ବୈଶ୍ବିକ ଉଷ୍ମତା ଓ ପରିବର୍ତ୍ତିତ ଭୂମି ବ୍ୟବହାର ଯୋଗୁଁ ଜୈବ ବିବିଧତାର ପ୍ରମୁଖ ସ୍ଥଳ ଭାବେ ପରିଗଣିତ ପାର୍ବତ୍ୟ ପର୍ଯ୍ୟାବରଣ ପ୍ରଣାଳୀଗୁଡ଼ିକ ଦ୍ରୁତ ପରିବର୍ତ୍ତନର ସମ୍ମୁଖୀନ ହେଉଛନ୍ତି ବୋଲି ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି। ଗତ ୫୦ ବର୍ଷ ଭିତରେ ବର୍ଦ୍ଧିତ ତାପମାତ୍ରା ଏବଂ ‘ମାଉଣ୍ଟେନ୍ ଗ୍ରିନିଂ’ ନାମକ ଏକ ଗୁଳ୍ମ ଓ ଗଛର ପ୍ରସାର ଘଟଣା ମୁକ୍ତ ତୃଣଭୂମି ଉପରେ ନକାରାତ୍ମକ ପ୍ରଭାବ ପକାଇଛି। ଫଳରେ ସେଠାରେ କମ୍ ବଢୁଥିବା ଉଦ୍ଭିଦଗୁଡ଼ିକ ପଛକୁ ଠେଲି ହୋଇଯାଇଛନ୍ତି। ଏପରି ଏକ ଜାତି ହେଉଛି ସିଡାରାଇଟିସ୍। ଗ୍ରିକ୍ ପର୍ବତ ଚା’ ଭାବରେ ପରିଚିତ ଏହି ଜାତିର ଉଦ୍ଭିଦଗୁଡ଼ିକ ସାଧାରଣତଃ ଶ୍ବାସକ୍ରିୟା ଓ ପାକସ୍ଥଳୀ ରୋଗର ଚିକିତ୍ସା ପାଇଁ ମୂଲ୍ୟବାନ ଔଷଧ ପ୍ରସ୍ତୁତିରେ ବ୍ୟବହୃତ ହୋଇଥା’ନ୍ତି। ଏହାର ସାଂସ୍କୃତିକ ଓ ଔଷଧୀୟ ଗୁରୁତ୍ବ ବ୍ୟତିରେକ ଏହି ଉଦ୍ଭିଦ ଖୋଲା ପର୍ବତ ବାସସ୍ଥାନର ଏକ ସ୍ବାସ୍ଥ୍ୟ ସୂଚକ ଭାବେ କାର୍ଯ୍ୟ କରେ।
ଗବେଷକମାନେ ଉପଗ୍ରହରୁ ସଂଗୃହୀତ ୧୯୭୦ ଦଶକର ବନସ୍ପତି ନମୁନାଗୁଡ଼ିକ ସହିତ ଏଗାରଟି ଗ୍ରିକ୍ ପର୍ବତମାଳାରୁ ସଂଗୃହୀତ ବର୍ତ୍ତମାନର ନମୁନାଗୁଡ଼ିକୁ ତୁଳନା କରି ଏପରି ନିର୍ଯାସ ପାଇଛନ୍ତି। ସେମାନେ ଜାଣିବାକୁ ପାଇଛନ୍ତି ଯେ ଆଠଟି ଅଞ୍ଚଳରେ ସିଡାରାଇଟିସ ସଂଖ୍ୟାର ଆନୁବଂଶିକ ବିବିଧତାରେ ଏକ ଉଲ୍ଲେଖନୀୟ ହ୍ରାସ ଘଟୁଛି। ପୂର୍ବରୁ ମୁକ୍ତ ତୃଣଭୂମିରେ ବୁଦା ଓ ଗଛର ଦ୍ରୁତ ପ୍ରସାର ଏହି ଆନୁବଂଶିକ କ୍ଷୟ ସହ ଜଡ଼ିତ ବୋଲି ଗବେଷକମାନେ କହିଛନ୍ତି। ରୋଗ ଓ ମରୁଡ଼ି ପରି ପରିବେଶଗତ ଚାପ ସହିତ ଖାପ ଖୁଆଇବା ପାଇଁ ଆନୁବଂଶିକ ବିବିଧତା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ, ସୁତରାଂ ଏହାର କ୍ଷତି ଦୀର୍ଘକାଳୀନ ବିଲୁପ୍ତିର ଆଶଙ୍କା ବଢ଼ାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/05/06/QoUCszm7EHHiT6lxt5SU.jpg)