ଖଣ୍ଡଗିରି: ରାଜଧାନୀରେ କଂକ୍ରିଟ ଜଙ୍ଗଲ ବଢ଼ି ଚାଲିଥିବାବେଳେ ସହର ଠାରୁ ମାତ୍ର ୩ କିଲୋମିଟର ଦୂର ପାଇକରାପୁରର ପ୍ରାକୃତିକ ପରିବେଶ ପ୍ରକୃତିପ୍ରେମୀଙ୍କୁ ଟାଣି ଆଣୁଛି। ପାଇକରାପୁରର ପାହାଡ଼ମୁଣ୍ଡିଆ ଓ ସେଠାରେ ବୁଲୁଥିବା ମାଳମାଳ ମୟୂର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।
କଳିଙ୍ଗନଗରକୁ ଲାଗି ରହିଛି ପାଇକରାପୁର ଗାଁ। ପଞ୍ଚାୟତ ଅଞ୍ଚଳରେ ଥିବା ଏହି ଗାଁ ନିକଟରେ ମହାନଗର ନିଗମର ୨୨ ନମ୍ବର ୱାର୍ଡରେ ମିଶିଛି। ଗାଁକୁ ଲାଗି ରହିଛି ଏକ ପାହାଡ଼ମୁଣ୍ଡିଆ। ମୁଣ୍ଡିଆ ଉପରେ ଛିଡ଼ାହେଲେ ତମାଣ୍ଡୋ ଠାରୁ ଖଣ୍ଡଗିରି-ଉଦୟଗିରି ପାହାଡ଼, ବରୁଣେଇ ପାହାଡ଼ ଓ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ସ୍ପଷ୍ଟ ଦୃଶ୍ୟମାନ ହୋଇଥାଏ। ଏହାର ପାଦଦେଶରେ ଘଞ୍ଚ ଜଙ୍ଗଲ ଏବଂ ସେଥିରେ ନାନା ପ୍ରଜାତିର ଚଢ଼େଇଙ୍କ କିଚିରି ମିଚିରି ଶବ୍ଦ ଅତ୍ୟନ୍ତ ମନଲୋଭା। ବିଶେଷ କରି ଅପରାହ୍ଣରୁ ସନ୍ଧ୍ୟା ପର୍ଯ୍ୟନ୍ତ ସେଠାରେ ଆଖପାଖ ଲୋକ ଓ ପର୍ଯ୍ୟଟକଙ୍କ ଭିଡ଼ ଜମେ। ଏଠାକାର ପ୍ରମୁଖ ଆକର୍ଷଣ ହେଉଛି ୫୦୦ରୁ ଅଧିକ ମୟୂର। ଖାଦ୍ୟ ଅନ୍ବେଷଣରେ ମୟୂରମାନେ ମୁଣ୍ଡିଆରୁ ବାହାରି ଗାଁ ଅଭିମୁଖେ ଯିବାବେଳର ଦୃଶ୍ୟ ଅତ୍ୟନ୍ତ ମନୋରମ ପରିବେଶ ସୃଷ୍ଟି କରେ। ପୂର୍ବରୁ ମୟୂରମାନେ ଏଭଳି ଅବାଧରେ ବିଚରଣ କରିପାରୁ ନଥିଲେ। ପାଇକରାପୁର ଗ୍ରାମବାସୀ ୫ ବର୍ଷ ତଳେ ମୟୂରଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଥିଲେ। ଗ୍ରାମବାସୀ ମୟୂରଙ୍କ ପାଇଁ ନିର୍ଦ୍ଦିଷ୍ଟ ସମୟରେ ଖାଦ୍ୟ ରଖିବା ସହ ମୟୂରଙ୍କୁ ଆକ୍ରମଣ କରୁଥିବା ଲୋକଙ୍କୁ ଜଗିବା ଆରମ୍ଭ କରିଥିଲେ। ସେଥିପାଇଁ ପ୍ରଥମେ କିଛି ବିରୋଧର ସାମ୍ନା କରିଥିଲେ। କିନ୍ତୁ ପରେ ସହମତି ପ୍ରକାଶ ପାଇଥିଲା। ଫଳସ୍ବରୂପ ଏବେ ଏହି ମୁଣ୍ଡିଆ ଓ ଆଖାପାଖ ଅଞ୍ଚଳ ମୟୂରଙ୍କ ପାଇଁ ଅଘୋଷିତ ଅଭୟାରଣ୍ୟ ପାଲଟିଛି। ଘର ଛାତ, ପାଚେରି ହେଉ କି ରାସ୍ତା ସବୁଠି ଏବେ ମୟୂରମାନେ ଅବାଧରେ ବିଚରଣ କରୁଛନ୍ତି। ଖାଦ୍ୟ ଖାଇବା ପାଇଁ ନିର୍ଦ୍ଦିଷ୍ଟ ସମୟରେ ପହଞ୍ଚି ଯାଉଛନ୍ତି। ଅନେକ ସମୟରେ ପର୍ଯ୍ୟଟକଙ୍କୁ ଏମାନେ ପୋଷା ମୟୂର ଭଳି ଲାଗୁଛନ୍ତି।
ପାଇକରାପୁରର ଜଗା ପାଇକରାୟ କହନ୍ତି, ‘‘ଏ ଅଞ୍ଚଳରେ ପୂର୍ବରୁ ଏତେ ମୟୂର ନଥିଲେ। ଯେତିକି ଥିଲେ, ଗାଁ ପାଖକୁ ଆସିବାକୁ ଭୟ କରୁଥିଲେ। ଶିକାରୀଙ୍କ ପାଇଁ ଏମାନଙ୍କ ସୁରକ୍ଷା ବିପନ୍ନ ହେଉଥିବା ଜାଣିବା ପରେ ସୁରକ୍ଷା ଦାୟିତ୍ବ ଆମେ ନିଜେ ନେଇଥିଲୁ।’’ ସେହି ମୁଣ୍ଡିଆକୁ ଛେଳି ଚରାଇବାକୁ ଯାଉଥିବା ବଜେନ୍ଦ୍ର ବେହେରା କହନ୍ତି, ‘‘ସହର ଏବେ ଜଙ୍ଗଲକୁ ଗିଳିବାକୁ ବସିଲାଣି। ଏଠି ଏତେ ମୟୂର ଅଛନ୍ତି ଯେ ସରକାର ଓ ବନ ବିଭାଗ ସେମାନଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବା ଉଚିତ।’’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/ovNqC7IGF9fhTkktTVsf.jpg)