ଜଳେଶ୍ୱର: ଦିନେ ନଦୀ ଲୋକଙ୍କ ଜୀବନରେଖା ସାଜିଥିଲା। ଆଜି ଲୋକେ ନଦୀ ପାଇଁ ହିନସ୍ତା। ଦଳ‌ରେ ଭର୍ତ୍ତି ହୋଇ ଶଯ୍ୟା ପୋତି ହୋଇଯାଇଛି। ବର୍ଷା ଓ ବନ୍ୟାଜଳ ନିଷ୍କାସନ ହୋଇ ପାରୁନି। ଜଳସେଚନ ସ୍ବପ୍ନ ପାଲଟିଛି। ଜୀବିକା ବୁଡ଼ିବା ସହ ଚାଷ ଉଜୁଡ଼ୁଛି। ଏପରି ସ୍ଥିତି ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ବସ୍ତା ଓ ବାଲିଆପାଳ ବ୍ଲକ୍‌ରେ ପ୍ରବାହିତ ପଳପଳା ନଦୀ କ୍ଷେତ୍ରରେ। ଜଳେଶ୍ୱର ବ୍ଲକ୍‌ ମହାବିଳପାଟଠାରୁ ପଳପଳା ନଦୀ ବାହାରିଛି। ବସ୍ତା ଓ ବାଲିଆପାଳ ବ୍ଲକ୍‌ ଦେଇ ପ୍ରବାହିତ ହୋଇଛି। ୪୦ କିମି ଦୂର ଯିବା ପରେ ବାଲିଆପାଳ ଶଙ୍ଖୁଆ ନିକଟ ଓଡ଼ିଶା କୋଷ୍ଟ କେନାଲ୍‌ରେ ମିଶିଛି।

Advertisment

ଏକଦା ଏହି ନଦୀ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ବର୍ଷା ଓ ବନ୍ୟାଜଳ ନିଷ୍କାସନ  ସହ ଚାଷଜମିକୁ ଜଳସେଚନ ସୁବିଧା ମିଳୁଥିଲା। ସେହିପରି ମତ୍ସ୍ୟଜୀବୀମାନେ ନଦୀରୁ ମାଛ ମାରି ପରିବାର ପ୍ରତିପୋଷଣ କରୁଥିଲେ। ମାତ୍ର ଗତ ୨ ଦଶନ୍ଧିରୁ ଅଧିକ ହେବ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ନଦୀଶଯ୍ୟା ପୋତି ହୋଇଯାଇଛି। ବିଲାତି ଦଳ ଯୋଗୁଁ ନଦୀତଟ ଅଞ୍ଚଳରେ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। କେତେକ ସ୍ଥାନରେ ନଦୀଶଯ୍ୟା ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି। ନଦୀର ଆଡ଼ିବନ୍ଧ ମଧ୍ୟ ଧୀରେ ଧୀରେ ନିଶ୍ଚିହ୍ନ ହେବାକୁ ବସିଛି। ଫଳରେ ନଦୀ ଅବବାହିକା ଅଞ୍ଚଳରେ ଥିବା ବସ୍ତା ବ୍ଲକ୍‌ ଅଧୀନ ପୁଟୁରା, ନାଇକୁଡ଼ି, ଦରଡ଼ା, ମୁକୁଳିସି, କୁଳିଦା, ସାହାଡ଼ା, ଇଡ଼ଦା ଏବଂ ବାଲିଆପାଳ ବ୍ଲକ୍‌ ଅଧୀନ କୁଣ୍ଡଳି ପଞ୍ଚାୟତର ମୋଟ ୪୦ରୁ ଅଧିକ ଗ୍ରାମର ଲୋକେ ଦୁର୍ଦ୍ଦଶା ଭୋଗୁଛନ୍ତି। ବର୍ଷା ଓ ବନ୍ୟାଜଳ ନିଷ୍କାସିତ ହୋଇ ନପାରି ଯନ୍ତ୍ରଣା ଦେଉଛି। ହଜାର ହଜାର ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହେଉଛି। ବିଶେଷ କରି ବସ୍ତା ବ୍ଲକ୍‌ ପୁଟୁରା ପଞ୍ଚାୟତ ଅଧୀନ ପୁଟୁରା, ବାଲିସାହି ଓ କମାରଗଡ଼ିଆ ଗାଁ’ର ୪ ଶହ ହେକ୍ଟର ଜମିର ଖରିଫ ଚାଷ ପ୍ରଭାବିତ ହେଉଛି ବୋଲି ପ୍ରାକ୍ତନ ବ୍ଲକ୍‌ ଅଧ୍ୟକ୍ଷ ଲକ୍ଷ୍ମୀଧର ଦାସ, ସମାଜସେବୀ ଭଜହରି ପରିଡ଼ା, ଅନିରୁଦ୍ଧ ପ୍ରଧାନ, ହରିଶ୍ଚନ୍ଦ୍ର ବେହେରା ପ୍ରମୁଖ ପ୍ରକାଶ କରିଛନ୍ତି।

ଉଲ୍ଲେଖ ଥାଉକି; ପଳପଳା ନଦୀର ପୁନରୁଦ୍ଧାର ପାଇଁ ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର ବିଧାନସଭାରେ ଏକାଧିକବାର ଦାବି ଉପସ୍ଥାପନ କରିଛନ୍ତି। ହେଲେ ଏଯାଏ କିଛି ବି ଫଳ ମିଳିନି। ଏନେଇ ବସ୍ତାସ୍ଥିତ ଜଳସଂପଦ ବିଭାଗ କନିଷ୍ଠ ଯନ୍ତ୍ରୀ ହିମାଂଶୁ ଶେଖର ମହାନ୍ତି କହିଛନ୍ତି, ପଳପଳା ନଦୀର ପୁନରୁଦ୍ଧାର ପାଇଁ ୧୧ କୋଟି ୭୦ ଲକ୍ଷ ଟଙ୍କାର ଏକ ଯୋଜନା ପ୍ରସ୍ତୁତ ହୋଇ ବିଭାଗୀୟ ମୁଖ୍ୟଯନ୍ତ୍ରୀଙ୍କ ନିକଟରେ ଟେଣ୍ଡର ପର୍ଯ୍ୟାୟରେ ରହିଛି। ଯୋଜନା କାର୍ଯ୍ୟକାରୀ ହେଲେ ନଦୀ ଦରଡ଼ାଠାରୁ ଶଙ୍ଖୁଆ ଯାଏଁ ୧୬ କିମି ଅଞ୍ଚଳରେ ନଦୀଶଯ୍ୟା ଖନନ ସହ ସ୍ଲୁଇସ୍‌, ପୋଲ, କଲ୍‌ଭର୍ଟ ଓ ଆଡ଼ିବନ୍ଧ ନିର୍ମାଣ ହେବ। ସେହିପରି କୁଶିଦା ଓ ଶଙ୍ଖୁଆଠାରେ ଶହେ ଏକର ଜମିକୁ ଜଳସେଚନ ବ୍ୟବସ୍ଥା ସହ ବସ୍ତା ଓ ବାଲିଆପାଳ ବ୍ଲକ୍‌ର ୧୮ଟି ଗାଁ’ରୁ ଜଳ ନିଷ୍କାସନ ନେଇ କାମ କରାଯିବ।