳବାୟୁ ସମ୍ମିଳନୀ ପୂର୍ବରୁ ପ୍ରକାଶିତ ଏହି ରିପୋର୍ଟରେ ଏହା ମଧ୍ୟ ଦର୍ଶାଯାଇଛି ଯେ ୨୦୩୫ ସୁଦ୍ଧା ନୂତନ ଲକ୍ଷ୍ୟ ହାସଲ ପାଇଁ ବିକଶିତ ଦେଶଗୁଡ଼ିକୁ ବିକାଶଶୀଳ ଦେଶଗୁଡ଼ିକୁ ବାର୍ଷିକ ଅତି କମ୍ରେ ୩୦୦ ବିଲିୟନ ଡଲାର ପ୍ରଦାନ କରିବା ବାଞ୍ଛନୀୟ ଥିବା ବେଳେ କ୍ଷତି ଭରଣା ପାଇଁ ତାହା ବି ପର୍ଯ୍ୟାପ୍ତ ନୁହେଁ।
ରିପୋର୍ଟରେ କୁହାଯାଇଛି ଯେ ଯଦି ଗତ ଦଶନ୍ଧିର ମୁଦ୍ରାସ୍ଫୀତି ହାର ୨୦୩୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଏ, ତେବେ ବିକାଶଶୀଳ ଦେଶମାନଙ୍କ ପାଇଁ ଆବଶ୍ୟକ ଆନୁମାନିକ ଅନୁକୂଳନ ପାଣ୍ଠିର ଆକାର ୨୦୨୩ରେ ପ୍ରତିବର୍ଷ ୩୧୦ରୁ ୩୬୫ ବିଲିୟନ ଡଲାରରୁ ବୃଦ୍ଧି ପାଇ ୪୪୦ରୁ ୫୨୦ ବିଲିୟନ ଡଲାର ହୋଇଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/04/fjfshfsxvbvb-2025-11-04-00-58-22.jpg)