ବାଲେଶ୍ବର/ସିମୁଳିଆ: ପୃଥିବୀ ଆଉ ଆଗଭଳି ପୃଥିବୀ ହୋଇନାହିଁ। ପୃଥିବୀ ଏବେ ପ୍ରଦୂଷଣର ବିଷ ବଳୟରେ ଅଣନିଶ୍ବାସୀ ହୋଇସାରିଲାଣି। ଫଳରେ ଶୀତଦିନରେ ହିମାଳୟ ପର୍ବତରେ ବରଫ ତରଳୁଛି, ବର୍ଷା ଦିନରେ ବି ବର୍ଷା ହେଉନି, ଗରମ ଦିନରେ ଯେଉଁମାତ୍ରାରେ ଗରମ ହେବା କଥା ତା’ଠୁ ଅଧିକ ହେଉଛି। ଆଶ୍ବିନ ମାସରେ ବୈଶାଖ ମାସ ଭଳି ଗରମ ହେଉଛି। ଚାଷର ନାଁ ଗନ୍ଧ ନାହିଁ। ଜଳ ଅଭାବରୁ ଓ ବର୍ଷା ଅଭାବରୁ ସବୁ ଅଞ୍ଚଳରେ ଜମି ପଡ଼ିଆ ପଡ଼ୁଛି। ଜଳବାୟୁର ଏହି ସବୁ ବ୍ୟତିକ୍ରମ ପାଇଁ ଆମେମାନେ ହିଁ ଦାୟୀ ବୋଲି ଆଜି ବାଲେଶ୍ବର ଜିଲ୍ଲା ସିମୁଳିଆଠାରେ ଅନୁଷ୍ଠିତ ପରିବେଶ ପଞ୍ଚାୟତରେ ଚିନ୍ତାପ୍ରକଟ କରିଛନ୍ତି ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା।
ଶୁକ୍ରବାର ଅପରାହ୍ନରେ ସିମୁଳିଆ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମୁରୁଣା ହାଟପଡ଼ିଆଠାରେ ଅନୁଷ୍ଠିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ‘ସମ୍ବାଦ’ ପକ୍ଷରୁ ପରିବେଶ ସୁରକ୍ଷା ଉଦ୍ଦେଶ୍ୟରେ ରାଜ୍ୟବ୍ୟାପୀ ଚାଲିଥିବା ଏହି ପ୍ରୟାସକୁ ସାଧୁବାଦ ଜଣାଇଥିଲେ। ‘ସମ୍ବାଦ’ର ରକ୍ତଦାନ, ଭାଷା ସୁରକ୍ଷା ଅଭିଯାନ ଭଳି ପରିବେଶ ପଞ୍ଚାୟତ ବା ପୁନଶ୍ଚ ପୃଥିବୀ ଏକ ଅଭିନବ କାର୍ଯ୍ୟକ୍ରମ ବୋଲି କହି ସ୍ବାଗତ କରିଥିଲେ। ନିଜ ବକ୍ତବ୍ୟରେ ଶ୍ରୀ ପଣ୍ଡା ଆହୁରି କହିଥିଲେ ଯେ, ପ୍ରକୃତି ହେଉଛି ଆମ ମା’, ସେ ଆମ ଜନନୀ। କିନ୍ତୁ ସନ୍ତାନ ହିସାବରେ ତା’ ପ୍ରତି ଆମର ଯେଉଁ କର୍ତ୍ତବ୍ୟ ରହିଛି, ତାହା ଆମେ ପାଳନ କରୁନାହୁଁ। ପ୍ରକୃତି ମା’ ଆଜି ଯେଉଁଭଳି ଅତ୍ୟାଚାରର ଶିକାର ହେଉଛି, ତା’ର ପରିଣାମ ସ୍ବରୂପ ଆମର ଜଳବାୟୁ ବିଗିଡ଼ି ବିଗିଡ଼ି ଯାଉଛି। ନିଜ ନିର୍ବାଚନମଣ୍ଡଳୀ କୁପାରୀ ଶୁଆଶାରୀ ପାହାଡ଼ର ଉଦାହରଣ ଦେଇ ସେ କହିଥିଲେ, ଆଗରୁ ଏହି ପାହାଡ଼ରେ ପଲପଲ ହାତୀ, ବାଘ, ଭାଲୁ ଆଦି ଅନେକ ପ୍ରକାର ପଶୁପକ୍ଷୀ ରହୁଥିଲେ। ଏଥିସହ ଗଛଲତା, ଝରଣା ଆଦି ପ୍ରାକୃତିକ ଶୋଭାରାଜିରେ ଶୁଆଶାରୀ ପ୍ରକୃତିର ରାଣୀ ଭଳି ଝଟକୁଥିଲା। ଏବେ କିନ୍ତୁ ସେଠାରେ ଶିଆଳଟିଏ ମଧ୍ୟ ନାହିଁ। ଦିନରାତି ସେଠାରେ ପଥର ବ୍ଲାଷ୍ଟିଂ କରାଯାଉଛି। ମାଫିଆମାନେ ପାହାଡ଼ ଚିରି ହଜାର ହଜାର ଟ୍ରିପ୍‌ ପଥର ଲୁଟି ନେଉଛନ୍ତି। ଯାଜପୁରର ଡଙ୍କାରି ପାହାଡ଼ ଯେପରି ନିଶ୍ଚିହ୍ନ ହୋଇଯାଇଛି, ବର୍ତ୍ତମାନ ଖଇରାର ଶୁଆଶାରୀ ପାହାଡ଼ ସମେତ ସୋର ଅଞ୍ଚଳରେ ଥିବା ଖଞ୍ଜାମାହାଲ ଏବଂ ବାଗୁଡ଼ି ପାହାଡ଼ ଧ୍ବଂସ ହେବାକୁ ଯାଉଛି। ଏ ବିଷୟ ବିଧାନସଭାରେ ଉଠାଯିବା ସହିତ ତୁରନ୍ତ ପାହାଡ଼କୁ ସୁରକ୍ଷା ଦେବା ଲାଗି ଜିଲ୍ଲା ପ୍ରଶାସନକୁ ସେ ଚିଠି ଲେଖିଥିବା କହିଥିଲେ।          
ଅନ୍ୟମାନଙ୍କ ମଧ୍ୟରେ ପରିବେଶବିତ୍‌ ପଦ୍ମଲୋଚନ ଜେନା, ସାମାଜିକ କର୍ମୀ ଅକ୍ଷୟ ବିଶ୍ୱାଳ, ସିମୁଳିଆ ବ୍ଲକ୍‌ ଅଧ୍ୟକ୍ଷ ବାବାଜୀ ମଳିକ, ସିମୁଳିଆ କଲେଜର ପୂର୍ବତନ ଅଧ୍ୟକ୍ଷ ଅଜୟ କୁମାର ପଣ୍ଡା, ସିମୁଳିଆ ‘ସମ୍ବାଦ ସ‌ାହିତ୍ୟଘର’ ସମ୍ପାଦକ ପଦ୍ମଲୋଚନ ଦାସ, ସମାଜସେବୀ ଅମରେଶ ବେହେରା, ସମିତିସଭ୍ୟ ଗୋପୀକାନ୍ତ ମହାନ୍ତି, ପୂର୍ବତନ ସରପଞ୍ଚ ଦୀପକ ରଞ୍ଜନ ଖିଲାର, ସମାଜସେବୀ ରାମଚନ୍ଦ୍ର ମହାକୁଡ଼ ପ୍ରମୁଖ ଆଲୋଚନାରେ ଭାଗ ନେଇ ସିମୁଳିଆ ନିର୍ବାଚନ ମଣ୍ଡଳୀରେ ପରିବେଶକୁ ପ୍ରଭାବିତ କରୁଥିବା ବିଭିନ୍ନ ପ୍ରସଙ୍ଗରେ ନିଜର ମତ ଉପସ୍ଥାପନ କରିଥିଲେ। ଏହି ଅବସରରେ ସିମୁଳିଆ ଓ ଖଇରା ଅଞ୍ଚଳରେ ପରିବେଶ ସୁରକ୍ଷା ଦିଗରେ କାମ କରୁଥିବା ବିଭିନ୍ନ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।