ବ୍ରହ୍ମପୁର: ଆମର ସୌଖୀନ ପାଇଁ ପରିବେଶ ବଦଳିଛି। ଜଳବାୟୁ ପରିବର୍ତ୍ତନ ବି ନିଶ୍ଚିତ ଭାବେ ନଦୀ ଓ ସମୁଦ୍ର ଉପରେ ପ୍ରଭାବ ପକାଇଛି। ସମୁଦ୍ର କୂଳ ଲଙ୍ଘି ଜନବସତି ଆଡକୁ ମାଡ଼ି ଆସିଲାଣି। ଅବାଧ ବାଲି ଚୋରାଚାଲାଣ, ଡ୍ୟାମ୍ ନିର୍ମାଣ ଯୋଗୁଁ ନଦୀ ଶୁଖିଲା ପଡ଼ୁଛି। ନଦୀ ତଳମୁଣ୍ଡରେ ପାଣି ପହଞ୍ଚୁ ନଥିବା ବେଳେ ଚାଷ ପାଇଁ ଜଳ ମିଳୁନାହିଁ। ପିଇବା ପାଣି ପାଇଁ ହାହାକାର ହେବାକୁ ପଡ଼ୁଛି। ଗତ ୧୦ ବର୍ଷ ଭିତରେ ଏହି ପରିବର୍ତ୍ତନ ଦେଖା ଦେଇଛି। ନଦୀକୁ ମାରି ଦିଆଯାଉଛି। ‘ବଦଳୁଛି ପରିବେଶ’ ସମ୍ପର୍କିତ ଆଲୋଚନାଚକ୍ରରେ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା ଓ ଅବସରପ୍ରାପ୍ତ ରେଞ୍ଜର୍ ଅନୁପମ ବାନାର୍ଜୀ ଯୋଗ ଦେଇ ଏଭଳି ମତବ୍ୟକ୍ତ କରିଛନ୍ତି।
ପ୍ରକୃତି ଓ ବିକାଶ ମଧ୍ୟରେ ସାମଞ୍ଜସ୍ୟ ରହିବା ଦରକାର
ମାଟି, ବାୟୁ ଓ ଜଳ ପ୍ରକୃତିର ତିନି ଉପାଦାନ ସମସ୍ତ ଜୀବଜଗତ ପାଇଁ ସମାନ। ହେଲେ ନଦୀକୁ ମାରି ଜଳସଙ୍କଟ ସୃଷ୍ଟି କରାଯାଉଥିବା ବେଳେ ଜଙ୍ଗଲ ନଷ୍ଟ କରିବା ଫଳରେ ମାଟି ଓ ବାୟୁ ଭଳି ଉପାଦାନ ମଧ୍ୟ ନଷ୍ଟ ହେଉଛି। ଗଂଜାମ ଜିଲ୍ଲାର ଜୀବନରେଖା ଋଷିକୁଲ୍ୟା ନଦୀ କଥା କହିଲେ, ବର୍ଷା ଦୁଇମାସକୁ ଛାଡ଼ିଦେଲେ ବର୍ଷର ଅନ୍ୟ ଦିନମାନଙ୍କରେ ଟୋପେ ପାଣି ଆସିନଥାଏ। ଏହି ନଦୀର ଉପନଦୀ ବଡ଼ନଦୀ, ଡହ, ଜରଉ, ଘୋଡ଼ାହାଡ଼, ଧନେଇ ଭଳି ନଦୀ ଅବସ୍ଥା ବି ସମାନ। ସବୁ ନଦୀରେ ଡ୍ୟାମ୍ ଯୋଗୁଁ ପ୍ରାକୃତିକ ଜଳଧାର ବନ୍ଦ ହୋଇଯାଉଛି। ଏବେ ପୁଣି ଶୁଖିଲା ପଡ଼ୁଥିବା ଋଷିକୁଲ୍ୟା ନଦୀ ଉପରେ ବନ୍ଦ ହୋଇ ରହିଥିବା ପିପଳପଙ୍କା ପ୍ରୋଜେକ୍ଟ କାର୍ଯ୍ୟକାରୀ ପାଇଁ ଯୋଜନା ହେଉଛି। ତେଣୁ କହିବାକୁ ଗଲେ ନଦୀକୁ ଏଠାରେ ସିଧାସିଧା ମାରି ଦିଆଯାଉଛି। ପ୍ରାକୃତିକ ଉପାୟରେ ପ୍ରବାହିତ ନଦୀସ୍ରୋତ ଆଉ ଦେଖିବାକୁ ମିଳିବ ନାହିଁ। ବିକାଶର ଆବଶ୍ୟକତାକୁ ପୂରଣ ପାଇଁ ପରିବେଶକୁ ଆମେ ନଷ୍ଟ କରିଦେଉଛେ।
ପ୍ରକୃତି ଓ ବିକାଶ ମଧ୍ୟରେ ସାମଞ୍ଜସ୍ୟ ରହିବା ଦରକାର। ନଦୀକୁ ମାରିବା କାହାର ଅଧିକାର ନାହିଁ ବୋଲି ଶ୍ରୀ ସାମନ୍ତରା କହିଥିଲେ। ହେଲେ ଏଭଳି ସଙ୍କଟ ସମୟରେ ପରିବେଶର ସୁରକ୍ଷା ପାଇଁ ଆମେ ଆମ ଅଭ୍ୟାସର ପରିବର୍ତ୍ତନ କରିବା ଏବଂ ପରିବେଶ ସୁରକ୍ଷା ଦିଗରେ ପ୍ରଣୀତ ଆଇନକୁ ମଧ୍ୟ ଗୁରୁତ୍ବାରୋପ କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା।