ପ୍ରଥମ ଥର ପାଇଁ ବିଶ୍ୱ ସ୍ତରରେ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନରେ ସୌରଶକ୍ତି ଓ ପବନଶକ୍ତି, କୋଇଲାକୁ ପଛରେ ପକାଇ ଦେଇଛି। ଏହି ମାଇଲଖୁଣ୍ଟ ଜଳବାୟୁ ପରିବର୍ତ୍ତନ ବିରୋଧୀ ଲଢ଼େଇକୁ ତ୍ବରାନ୍ବିତ କରିଛି। ତେବେ ଏ ପରି‌ପ୍ରେକ୍ଷୀରେ ପ୍ରମୁଖ ରାଷ୍ଟ୍ରଗୁଡ଼ିକରେ ଅନୁସୃତ ପରିବର୍ତ୍ତନଶୀଳ ନୀତି ଉକ୍ତ ଗତିକୁ ମନ୍ଥର କରୁଛି। ଫଳରେ ୨୦୩୦ ସୁଦ୍ଧା ପୂରଣ ହେବାକୁ ଥିବା ସ୍ୱଚ୍ଛ-ଶକ୍ତି ମହତ୍ତ୍ୱାକାଂକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଭାରତ ଏ ଦିଗରେ ଏକ ଉଜ୍ଜ୍ୱଳ ରାଷ୍ଟ୍ର ଭାବରେ ଉଭା ହୋଇଛି।

Advertisment

୨୦୨୫ର ପ୍ରଥମାର୍ଦ୍ଧରେ ବିଶ୍ୱର ବିଦ୍ୟୁତ୍‌ ଉତ୍ପାଦନର ପ୍ରାୟ ୩୪.୩% ନବୀକରଣଯୋଗ୍ୟ ଉତ୍ସରୁ ଆସିଥିବାବେଳେ କୋଇଲାର ବିନିଯୋଗ ପ୍ରାୟ ୩୩.୧%କୁ ହ୍ରାସ ପାଇଛି ଏବଂ ପ୍ରାକୃତିକ ବାଷ୍ପର ଭାଗ ପ୍ରାୟ ୨୩% ରହିଛି।

ବିଶେଷଜ୍ଞମାନଙ୍କ ବିଶ୍ଳେଷଣ ଅନୁସାରେ, ୨୦୨୫ର ପ୍ରଥମାର୍ଦ୍ଧରେ ବିଶ୍ୱର ବିଦ୍ୟୁତ୍‌ ଉତ୍ପାଦନର ପ୍ରାୟ ୩୪.୩% ନବୀକରଣଯୋଗ୍ୟ ଉତ୍ସରୁ ଆସିଥିବାବେଳେ କୋଇଲାର ବିନିଯୋଗ ପ୍ରାୟ ୩୩.୧%କୁ ହ୍ରାସ ପାଇଛି ଏବଂ ପ୍ରାକୃତିକ ବାଷ୍ପର ଭାଗ ପ୍ରାୟ ୨୩% ରହିଛି। ନବୀକରଣଯୋଗ୍ୟ ଶକ୍ତି ବୃଦ୍ଧିର ସିଂହଭାଗ ସୌରଶକ୍ତିରୁ ଆସିଛି, ଯାହା ଏହି ଅବଧିରେ ୩୧% ବଢ଼ିଛି। ଅପରପକ୍ଷେ, ପବନଶକ୍ତିରେ ୭.୭% ବୃଦ୍ଧି ଘଟିଛି ଏବଂ ଉଭୟ କୋଇଲା ଓ ପ୍ରାକୃତିକ ବାଷ୍ପରେ ସାମାନ୍ୟ ହ୍ରାସ ଦେଖାଦେଇଛି। ତେବେ ଆମେରିକା ପରି ବିକଶିତ ଦେଶମାନଙ୍କ ନୀତି ପରିବର୍ତ୍ତନ ଯୋଗୁଁ ନବୀକରଣଯୋଗ୍ୟ ଶକ୍ତିର ଅଭିବୃଦ୍ଧି ହାର ହ୍ରାସ ପାଇବାର ଆଶଙ୍କା ଦେଖାଦେଇଛି।

ବିକଶିତ ରାଷ୍ଟ୍ରଗୁଡ଼ିକରେ ଏଭଳି ଧାରା ସତ୍ତ୍ୱେ ଭାରତର ନବୀକରଣ କ୍ଷେତ୍ର ତୀବ୍ର ଗତିରେ ଅଗ୍ରଗତି କରୁଛି। ଗତ ବର୍ଷ ଭାରତ ୨୪ ଗିଗାଵାଟ୍‌ ସୌରଶକ୍ତି ଯୋଡ଼ିଛି, ଯାହା ୨୦୨୩ରେ ଯୋଡ଼ିଥିବା ପରିମାଣର ଦୁଇଗୁଣରୁ ଅଧିକ। ଭାରତ ସମ୍ପ୍ରତି ଜର୍ମାନୀକୁ ପଛରେ ପକାଇ ବିଶ୍ୱର ତୃତୀୟ ବୃହତ୍‌ ପବନ ଓ ସୌର ଶକ୍ତି କେନ୍ଦ୍ର ସାଜିଛି। ୨୦୧୪ରେ ଭାରତରେ ଅଣଜୀବାଶ୍ମ ଉତ୍ସଗୁଡ଼ିକରୁ ୮୭ ଗିଗାଵାଟ୍‌ ଶକ୍ତି ମିଳିଥିବାବେଳେ ୨୦୨୫ ମଧ୍ୟଭାଗ ସୁଦ୍ଧା ତାହା ୨୪୨.୭୮ ଗିଗାଵାଟ୍‌ ହୋଇଛି। ୨୦୩୦ ସୁଦ୍ଧା ଭାରତ ୫୦୦ ଗିଗାଵାଟ୍‌ ଅଣ-ଜୀବାଶ୍ମ କ୍ଷମତା ହାସଲ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଏହି ଲକ୍ଷ୍ୟ ପୂରଣ କରିବାରେ ବିଦ୍ୟୁତ୍‌ ଗ୍ରିଡ୍‌ ଅପଗ୍ରେଡେସନ୍‌, ଟ୍ରାନ୍‌ସମିସନ୍‌ ବାଧା, ଆର୍ଥିକ ଓ ଭୂମି ଅଧିଗ୍ରହଣ ଆଦି ପ୍ରମୁଖ ପ୍ରତିବନ୍ଧକ ରହିଛି। ଭାରତ ଏ ଦିଗରେ ସଫଳ ହେଲେ ନବୀକରଣଯୋଗ୍ୟ ଶକ୍ତିର ଏକ ଅଗ୍ରଣୀ ବଜାର ହେବା ସହ ବିଶ୍ୱ ମାନକ ଭାବରେ ଉଭା ହୋଇପାରିବ।