ବ୍ରହ୍ମପୁର: ପୁଣ୍ୟତୋୟା ଋଷିକୁଲ୍ୟା ନଦୀ ଗଞ୍ଜାମ ଜିଲ୍ଲାର ଜୀବନରେଖା। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ର ଋଷିମାଳ ପର୍ବତମାଳାରୁ ଉତ୍ପତ୍ତି ଲାଭ କରିଥିବା ଏହି ନଦୀର ଲମ୍ବ ପ୍ରାୟ ୧୬୫ କିଲୋମିଟର। ଗଞ୍ଜାମ ଜିଲ୍ଲାର ସୋରଡ଼ା, ଆସିକା, ଧରାକୋଟ, ପୁରୁଷୋତ୍ତମପୁର ଓ ଗଞ୍ଜାମ ବ୍ଲକ୍ ଦେଇ ପ୍ରବାହିତ ଋଷିକୁଲ୍ୟା ନଦୀ ବଙ୍ଗୋପସାଗରରେ ମିଶିଛି। ଜଳସେଚନ ଓ ପିଇବା ପାଣି ପାଇଁ ଜିଲ୍ଲାବାସୀ ଏହି ନଦୀ ଉପରେ ନିର୍ଭରଶୀଳ। ତେବେ ଜଳବାୟୁ ପରିବର୍ତ୍ତନଠୁ ଆରମ୍ଭ କରି ବର୍ଷାଭାବ ସମେତ ବିଭିନ୍ନ କାରଣ ପାଇଁ ଗତ କିଛିବର୍ଷ ହେଲା ଋଷିକୁଲ୍ୟା ନଦୀର ସ୍ଥିତି ଧୀରେ ଧୀରେ ସଂକଟ ଆଡ଼କୁ ଗତି କରିବାରେ ଲାଗିଛି। ବିଶେଷକରି ଖରାଦିନରେ ଋଷିକୁଲ୍ୟା ଶୁଖିଲା ପଡ଼ିଯାଉଥିବାରୁ ଗଞ୍ଜାମବାସୀ ପାଣି ପାଇଁ ଛଟପଟ ହେଉଛନ୍ତି। ନଦୀ ସଂଯୋଗୀକରଣ ଜରିଆରେ ଋଷିକୁଲ୍ୟାକୁ ଚିରସ୍ରୋତା କରିବା ପାଇଁ ଯୋଜନା କରାଯାଇଥିଲା। ଓଡ଼ିଶାର ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡାଙ୍କ ଉଦ୍ୟମ କ୍ରମେ ଋଷିକୁଲ୍ୟା ବଞ୍ଚାଅ ସମିତି ଜରିଆରେ ଆନ୍ଦୋଳନ କରାଯାଇଥିଲା। ହେଲେ ଏହି ପ୍ରସ୍ତାବ ବାସ୍ତବ ରୂପ ନେଇ ପାରିନାହିଁ। ବ୍ରିଟିସ୍ ଶାସନ ଅମଳରେ ୧୮୯୪ ମସିହାରେ ଋଷିକୁଲ୍ୟା ନଦୀର ପାଣିକୁ ଜଳସଚେନ ପାଇଁ ପ୍ରଥମେ ବ୍ୟବହାର କରାଯାଇଥିଲା। ଋଷିକୁଲ୍ୟା ନଦୀରେ ଅନ୍ୟ ୬ଟି ନଦୀର ପାଣି ପଡ଼ୁଛି। ତଥାପି ଋଷିକୁଲ୍ୟା ୬ ମାସ ଶୁଖିଲା ରହୁଛି।
କ’ଣ ହେବ ପିପଳପଙ୍କା ଡ୍ୟାମ୍ର ଭାଗ୍ୟ?
ଗଞ୍ଜାମ ଜିଲ୍ଲାର ଗୋପାଳପୁରରେ ୯୦ ଦଶକରେ ବୃହତ ଟାଟା ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ପରିକଳ୍ପନା କରାଯାଇଥିଲା। ଏହି କାରଖାନାକୁ ପାଣି ଯୋଗାଣ ନିମନ୍ତେ ଋଷିକୁଲ୍ୟା ନଦୀର ଉପରମୁଣ୍ଡରେ ସୋରଡ଼ା ନିକଟସ୍ଥ ପିପଳପଙ୍କାଠାରେ ଏକ ଡ୍ୟାମ୍ ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଥିଲା। ପରେ ୧୯୯୫ରେ ଟାଟା ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ଶିଳାନ୍ୟାସ କରାଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ ଟାଟା ଏହି ପ୍ରକଳ୍ପରୁ ଓହରିଯାଇଥିଲା। ଫଳରେ ପ୍ରସ୍ତାବିତ ପିପଳପଙ୍କା ଡ୍ୟାମ୍ ମଧ୍ୟ ଶୀତଳଭଣ୍ଡାରକୁ ଚାଲିଯାଇଥିଲା। ଏବେ ପିପଳପଙ୍କା ଡ୍ୟାମ୍ ନିର୍ମାଣ ଆଶା ପୁଣି ଉଜ୍ଜୀବିତ ହୋଇଛି। ପ୍ରାୟ ୧ହଜାର ୧୩କୋଟି ଟଙ୍କାରେ ଡ୍ୟାମ୍ ନିର୍ମାଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସେହିପରି ପ୍ରାୟ ୬ହଜାର ୧୫୩ ଏକର ଜମି ଜଳସେଚିତ ହେବା ସହିତ ୬୭.୫ ଏମ୍ଏଲ୍ଡି ପାନୀୟଜଳ ଯୋଗାଣ ସମ୍ଭବ ହେବ ବୋଲି କୁହାଯାଉଛି। ବଳକା ପାଣି ଶିଳ୍ପସଂସ୍ଥା ପାଇଁ ମଧ୍ୟ ବ୍ୟବହାର ହୋଇପାରିବ। ଏହି ଡ୍ୟାମ୍ ଦ୍ବାରା ପ୍ରାୟ ୯୧୩ ହେକ୍ଟର୍ ଜଙ୍ଗଲ ଜମି ଓ କିଛି ଘରୋଇ ଜମି ଏଭଳି ପ୍ରାୟ ୧ହଜାର ହେକ୍ଟର୍ ଜମି ଅଧିଗ୍ରହଣ କରିବାକୁ ଡିପିଆର୍ ପ୍ରସ୍ତୁତ କରାଯାଇଛି। ଅନ୍ୟପକ୍ଷରେ ଏହି ଡ୍ୟାମ୍କୁ କିଛି ପରିବେଶବିତ୍ ବିରୋଧ କରୁଛନ୍ତି। ଡ୍ୟାମ୍ ନିର୍ମାଣ କଲେ ନଦୀର ତଳମୁଣ୍ଡକୁ ଆଉ ପାଣି ଆସିବନାହିଁ। ନଦୀ ଶୁଖିଯିବା ସହିତ ଚାଷ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯିବ ବୋଲି ବରିଷ୍ଠ ପରିବେଶବିତ ପ୍ରଫୁଲ୍ଲ ସାମନ୍ତରା କହିଛନ୍ତି। ଏଥିପାଇଁ ଋଷିକୁଲ୍ୟା ବଞ୍ଚାଅ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇ ଆନ୍ଦୋଳନ ଚାଲିଛି।
ପ୍ରସ୍ତାବରେ ସୀମିତ ‘ଋଷିକୁଲ୍ୟା ଉନ୍ନୟନ ପରିଷଦ’
ଋଷିକୁଲ୍ୟା ନଦୀ ପାଣିର ସୁବିନିଯୋଗ ନିମନ୍ତେ ଋଷିକୁଲ୍ୟା ଉନ୍ନୟନ ପରିଷଦ ଗଠନ କରିବା ପାଇଁ ବିଭିନ୍ନ ଚାଷୀ ସଙ୍ଗଠନ ବହୁବର୍ଷରୁ ଦାବି କରିଆସୁଛନ୍ତି। ହେଲେ ଏ ଦିଗରେ ସରକାର ଆନ୍ତରିକତା ଦେଖାଉନାହାନ୍ତି। ଋଷିକୁଲ୍ୟା ନଦୀ ପାଣି ଉଭୟ ଚାଷ ଓ ପାନୀୟଜଳ ପାଇଁ ବ୍ୟବହାର ହେଉଛି। କିନ୍ତୁ ଏହାକୁ ଠିକ୍ ଭାବେ ପରିଚାଳନା କରାଯାଇପାରୁନାହିଁ। ସବୁ ସୁବିଧା ଥାଇ ମଧ୍ୟ ଚାଷୀକୁ ଆବଶ୍ୟକ ମୁତାବକ ପାଣି ମିଳୁନି। ଗଞ୍ଜାମ ଜିଲ୍ଲାରେ ଦୋଫସଲି ଚାଷ ସୁବିଧା ଏବେ ବି ସ୍ବପ୍ନ ହୋଇରହିଛି। ଋଷିକୁଲ୍ୟା ଉନ୍ନୟନ ପରିଷଦ ଗଠନ କରି ସେଥିରେ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା, ବୁଦ୍ଧିଜୀବୀ ଓ ଅଧିକାରୀଙ୍କୁ ସ୍ଥାନୀତ କରି ଋଷିକୁଲ୍ୟା ନଦୀର ପାଣିକୁ କେମିତି ବ୍ୟବହାର ଉପଯୋଗୀ କରାଯାଇପାରିବ ସେ ଦିଗରେ ଦୃଷ୍ଟି ଦେବାକୁ ଋଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସୀମାଞ୍ଚଳ ନାହାକ କହିଛନ୍ତି।
ସମୁଦ୍ରକୁ ବହିଯାଉଛି ୮୦ ପ୍ରତିଶତ ପାଣି
ପିଇବା ପାଣି ସହିତ ଜଳସେଚନ ନିମନ୍ତେ ଗଞ୍ଜାମ ଜିଲ୍ଲାବାସୀ ଋଷିକୁଲ୍ୟା ନଦୀ ଉପରେ ନିର୍ଭର କରୁଛନ୍ତି। ଅଥଚ ନଦୀ ପାଣି ସଂରକ୍ଷଣ ହୋଇପାରୁନି। ମାତ୍ର ୨୦/୨୨ ପ୍ରତିଶତ ପାଣି ବ୍ୟବହାର ହୋଇ ପ୍ରାୟ ୮୦ ପ୍ରତିଶତ ପାଣି ସମୁଦ୍ରରେ ମିଶି ନଷ୍ଟ ହେଉଛି। ଏହି ୮୦ ପ୍ରତିଶତରୁ ଯଦି ୫୦/୬୦ ପ୍ରତିଶତ ପାଣି କୌଣସି ପ୍ରକାରେ ସଂରକ୍ଷଣ କରାଯାଇପାରନ୍ତା ତେବେ ଜିଲ୍ଲାର ଲକ୍ଷାଧିକ ହେକ୍ଟର୍ ଜମି ଜଳସେଚିତ ହେବା ସହିତ ପାନୀୟଜଳ ସମସ୍ୟା ଦୂର ହୋଇଯାଆନ୍ତା ବୋଲି ବୁଦ୍ଧିଜୀବୀ ଓ ପରିବେଶବିତ୍ ମହଲ ମତ ରଖିଛନ୍ତି।
ମାତ୍ର ୬୦ ହଜାର ହେକ୍ଟର୍ ଜମିକୁ ମିଳୁଛି ପାଣି
ବର୍ତ୍ତମାନ ଏହି ନଦୀରୁ ମାତ୍ର ୬୦ହଜାର ହେକ୍ଟର୍ ଜମିକୁ ଜଳସେଚନ ସୁବିଧା ସମ୍ଭବ ହୋଇପାରିଛି। ଅଧିକାଂଶ ପାଣି ସମୁଦ୍ରରେ ମିଶି ନଷ୍ଟ ହେଉଥିବା ବେଳେ ସଂରକ୍ଷଣ ସୁବିଧା କରାଯାଇପାରୁନାହିଁ। ସେହିପରି ନଦୀରେ ଅଧିକାଂଶ ସମୟ କାଶତଣ୍ଡି, ଅନାବନା ଘାସ ଓ ଲଟାବୁଦା ପରିପୂର୍ଣ୍ଣ ରହୁଛି। ଯାହାକି ନଦୀ ସ୍ରୋତକୁ ଅଟକାଇ ଦେଉଛି। ସେହିପରି ନଦୀରୁ ବାରମ୍ବାର ବେଆଇନ ବାଲି ଚାଲାଣ ଅଭିଯୋଗ ହେଉଥିଲେ ସୁଦ୍ଧା ତାହା ଉପରେ ଅଙ୍କୁଶ ଲାଗିପାରୁନି। ଏହା ବର୍ତ୍ତମାନ ଋଷିକୁଲ୍ୟା ପାଇଁ ଆଉ ଏକ ବିପଦ ହୋଇଛି।
୧୯୭୦ରେ ହୋଇଥିଲା ପ୍ରଥମ ଆନ୍ଦୋଳନ
ଗଞ୍ଜାମ ସହର ନିକଟ ଦେଇ ଯାଇଥିବା ଋଷିକୁଲ୍ୟା ନଦୀ ଏକ କାରଖାନା ଯୋଗୁଁ ଦୂଷିତ ହେବାରୁ ୧୯୭୦ରେ ଚାଷୀ ଓ ମତ୍ସ୍ୟଜୀବୀମାନେ ସ୍ବର ଉଠାଇଥିଲେ। କାରଖାନାରୁ ନିର୍ଗତ ଦୂଷିତ ପାଣି ନଦୀକୁ ନଛାଡ଼ିବା ପାଇଁ ଆନ୍ଦୋଳନ ଆରମ୍ଭ ହୋଇଥିଲା। ସେହି ଆନ୍ଦୋଳନରୁ ହିଁ ‘ଋଷିକୁଲ୍ୟା ବଞ୍ଚାଅ ମଞ୍ଚ’ ଗଠନର ମୂଳଦୁଆ ପଡ଼ିଥିଲା। ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ପାଠ ପଢ଼ୁଥିବା ସମୟରେ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ। ପରବର୍ତ୍ତୀ ସମୟରେ ଏହି ଆନ୍ଦୋଳନ ତୀବ୍ର ରୂପ ନେଇଥିଲା। ୧୯୮୬ ମସିହାରେ ଶ୍ରୀ ପଣ୍ଡାଙ୍କ ନେତୃତ୍ବରେ ଋଷିକୁଲ୍ୟା ନଦୀର ସୁରକ୍ଷା ଦାବିରେ ଚାଷୀମାନେ ଛତ୍ରପୁର ବ୍ଲକ୍ ପୋଟଲାମପୁରଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଯାହାକି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏହାସହିତ ଶ୍ରୀ ପଣ୍ଡା ୨୦୦୦ ମସିହାରେ ଋଷିକୁଲ୍ୟା ସହିତ ମହାନଦୀର ସଂଯୋଗୀକରଣ ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ।
ଅନ୍ତଃନଦୀ ଜଳାଶୟ ଯୋଜନା ଭରସା
ରାଜ୍ୟ ସରକାର ଗଞ୍ଜାମ ଜିଲ୍ଲାର ୪ଟି ନଦୀର ଜଳ ସଂରକ୍ଷଣ ପାଇଁ ଅଣ୍ଟା ଭିଡ଼ିଛନ୍ତି। ଏଥିପାଇଁ ଆଇଏସ୍ଏସ୍ (ଇନ୍ଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକଚର୍) ବା ଅନ୍ତଃନଦୀ ଜଳାଶୟ ଯୋଜନା ହାତକୁ ନିଆଯାଇଛି। ଏହି ଯୋଜନାରେ ନଦୀରେ ସୁଦୃଢ଼ ବନ୍ଧ ତିଆରି କରାଯାଇ ପାଣିକୁ ଅଟକାଇ ରଖାଯିବ। ଆବଶ୍ୟକ ସ୍ଥଳେ ଗେଟ୍ ଦେଇ ପାଣି ଛଡ଼ାଯିବ। ଏହାସହିତ ନଦୀର ଗାର୍ଡୱାଲ୍କୁ ମଧ୍ୟ ସୁଦୃଢ଼ କରାଯିବ। ଗଞ୍ଜାମ ଜିଲ୍ଲାର ୪ଟି ନଦୀକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ଏହାଦ୍ବାରା ବର୍ଷାଜଳକୁ ସଂରକ୍ଷିତ ରଖାଯାଇ ଅନ୍ୟ କାମରେ ବିନିଯୋଗ କରାଯାଇପାରିବ। ଫଳରେ ସମୁଦ୍ରରେ ନଦୀ ପାଣି ମିଶି ଆଉ ନଷ୍ଟ ହେବନାହିଁ। ଋଷିକୁଲ୍ୟା ନଦୀର ସୋରଡ଼ା ନିକଟସ୍ଥ ସିଙ୍ଗିପୁରଠାରେ ହେବାକୁ ଥିବା ପ୍ରକଳ୍ପ ପାଇଁ ୩୫ କୋଟି ୯୦ ଲକ୍ଷ ଟଙ୍କା ବଜେଟ୍ ରଖାଯାଇଥିବା ବେଳେ କଂସାରୀଗଣ୍ଡ ପାଇଁ ୨୪୦ କୋଟି ୭୦ ଲକ୍ଷ ଟଙ୍କାର ବଜେଟ୍ ରଖାଯାଇଛି। ଏହାର କାମ ସମ୍ପୂର୍ଣ୍ଣ ହେଲେ ଋଷିକୁଲ୍ୟା ପାଣି ସଂରକ୍ଷିତ ରଖାଯାଇପାରିବ ବୋଲି ଆଶା କରାଯାଉଛି।