ଭୁବନେଶ୍ବର : ଜଳବାୟୁ ସମସ୍ୟାର ମୁକାବିଲା କରିବାକୁ ହେଲେ ଓଡ଼ିଶାକୁ ପାରମ୍ପରିକ ଶିଳ୍ପ ବଦଳରେ ନବୀନ ବା ସନରାଇଜ୍ ଶିଳ୍ପ ଉପରେ ଗୁରୁତ୍ବ ଦେବାକୁ ହେବ ବୋଲି କହିଛନ୍ତି ଆଇଆଇଏମ ଅହମ୍ମଦାବାଦର ପ୍ରଫେସର ଅମିତ ଗର୍ଗ ।

Advertisment

ପୁନଶ୍ଚ ପୃଥିବୀ ସମ୍ମିଳନୀ ୨୦୨୫ରେ ଯୋଗ ଦେଇ ସେ କହିଛନ୍ତି ଯେ ଖଣିଜ ସଂପଦପୂର୍ଣ୍ଣ ରାଜ୍ୟ ଓଡ଼ିଶାରେ ଇସ୍ପାତ ଓ କୋଇଲା ବ୍ୟବହାର କରୁଥିବା ଶିଳ୍ପ ଅଛନ୍ତି । ସେମାନେ ନିଜର ପରିବେଶ ଅନୁକୂଳ ଟେକନଲୋଜୀ ଲାଗି ନିଜେ ନିବେଶ କରିପାରିବେ । ଟାଟା ଷ୍ଟିଲ ପରି କମ୍ପାନି ନିଜ ଇସ୍ପାତ ଉତ୍ପାଦନର କିଛି ଅଂଶ ଡିଆରଆଇ, ଇଲେକ୍ଚ୍ରିକ ଆର୍କ ଫର୍ଣ୍ଣେସ ଆଦି ଟେକନଲୋଜୀର ବ୍ୟବହାର କରିପାରିବେ । ସେହିପରି ଓଡ଼ିଶାକୁ  କୋଇଲା ଭିତ୍ତିକ ତାପଜ ବିଦ୍ୟୁତର ବିକଳ୍ପ ଚିନ୍ତା କରିବାକୁ ହେବ । ଓଡିଶାକୁ ପରମାଣୁ ଶକ୍ତି କଥା ଟିନ୍ତା କରିବାକୁ ପଡିବ ।

ସେ କହିଥିଲେ ଯେ ଓଡ଼ିଶା ସନରାଇଜ ଶିଳ୍ପ ଯେପରିକି ଇଭି, ନବୀକରଣ ଶକ୍ତିଶିଳ୍ପ, ଡାଟା ସେଣ୍ଟର, ଖାଦ୍ୟ ପ୍ରକ୍ରିୟାକରଣ, ସେମିକଣ୍ଡକ୍ଟର, ସାମୁଦ୍ରିକ ଆଦି ଶିଳ୍ପ ଆକୃଷ୍ଟ କରିବା ଉଚିତ୍ ।

ଏହି ଆଲୋଚନା ଚକ୍ରରେ ଅବଜରଭର ରିସର୍ଚ୍ଚ ଫାଉଣ୍ଡେସନ ମଧ୍ୟପୂର୍ବର ଉପଦେଷ୍ଟା ଡ.ଧ୍ରୁବ ପୁରକାୟସ୍ତ, ଏନଭାରମେଣ୍ଟ ଏଣ୍ଡ ଓ୍ବାଟର, ଦି ରିନେଓ୍ବଲ ଟିମ ଆଟ ଦି କାଉନସିଲ ଅଫ ଏନର୍ଜିର ପ୍ରୋଗ୍ରାମ ଲିଡ୍ ଗୁଞ୍ଜନ ଝୁନଝୁନଓ୍ବାଲା ଅଂଶଗ୍ରହଣ କରି ନିଜର ମତାମତ ରଖିଥିଲେ । ସିଏସଆଇର ନିର୍ଦ୍ଦେଶକ ଲାବଣ୍ୟ ଜେନା କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।