ଉତ୍ତରାଖଣ୍ଡ ଅନ୍ତର୍ଗତ କୁମାୟୁଁ ହିମାଳୟର ବାଗେଶ୍ବର ପାର୍ବତ୍ୟ ଅଞ୍ଚଳରେ ଏକ ବିରଳ ଦୃଶ୍ୟ ପରିବେଶବିତ୍‌ମାନଙ୍କୁ ବିସ୍ମିତ କରିଛି। ସମୁଦ୍ର ପତ୍ତନରୁ ପ୍ରାୟ ୬,୫୦୦ ଫୁଟ୍ ଉଚ୍ଚ ଅଞ୍ଚଳରେ ଜାତୀୟ ପକ୍ଷୀ ‘ମୟୂର’ର ଉପସ୍ଥିତି ଭିନ୍ନ ବାର୍ତ୍ତା ଦେଇଛି। ପ୍ରାୟ ଦୁଇ ମାସ ତଳେ ବାଗେଶ୍ବର ଠାରୁ ପ୍ରାୟ ୩୦ କି.ମି. ଦୂର କାଫଲିଗାଇର (ସମୁଦ୍ର ପତ୍ତନରୁ ପ୍ରାୟ ୫,୨୦୦ ଫୁଟ୍ ଉଚ୍ଚ) ଅଞ୍ଚଳରେ ସ୍ଥାନୀୟ ଲୋକେ ଏକ ମୟୂରକୁ ଠାବ କରିଥିଲେ। ଖବର ପାଇ ବନବିଭାଗ ଏହାର ଗତିବିଧି ଉପରେ ନଜର ରଖିବା ଲାଗି କ୍ୟାମେରାମାନ ଖଞ୍ଜିଥିଲା। ତେବେ ନିକଟରେ ତାହାଠାରୁ ଅଧିକ ଉଚ୍ଚ ବାଗେଶ୍ବରରେ ମଧ୍ୟ ମୟୂରର ଉପସ୍ଥିତି ପକ୍ଷୀବିଜ୍ଞାନୀମାନଙ୍କୁ ଦ୍ବନ୍ଦ୍ବରେ ପକାଇଛି।

Advertisment

କାରଣ, ସାଧାରଣତଃ ସମୁଦ୍ର ପତ୍ତନରୁ ମାତ୍ର ୧,୬୦୦ ଫୁଟ୍‌ ଉଚ୍ଚ ନିମ୍ନ ଜଙ୍ଗଲ ଅଞ୍ଚଳରେ, ବିଶେଷ କରି ଉଷ୍ମ ସମତଳମାନଙ୍କରେ ମୟୂର ଚଳପ୍ରଚଳ ହୋଇଥା’ନ୍ତି। ତେବେ ବାଗେଶ୍ବର ଇଲାକାରେ ଠାବ ହୋଇଥିବା ମୟୂର ଏକ ବ୍ୟତିକ୍ରମ ନା ବିସ୍ତୃତ ପାରିବେଶିକ ପ୍ରଭାବର ଫଳ ତାହା ଉପରେ ଅନୁଧ୍ୟାନ ଜାରି ରହିଛି। ତେବେ ଜଳବାୟୁ ପରିବର୍ତ୍ତନ ପ୍ରଭାବ ବନ୍ୟଜନ୍ତୁଙ୍କ ଜୀବନରେ ପଡୁଥିବାରୁ ଏଭଳି ଘଟଣାମାନ ଦେଖିବାକୁ ମିଳୁଛି ବୋଲି ଅନେକ ବିଶେଷଜ୍ଞ ମତ ରଖିଛନ୍ତି। ସେହିପରି ପାଣିପାଗ ଢାଞ୍ଚାରେ ପରିବର୍ତ୍ତନ ଯୋଗୁଁ ଜୀବଜନ୍ତୁମାନେ ନିଜର ବାସସ୍ଥାନ ବଦଳାଇ ନୂତନ ସହନଶୀଳ ରହଣିସ୍ଥଳ ଖୋଜୁଛନ୍ତି। ତେଣୁ ମୟୂରମାନେ ନିମ୍ନ ଇଲାକାର ସମତଳ ଭୂମି ଛାଡ଼ି ଏପରି ଅତ୍ୟୁଚ୍ଚ ପାର୍ବତ୍ୟାଞ୍ଚଳକୁ ସ୍ବୟଂ ସ୍ଥାନାନ୍ତର ହେବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ।