ଭୁବନେଶ୍ବର: ‘ସମ୍ବାଦ’ ପକ୍ଷରୁ ଆୟୋଜିତ ‘ପୁନଶ୍ଚ ପୃଥିବୀ’ର ତିନିଦିନିଆ ସମ୍ମିଳନୀ ଆଜି ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ସମାରୋହର ପ୍ରଥମ ଅଧିବେଶନରେ ‘ସନ୍ତୁଳନର ଆହ୍ୱାନ: ଜଳବାୟୁ, ବିକାଶ ଓ ସହରୀକରଣ’ ଶୀର୍ଷକ ଆାଲୋଚନାରେ ଆଇ ଫରେଷ୍ଟ ସିଇଓ ତଥା ସଭାପତି ଚନ୍ଦ୍ର ଭୂଷଣ ଯୋଗ ଦେଇ କହିଲେ, ଜଳବାୟୁ ପରିବର୍ତ୍ତନ ଯୋଗୁ ଏବେ ସିମ୍ଲା, ଦାର୍ଜିଲିଂ, ନେପାଳ ଆଦି ସ୍ଥାନରେ ଭୂସ୍ଖଳନ ହେଉଛି। ଧନଜୀବନ କ୍ଷତିଗ୍ରସ୍ତ ହେଉଛନ୍ତି। ଏହା ଆମକୁ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସମ୍ପର୍କରେ ଚିନ୍ତା କରିବାକୁ ବାଧ୍ୟ କରିଛି। ବିଗତ ୧୦ ହଜାର ବର୍ଷ ଧରି ପୃଥିବୀର ଜଳବାୟୁ ଜୀବପୋଯୋଗୀ ଥିଲା। ମାତ୍ର ଏହି ପରିବେଶକୁ ଏବେ ଆମେ ବିଗାଡ଼ିବାରେ ଲାଗିଛେ। ଏଣୁ ଆମେ ହିଁ ଚାହିଁଲେ ଜଳବାୟୁ ପରିବର୍ତ୍ତନର ଏହି ଧାରାକୁ ବଦଳାଇ ପାରିବା।
କିଛି ଦିନ ତଳେ ଭୁବନେଶ୍ବର ତାପମାତ୍ରା ନିୟନ୍ତ୍ରଣ ନେଇ ଏକ ଯୋଜନା ଆରମ୍ଭ ହୋଇଥିଲା। ଦିନକୁ ଦିନ ବୃଦ୍ଧି ପାଉଥିବା ତାପମାତ୍ରା ଭୁବନେଶ୍ବରର ସମସ୍ୟା ହୋଇଥିବା ବେଳେ ୨୦୧୧ ମସିହାର ଜନଗଣନା ଅନୁସାରେ ରାଜ୍ୟର ସହରାଞ୍ଚଳ ଜନସଂଖ୍ୟା ୮୦%। ଗତ ୧୧ ବର୍ଷରେ ରାଜ୍ୟର ସହରାଞ୍ଚଳ ଜନସଂଖ୍ୟାରେ ବୃଦ୍ଧି ଘଟିଛି। ସହରାଞ୍ଚଳରେ ଅଧିକ ଜମି ଓ ଅଧିକ ଜଳର ଆବଶ୍ୟକତା ରହିଥାଏ। ସହରରେ କୋଠା, ଫ୍ଲାଏଓଭର ତଥା ରାସ୍ତାଘାଟର ଆବଶ୍ୟକ ହୋଇଥାଏ। ଫଳରେ ସହରାଞ୍ଚଳର ତାପମାତ୍ରା ବୃଦ୍ଧି, ବାୟୁର ମାନ ହ୍ରାସ ହେବା ସହ ଅନ୍ୟାନ୍ୟ ପରିବେଶ ସମସ୍ୟା ସୃଷ୍ଟି ହୋଇଥାଏ। ସିଙ୍ଗାପୁର ଭଳି ଅତ୍ୟାଧୁନିକ ସହରରେ ୫୦% ଜମି ବର୍ଷାଜଳ ସଂରକ୍ଷଣ ପାଇଁ ଉପଯୋଗ ହେଉଥିବା ବେଳେ ୬୦% ଲୋକ ସେଠାରେ ପବ୍ଲିକ୍ ଟ୍ରାନ୍ସପୋର୍ଟ ବ୍ୟବହାର କରିଥା’ନ୍ତି। ଫଳରେ ସେଠାକାର ପରିବେଶ ସତେଜ ରହିପାରୁଛି। ଏହା ଏକ ବଡ଼ ସହରରେ ହୋଇଥିଲେ ମଧ୍ୟ ପ୍ରକୃତି ସହ ତାଳମେଳ ପାଇଁ ପାରମ୍ପରିକ ପଦ୍ଧତିକୁ ଗ୍ରହଣ କରିଛି। ଭୁବନେଶ୍ବରରେ ତାପରୁ ସୁରକ୍ଷା ପାଇଁ ଛାତ ଉପର କଳାରଙ୍ଗ କରାଯାଉଛି। ଏହା ଦ୍ବାରା ପରିବେଶ ଉତ୍ତପ୍ତ ହେଉଛି। ତେବେ ପ୍ରକୃତି ସହିତ ତାଳମେଳ ପାଇଁ ଭୁବନେଶ୍ବରରେ ପାରମ୍ପରିକ ପଦ୍ଧତିକୁ ଗ୍ରହଣ କରିବାର ଆବଶ୍ୟକତା ରହିଛି। ଆମେ ଆମର ସହରକୁ ଭଲ ଭାବେ ଡିଜାଇନିଂ କରିବା ଜରୁରି ବୋଲି ସେ କହିଛନ୍ତି।
ନିର୍ମା ବିଶ୍ୱବିଦ୍ୟାଳୟର ସ୍ଥାପତ୍ୟ ଓ ଯୋଜନା ପ୍ରତିଷ୍ଠାନର ପ୍ରଫେସର ଉତ୍ପଳ ଶର୍ମା କହିଲେ, ଆମେ ଭାରତରେ କରୁଥିବା ସହରାଞ୍ଚଳ ଯୋଜନାରେ ତ୍ରୁଟି ରହିଛି। ସହରର ସମ୍ପ୍ରସାରଣ ସହିତ ସହରର କେନ୍ଦ୍ରରେ ଚାପ ବୃଦ୍ଧି ହେଉଛି। ଚାପ ହ୍ରାସ ପାଇଁ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। କେନ୍ଦ୍ର ସରକାର ଏନେଇ ନିଷ୍କ୍ରିୟ ରହିଛନ୍ତି। ଦେଶର ଜିଡିପିରେ ସହରାଞ୍ଚଳର ଯୋଗଦାନ ୭୫% ରହିଛି। ଏପରି ସ୍ଥଳେ ସହରାଞ୍ଚଳକୁ ଅଣଦେଖା କରାଯିବା ଠିକ୍ ନୁହେଁ। ଲୋକେ ଖରାପ ଭିତ୍ତିଭୂମିରେ ବାସ କରୁଛନ୍ତି। ମୁମ୍ବାଇର ଧରାଭିରେ ଆମେ ବଡ଼ ବସ୍ତି ତିଆରି କରିଛେ। ଭାରତରେ ବଡ଼ ବଡ଼ ସହର ପରିବେଶ ଉପଯୋଗୀ ନୁହେଁ। ସରକାର ବେଆଇନ ନିର୍ମାଣ ପାଇଁ ବାରଣ କରିଥିଲେ ମଧ୍ୟ ଏହା କେବଳ କାଗଜପତ୍ରରେ ସୀମିତ ରହିଛି। ବର୍ଷାରେ ସହରାଞ୍ଚଳରେ ବନ୍ୟା ସୃଷ୍ଟି ହେଉଛି। ଯୋଜନାବଦ୍ଧ ଭାବେ ସହର ନିର୍ମାଣ ହୋଇନଥିବା ଏହା ସ୍ପଷ୍ଟ କରୁଛି ବୋଲି ସେ କହିଥିଲେ। କାର୍ଯ୍ୟକ୍ରମକୁ ସ୍ବସ୍ତିକା ପଣ୍ଡା ପରିଚାଳନା କରିଥିଲେ।