ଭୁବନେଶ୍ବର: ପୁନଶ୍ଚ ପୃଥିବୀ-୨୦୨୫ର ଆଜି ୨ୟ ଦିବସ । ଗତକାଲି ଠାରୁ ଏହି ସମ୍ମିଳନୀ ଆରମ୍ଭ ହୋଇଥିବା ବେଳେ ଆଜି ୨ୟ ଦିବସରେ ‘ଅର୍ଥନୀତି ଏବଂ ପରିବେଶଗତ ବିକାଶ’ ପ୍ରସଙ୍ଗରେ ଏକ ସ୍ବତନ୍ତ୍ର ଅଧିବେଶନର ଆଲୋଚନାଚକ୍ରରେ ଯୋଗଦେଇ ଅବସରପ୍ରାପ୍ତ ଆଇଏଫଏସ ଅଫିସର ବିଜୟ କେତନ ପଟ୍ଟନାୟକ ନିଜ ମତ ରଖିଛନ୍ତି- ବିକାଶ ଏବଂ ପରିବେଶ, ଏ ଦୁଇଟିକୁ ଆମେ ସାଙ୍ଗରେ ନେଇ ଚାଲିପାରିବା । ବିକାଶ ପାଇଁ ପରିବେଶ କ୍ଷତି ହେବ କିନ୍ତୁ ଆମେ ଚେଷ୍ଟା କରିବା ଅଳ୍ପ କ୍ଷତିରେ କେମିତି ବିକାଶମୁଖୀ ହୋଇପାରିବା । ଆମେ ଯେଉଁ ଘରେ ରହୁଛୁ ସେହି ଘରକୁ ଭାଙ୍ଗି ନୁହେଁ ବରଂ ସନ୍ତୁଳନ ରକ୍ଷା କରି ପରିବେଶ ଏବଂ ଅର୍ଥନୀତିକୁ ଆଗକୁ ବଢାଯାଇ ପାରିବ । 

Advertisment

WhatsApp Image 2025-10-07 at 16.57.44

ତେବେ ଜଙ୍ଗଲ ଏବଂ ଜୀବନଜୀବିକା ଭିତରେ କେମିତି ସନ୍ତୁଳନ ରକ୍ଷା କରାଯାଇପାରିବ ସେ ବାବଦରେ ବିଜୟ କେତନ ପଟ୍ଟନାୟକ ନିଜର ମତ ରଖି କହିଛନ୍ତି- ଜନସମର୍ଥନ ବିନା ଜନସହଯୋଗ ବିନା ପରିବେଶ ସୁରକ୍ଷା ସମ୍ବନ୍ଧୀୟ କୌଣସି ବି କାମ କରାଯାଇପାରିବନି । ଏବେ ଲୁଣାଜଙ୍ଗଲ ପାଇଁ କେମିତି ଭିତରକନିକା ପାଖାପାଖି ଲୋକ ବାତ୍ୟା କବଳରୁ ରକ୍ଷା ପାଇଗଲେ ସେମାନେ ବୁଝିପାରୁଥିବେ ଜଙ୍ଗଲ ରହିଲେ ଲାଭ କେତେ । 

WhatsApp Image 2025-10-07 at 16.57.47

ଜଙ୍ଗଲ ସୁରକ୍ଷା ଲୋକଙ୍କ ସହଯୋଗ ବିନା ଅସମ୍ଭବ । ବନକର୍ମଚାରୀଙ୍କ ଠେଙ୍ଗାବାଡ଼ିରେ ଜଙ୍ଗଲ ସୁରକ୍ଷା ହେଇପାରିବନି । ଲୋକଙ୍କୁ ତାଙ୍କ ହିସାବରେ ଗଛ ଲଗାଇବାକୁ ପ୍ରୋତ୍ସାହନ ଦେବା ଜରୁରୀ । ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ କେବଳ ଜଙ୍ଗଲ ବିଭାଗ ନୁହେଁ ସବୁ ବିଭାଗ ସଚେତନ ହେଇ ଏହାର ମୁକାବିଲା କରିବା ଦରକାର ବୋଲି ଶ୍ରୀ ବିଜୟ କେତନ ପଟ୍ଟନାୟକ କହିଛନ୍ତି । 

ସେପଟେ ଅବସରପ୍ରାପ୍ତ ଆଇଏଫଏସ ଅଫିସର ଅନୁପ ନାଏକ ପରିବେଶ ଓ ଅର୍ଥନୀତି ଉପରେ ନିଜ ମତମନ୍ତବ୍ୟ ରଖି କହିଛନ୍ତି- ଅର୍ଥନୀତିର ବିକାଶ ପାଇଁ ହେଉ କି ଉଦ୍ୟୋଗ ପାଇଁ ହେଉ ଆମକୁ ପରିବେଶର ଯତ୍ନ ନେବାକୁ ପଡିବ । ଅର୍ଥନୈତିକ ସଦୃଢିକରଣ କଥା ଆସିବ ମାନେ ପରିବେଶ ଉପରେ ଏହାର ପ୍ରଭାବ ପଡିବ, ପରିବେଶ ନଷ୍ଟ ହେବ- ଯେଉଁଥିପାଇଁ ଜଳବାୟୁ ପରିବର୍ତ୍ତନ ଭଳି ସ୍ଥିତି ଏବେ ଆମ ସମସ୍ତଙ୍କ ସାମ୍ନାରେ । ତେଣୁ ଅର୍ଥନୀତି ପରିବେଶ ଉପରେ ଅନେକ କ୍ଷେତ୍ରରେ ନିର୍ଭରଶୀଳ ।

WhatsApp Image 2025-10-07 at 16.57.43

ତେବେ ପ୍ରାକୃତିକ ପରିବେଶର ସଂରକ୍ଷଣ ପାଇଁ ଜନସମର୍ଥନ ଏବଂ ଜନଭାଗିଦାରୀର ଅନେକ ଆବଶ୍ୟକତା ରହିଛି । ଜଙ୍ଗଲରେ ଜୀବଯନ୍ତୁଙ୍କ ବଞ୍ଚିରହିବା ପାଇଁ ସେମାନଙ୍କ ବଂଶବିସ୍ତାର ପାଇଁ ଏବଂ ଏକ ମୁକ୍ତ ସ୍ଥାନ ଦେବା ପାଇଁ ଆମକୁ ପଦକ୍ଷେପ ନେବାକୁ ପଡିବ । ମଣିଷ ହିସାବରେ କଥା କହିପାରୁନଥିବା ପଶୁଙ୍କ ପାଇଁ ଆମେ ଏତିକି କରିବା ଦରକାର, ସେମାନଙ୍କ ପାଇଁ ଜାଗା ଛାଡିଦେବା ଦରକାର । ମଣିଷ ଜଙ୍ଗଲରେ ରହୁ କିନ୍ତୁ ପଶୁପକ୍ଷୀଙ୍କ ପାଇଁ ବି ଜାଗାଟିଏ ଛାଡୁ । 

Untitled-38

ଜଳବାୟୁ ପରିବର୍ତ୍ତନର ମୁଖ୍ଯ କାରଣ ଆଉ ଡ୍ରାଇଭର ହେଉଛି ଜଙ୍ଗଲୀ ନିଆଁ । ଏହି ଜଙ୍ଗଲୀ ନିଆଁ କେବଳ ଜଙ୍ଗଲ ନଷ୍ଟ କରେନି ବରଂ ଜଙ୍ଗଲ ମାଟିକୁ ବି ନଷ୍ଟ କରେ । ତେଣୁ ଆମକୁ ଜଙ୍ଗଲୀ ନିଆଁକୁ ପ୍ରଥମେ ରୋକିବାକୁ ପଡିବ । ଅର୍ଥନୀତି ବିକାଶରେ ପରିବେଶ ସନ୍ତୁଳନ ନିହାତି ଜରୁରୀ । ଯେଉଁମାନେ ଜଙ୍ଗଲ ପାଖାପାଖି ରହୁଛନ୍ତି ସେମାନଙ୍କୁ ସେମାନଙ୍କ ପ୍ରାପ୍ୟ ଦେଇ ଜଙ୍ଗଲର ସୁରକ୍ଷା ଏବଂ ପରିବେଶର ରକ୍ଷା ପାଇଁ ପ୍ରେରଣା ଦେବା ଦରକାର । ତାସହ ଜଙ୍ଗଲୀ ନିଆଁ ରୋକିବାକୁ ଜଙ୍ଗଲ ବିଭାଗ ସହ ଆମ ସମସ୍ତଙ୍କ ଏକମାତ୍ର ଲକ୍ଷ୍ୟ ହେବା ଦରକାର ବୋଲି ଶ୍ରୀ ନାଏକ କହିଛନ୍ତି ।