‘ଜଳବାୟୁ ପରିବର୍ତ୍ତନ; ଏକ ଜଳବାୟୁ ସ୍ଥିର କୃଷି ଦିଗରେ’ ଶୀର୍ଷକ ଆଲୋଚନା ଚକ୍ରରେ ଜୈବିକ କୃଷି ଓ ଜୈବ ବିବିଧତା ସଂରକ୍ଷଣ ନେତ୍ରୀ ପଦ୍ମଶ୍ରୀ ସାବରମତୀ କହିଲେ, ପରିବେଶ ବିପର୍ଯ୍ୟୟକୁ ସହିପାରୁଥିବା ଧାନ ଚାଷ ଦରକାର।  ଫସଲର ବିଭିନ୍ନ ପ୍ରଜାତି ରହିଛି। ଭିନ୍ନ ଭିନ୍ନ ଫସଲ ଅଲଗା ଅଲଗା ସ୍ଥିତିରେ ହୋଇଥାଏ। ଗୋଟିଏ ପ୍ରକାର ଚାଷ ମଡେଲ ହେଉଛି ଦୋଷଯୁକ୍ତ। ଯଦି କୌଣସି ବର୍ଷ ପ୍ରବଳ ବର୍ଷା, ଅଦିନିଆ ବର୍ଷା କିମ୍ବା ପୋକ ଲାଗେ ତେବେ ଏଭଳି ଚାଷୀ ସମସ୍ୟାର ସମ୍ମୁଖୀନ ହୋଇଥାଏ। ତେଣୁ ମିଶ୍ରିତ ଫସଲ ଆବଶ୍ୟକ। ରାଜ୍ୟରେ ଜୈବିକ କୃଷି ଉପରେ ଗୁରୁତ୍ବ ଦିଆଯାଉଛି। ସରକାର ଏହା ଉପରେ ପଦକ୍ଷେପ ଗ୍ରହଣ କରନ୍ତୁ। ‘ସମ୍ଭବ’ ଅନୁଷ୍ଠାନ ପକ୍ଷରୁ ଜୈବିକ ମହାପ୍ରସାଦ ଉପରେ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ସରକାର ପଦକ୍ଷେପ ଗ୍ରହଣ କରଥିବା ସେ କହିଥିଲେ। 
କୃଷି ସମ୍ଭକାର ନଟବର ଖୁଣ୍ଟିଆ କହିଲେ, ଓଡ଼ିଶାରେ ସବୁଥାଇ ମଧ୍ୟ କୃଷିରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ପଛରେ ପଡ଼ିଛି। ରାଜ୍ୟରେ ବୈଷୟିକ ଜ୍ଞାନକୌଶଳର ଅଭାବ ନାହିଁ ମାତ୍ର ଚାଷ କ୍ଷେତ୍ରକୁ ଜ୍ଞାନକୌଶଳ ହସ୍ତାନ୍ତର ହେବା ଜରୁରି। ଜୈବିକ କୃଷି ଓ ଦେଶୀ ବିହନ ଜରିଆରେ ହେଉଥିବା ଚାଷ ସ୍ବାଗତଯୋଗ୍ୟ। ମାତ୍ର ଜୈବିକ କୃଷି ଦ୍ବାରା ସମସ୍ତଙ୍କୁ ଖାଦ୍ୟ ଯୋଗାଇବା ସମ୍ଭବ ନୁହେଁ। ଏହାଦ୍ବାରା କେବଳ କିଛି ଲୋକ ଜୈବିକ କୃଷି ଦ୍ବାରା ଉତ୍ପାଦିତ ସ୍ବାସ୍ଥ୍ୟ ଉପଯୋଗୀ ଖାଦ୍ୟ ପାଇପାରିବେ। 

Advertisment

ପରିବେଶବିତ୍ ଜୟକୃଷ୍ଣ ପାଣିଗ୍ରାହୀ କହିଥିଲେ, ଜଳବାୟୁକୁ ସହୁଥିବା ଚାଷ ପ୍ରତି ପ୍ରାଥମିକତା ଦିଆଯିବା ଉଚିତ୍। ମୃତ୍ତିକା ପରୀକ୍ଷାକୁ ଚାଷୀ ଗୁରୁତ୍ବ ଦିଅନ୍ତି ନାହିଁ। ଚାଷୀ ନିଜର ମାଟି ଓ ପାଣିପାଗ ଅନୁସାରେ ଚାଷ କରିବା ଆବଶ୍ୟକ। ରାଜ୍ୟସ୍ତରରେ ଜଳବାୟୁ ସ୍ମାର୍ଟ ଗ୍ରାମ ପ୍ରତିଷ୍ଠା ଦିଗରେ ସରକାର ପଦକ୍ଷେପ ନିଅନ୍ତୁ। ଜଳବାୟୁ ସହନଶୀଳ ବିହନର ଚିହ୍ନଟ ସହ କୃଷକଙ୍କୁ ଏଥିରେ ସାମିଲ କରାଯାଉ। ଫଳରେ ରାଜ୍ୟସ୍ତରୀୟ ଏ ସଂପର୍କିତ ନୀତି ପ୍ରଣୟନ ସମୟରେ ଏହା ସହାୟକ ହୋଇପାରିବ। କନକ ନ୍ୟୁଜ୍‌ର ଅନୁଜ ଦାସ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।