ସବୁଠାରୁ ନିରୀହ ତଥା ବିଶ୍ବସ୍ତ ସାମୁଦ୍ରିକ ପ୍ରାଣୀର ମାନ୍ୟତା ବହନ କରୁଥିବା ଡଲ୍ଫିନ୍ର ଫୁସ୍ଫୁସ୍ରେ ପ୍ରଥମ ଥର ପାଇଁ ଅଣୁପ୍ଲାଷ୍ଟିକ୍ ଠାବ ହୋଇଛି। ଆମେରିକାର ଦଳେ ଗବେଷକ ଫ୍ଳୋରିଡାର ସାରାସୋଟା ଉପସାଗର ପରି ସହରୀ ଇଲାକା ଓ ଲୁଇସିଆନାର ବାରାଟାରିଆ ଉପସାଗର ପରି ଗ୍ରାମୀଣ ଇଲାକାରେ ୧୧ଟି ବଟଲ୍ନେକ୍ ଡଲଫିନ୍କୁ ନମୁନା ରୂପେ ଛାଡ଼ିଥିବା ବେଳେ ସେମାନଙ୍କ ଶ୍ବାସକ୍ରିୟାରେ ଏଭଳି ଅଣୁପ୍ଲାଷ୍ଟିକ୍ ଆହରିତ ହୋଇଥିବା ଜାଣିବାକୁ ପାଇଛନ୍ତି।
ବିଶେଷ କରି ଅପେକ୍ଷାକୃତ କମ୍ ପ୍ରଦୂଷିତ ହୋଇଥିବା ଗ୍ରାମୀଣ ଇଲାକାର ଡଲଫିନ୍ଙ୍କ ଦେହରେ ଅଣୁପ୍ଳାଷ୍ଟିକ୍ ଅଧିକ ପରିମାଣରେ ରହିଥିବା ଦେଖିବାକୁ ମିଳିଛି। ସୁତରାଂ, ଡଲ୍ଫିନ୍ମାନେ ଶ୍ବାସକ୍ରିୟା ପାଇଁ ପାଣି ଉପରକୁ ଉଠିଲା ବେଳେ ବାୟୁମଣ୍ଡଳରେ ମିଶି ରହିଥିବା ଏହି ଅଣୁପ୍ଳାଷ୍ଟିକ୍ର ଟୁକୁରା ସେମାନଙ୍କ ଶରୀରରେ ପ୍ରବେଶ କରୁଛି ବୋଲି ଗବେଷକମାନେ ମତ ରଖିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବିଶ୍ବବ୍ୟାପୀ ମନୁଷ୍ୟଠାରୁ ଆରମ୍ଭ କରି ବନ୍ୟପ୍ରାଣୀ ଯାଏ ସମସ୍ତେ ଏହି ଅଣୁପ୍ଳାଷ୍ଟିକ୍ ରୂପକ କ୍ଷୁଦ୍ରାତିକ୍ଷୁଦ୍ର ପ୍ଳାଷ୍ଟିକ୍ କଣିକାର ପ୍ରଦୂଷଣର ଶିକାର ହୋଇ ଚାଲିଛନ୍ତି। ପାଣି, ପବନ ଓ ଖାଦ୍ୟ ଦ୍ବାରା ଏହି ଅଣୁପ୍ଲାଷ୍ଟିକ୍ ମନୁଷ୍ୟ ସମେତ ଜୀବଜନ୍ତୁଙ୍କ ଶରୀରରେ ପ୍ରବେଶ କରୁଛି। ମନୁଷ୍ୟ ଶରୀରରେ ଏହା ଫୁସ୍ଫୁସ୍ ସଂକ୍ରମଣ ଓ ଶ୍ବାସକ୍ରିୟାରେ ସମସ୍ୟା ପରି ନକାରାତ୍ମକ ପ୍ରଭାବ ପକାଉଛି।
ଏବେ ଅଣୁପ୍ଲାଷ୍ଟିକ ଗଭୀର ସମୁଦ୍ରରେ ବାସ କରୁଥିବା ଡଲ୍ଫିନ୍ ଶରୀରରେ ମଧ୍ୟ ପହଞ୍ଚିଗଲାଣି। ସଂପ୍ରତି ଏକ ପରୀକ୍ଷଣ କାଳରେ ଡଲଫିନ୍ର ଫୁସ୍ଫୁସ୍ରୁ କ୍ଷତିକାରକ ଅଣୁପ୍ଲାଷ୍ଟିକ୍ ମିଳିଛି। ଏହା ପରିବେଶ ବିଜ୍ଞାନୀଙ୍କୁ ଚିନ୍ତାରେ ପକାଇଛି।
ସେ ସମ୍ପର୍କରେ ବିଶଦ ଗବେଷଣା ଜାରି ରହିଥିବା ବେଳେ ପଶୁପକ୍ଷୀଙ୍କ ଶରୀରରେ ତାହାର ପ୍ରଭାବ ବାବଦରେ ଆଗରୁ କ୍ବଚିତ୍ ଅନୁଧ୍ୟାନ କରାଯାଇଛି। ସହରୀକରଣ ଓ ଉନ୍ନତୀକରଣ ନିର୍ବିଶେଷରେ ଏଭରେଷ୍ଟ ଶୃଙ୍ଗରେ ମଧ୍ୟ ପ୍ଳାଷ୍ଟିକ୍ର ଅବଶେଷ ଦେଖିବାକୁ ମିଳୁଛି। ପବନ ଦ୍ବାରା ପରିବାହିତ ଏହି ଅଣୁପ୍ଲାଷ୍ଟିକ୍ ଖଣ୍ଡଗୁଡ଼ିକ ଚାରିଆଡ଼େ ସଂକ୍ରମିତ ହେବାର ସହଜ ପନ୍ଥା ଧରିନେଇଛନ୍ତି। ତେବେ ଡଲ୍ଫିନ୍ ଦେହରେ ମିଳିଥିବା ପ୍ଲାଷ୍ଟିକ୍ ଖଣ୍ଡଗୁଡ଼ିକ ହେଉଛି ପଲିଷ୍ଟର୍ର ନମୁନା, ଯାହା ବିଶେଷ କରି ବସ୍ତ୍ର ନିର୍ମାଣରେ ବ୍ୟବହୃତ। ପଲିଷ୍ଟର୍ ପୋଷାକକୁ ବିଶେଷ କରି ଗରମ ପାଣିରେ ଧୋଇଲେ ବହୁ ପରିମାଣର ପ୍ଲାଷ୍ଟିକ୍ କଣିକା ନିର୍ଗତ ହୋଇଥାଏ।