ଦିନକୁ ଦିନ ସମୁଦ୍ର ଉପକୂଳ ଖାଇବାରେ ଲାଗିଛି। ଏହା ଧନଜୀବନ ଓ ପରିସଂସ୍ଥା ପାଇଁ ବିପଦ ଆଣିଛି। ବିଶ୍ବର ପ୍ରାୟ ୪୦ ପ୍ରତିଶତ ଲୋକ ଉପକୂଳ ଅଞ୍ଚଳରେ ବସବାସ କରିଥା’ନ୍ତି। ତେଣୁ ବିଭିନ୍ନ କାରଣରୁ ସମୁଦ୍ର ପତ୍ତନ ବଢ଼ିବା ଯୋଗୁଁ ଉପକୂଳବାସୀଙ୍କ ପାଇଁ ଭୀଷଣ ବିପଦ ଦେଖାଦେଇଛି। ଏକ ଆକଳନ ଅନୁଯାୟୀ, ଏପରି ବେଳାଭୂମି ଅବକ୍ଷୟ ଯୋଗୁଁ ପ୍ରତିବର୍ଷ ୫୦ କୋଟି ଡଲାର୍ର ଧନସମ୍ପତ୍ତି ନଷ୍ଟ ହେବା ସହ ଖାଦ୍ୟ ସୁରକ୍ଷା ଓ ମଧୁର ପାନୀୟ ଜଳ ଯୋଗାଉଥିବା ୮୦,୦୦୦ ଏକର ଆର୍ଦ୍ରଭୂମି ମଧ୍ୟ କ୍ଷତିଗ୍ରସ୍ତ ହେଉଛି। ଏହି ଧାରା ଜାରି ରହିଲେ ଚଳିତ ଶତାବ୍ଦୀର ଶେଷ ଆଡ଼କୁ ବିଶ୍ବର ପ୍ରାୟ ୨୬% ବେଳାଭୂମି ନିଜର ସତ୍ତା ହରାଇ ବସିଥିବେ।
ଏହି ସଂକଟଜନକ ସ୍ଥିତି ଦୂର କରିବା ଲାଗି ଆମେରିକାର ନର୍ଥଇଷ୍ଟର୍ଣ୍ଣ ବିଶ୍ବବିଦ୍ୟାଳୟର ଗବେଷକମାନେ ଏକ ସମୟୋଚିତ ପ୍ରତିକାର ଆଣିଛନ୍ତି। ସେମାନେ ସମୁଦ୍ର ଉପକୂଳର ବାଲିଗରଡ଼ା ମଧ୍ୟ ଦେଇ ବିଦ୍ୟୁତ୍ ପ୍ରବାହ କରାଇ ସିମେଣ୍ଟ୍ ସଦୃଶ ଏକ ଶକ୍ତ ପଦାର୍ଥ ସୃଷ୍ଟି କରିଛନ୍ତି, ଯାହା ଉପକୂଳ ଅବକ୍ଷୟକୁ ରୋକିପାରିବ। ସୂଚନାଯୋଗ୍ୟ, ସମୁଦ୍ର ଜଳରେ ପ୍ରଭୂତ ପରିମାଣର ଖଣିଜ ପଦାର୍ଥ ଓ ଚାର୍ଜଯୁକ୍ତ କଣିକା (ଆୟନ୍) ଦ୍ରବୀଭୂତ ହୋଇ ରହିଛି। ତେଣୁ ପାଣି ଭିତରେ ବୁଡ଼ି ରହିଥିବା ବାଲିରେ କ୍ଷୀଣ ବିଦ୍ୟୁତ୍ ସ୍ରୋତ ପ୍ରବାହ କରି ସେମାନେ ହାଇଡ୍ରୋକ୍ସାଇଡ୍ ଓ କାଲ୍ସିଅମ୍ କାର୍ବୋନେଟ୍ ପରି ରାସାୟନିକ ଯୌଗିକ ଉତ୍ପନ୍ନ କରିଛନ୍ତି ଯାହା ସିମେଣ୍ଟ ପରି ଶକ୍ତ ଓ କଠିନ। ସୁତରାଂ ଲହଡ଼ିମାଡ଼ରୁ ଉପକୂଳକୁ ବଞ୍ଚାଇବା ଲାଗି ଆଉ ପଥରବାଡ଼ ନିର୍ମାଣ ନକରି ଏପରି ଅଭିନବ ସିମେଣ୍ଟ୍ ତୁଲ୍ୟ ପାଚେରି ଛିଡ଼ା କରିହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/HO4INJIeRdVsUSAaDWj9.jpg)