ଭୁବନେଶ୍ବର: ପ୍ରାକୃତିକ ବିପର୍ଯ୍ୟୟ ଘଟିଲେ ଅନେକ ଧନଜୀବନ ନଷ୍ଟ ହୋଇଥାଏ। କୋଟି କୋଟି ଟଙ୍କାର ଆର୍ଥିକ କ୍ଷତି ହୋଇଥାଏ। ଲୋକମାନଙ୍କ ଘର ଭାଙ୍ଗିଯାଏ, ଜୀବିକା ବୁଡ଼ିଯାଏ ଏବଂ ମହିଳା ଓ ଶିଶୁମାନେ ଅନେକ ସମସ୍ୟା ସାମନା କରିଥାନ୍ତି। ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଯୋଜନା ପ୍ରସ୍ତୁତ କରିବା ବେଳେ କେବଳ ଆର୍ଥିକ କ୍ଷୟକ୍ଷତି ଉପରେ ଧ୍ୟାନ ନ ଦେଇ ଲୋକମାନଙ୍କ ଜୀବିକାରେ ହୋଇଥିବା କ୍ଷତି ଭରଣାକୁ ମଧ୍ୟ ବିଚାରକୁ ନେବାକୁ ପଡ଼ିବ। ବୁଧବାର ପୁନଶ୍ଚ ପୃଥିବୀ ସମ୍ମିଳନୀ ୨୦୨୫ର ତୃତୀୟ ଦିବସରେ ‘ଜଳବାୟୁ ବିପର୍ଯ୍ୟୟ-ଅର୍ଥନୈତିକ କ୍ଷତିର ନିବାରଣ’ ସମ୍ପର୍କିତ ଅଧିବେଶନକୁ ସମ୍ବୋଧିତ କରି ବକ୍ତାମାନେ ଏହା କହିଛନ୍ତି।
ଏହି ଅବଧିବେଶନରେ ବକ୍ତା ଭାବେ ଯୋଗ ଦେଇ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସ୍ଡମା)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ସୁସ୍ମିତା ବେହେରା କହିଥିଲେ ଯେ ବାତ୍ୟା ଦ୍ବାରା ପ୍ରଭାବିତ ଉପକୂଳ ଅଞ୍ଚଳର ଲୋକମାନଙ୍କ ପାଇଁ ବିଶ୍ବବ୍ୟାଙ୍କ ସହାୟତାରେ ଓଡ଼ିଶା ବିପର୍ଯ୍ୟୟ ଉଦ୍ଧାର ପ୍ରକଳ୍ପ ଅଧୀନରେ ମତ୍ସ୍ୟଜୀବୀମାନଙ୍କ ପାଇଁ ଗଞ୍ଜାମ, ପୁରୀ ଓ ଖୋର୍ଦ୍ଧାରେ ୨୦ ହଜାରରୁ ଅଧିକ ଘର ନିର୍ମାଣ କରାଯାଇଛି; ଯାହା ସେମାନଙ୍କୁ ବାତ୍ୟା ପ୍ରତିରୋଧୀ ବାସସ୍ଥାନ ଯୋଗାଇଦେଇଛି। ସେହିପରି, ୟୁଏନ୍ଡିପିର ଓଡ଼ିଶା କାର୍ଯ୍ୟାଳୟ ମୁଖ୍ୟ ଆଭା ମିଶ୍ର ୧୯୯୯ ମହାବାତ୍ୟା ପରବର୍ତ୍ତୀ ସମୟରେ ହୋଇଥିବା ପୁନର୍ଗଠନ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ତାହା ଦ୍ବାରା ଅର୍ଥନୈତିକ କ୍ଷତିକୁ ଅନେକାଂଶରେ ରୋକାଯାଇ ପାରିଥିଲା ବୋଲି ସେ କହିଥିଲେ।
ମାଟି ଫାର୍ମସ୍ର ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ ସଂଯୋଗ ସାହୁ ବିପର୍ଯ୍ୟୟ ପରେ ପ୍ରଭାବିତ ଅଞ୍ଚଳର ଲୋକମାନେ ନିଜର ପାରମ୍ପରିକ ଜୀବିକା ହରାଇବା ପରେ ଯେଉଁ ଅସୁବିଧା ସାମନା କରୁଛନ୍ତି ତାହା ଉପରେ ଆଲୋକପାତ କରିଥିଲେ। ସେହି ଅଞ୍ଚଳର ଅଧିକାଂଶ ଲୋକ ନୂଆ ଜୀବିକା ଖୋଜିବା ଲାଗି ଭିଟାମାଟି ଛାଡ଼ିଥାନ୍ତି। ସେହି ପ୍ରବାସ ଗମନକୁ କିଭଳି ରୋକାଯାଇପାରିବ, ସେଥିପାଇଁ ଯୋଜନା ଆସିବା ଦରକାର ବୋଲି ସେ କହିଥିଲେ। ସେହିପରି ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତି ବେଳେ ପ୍ରଭାବିତ ଅଞ୍ଚଳରେ ପୂର୍ବରୁ ଥିବା ସମ୍ବଳର ସ୍ଥିତି, ମହିଳାମାନେ ସାମନା କରୁଥିବା ସମସ୍ୟା, ସ୍ବାସ୍ଥ୍ୟ ସମ୍ପର୍କିତ ଅସୁବିଧା ଆଦି ବିଷୟ ବିଚାରକୁ ନେବାକୁ ବକ୍ତାମାନେ ଆହ୍ବାନ ଦେଇଥିଲେ। ବିପର୍ଯ୍ୟୟ କେବଳ ଗ୍ରାମାଞ୍ଚଳରେ ହୁଏ ନାହିଁ, ସହରାଞ୍ଚଳ ଲୋକ ବି ପ୍ରଭାବିତ ହୋଇଥାନ୍ତି। ସେମାନଙ୍କ ଲାଗି ମଧ୍ୟ ଯୋଜନା ପ୍ରସ୍ତୁତ କରିବାକୁ ପଡ଼ିବ ବୋଲି କହିଥିଲେ।