ଖଇରା: ବାଲେଶ୍ବର ଜିଲ୍ଲା ଖଇରା ତହସିଲ ଅଧୀନ ଶାରୀଶୁଆ ପାହାଡ଼ରୁ ପଥର ଉତ୍ତୋଳନ ଜୋରଦାର୍‌ ଚାଲିଛି। ଫଳରେ ପାହାଡ଼ କ୍ରମଶଃ ଅସ୍ତିତ୍ବ ହରାଇବାକୁ ବସିଲାଣି। ଏହାର ପ୍ରଭାବରେ ପର୍ଯ୍ୟାବରଣ ସମ୍ବେଦନଶୀଳ ଅଞ୍ଚଳର ପ୍ରାକୃତିକ ସୌନ୍ଦର୍ଯ୍ୟ ଉଜୁଡ଼ି ଯାଉଛି। ଶାରୀଶୁଆ ପାହାଡ଼ର ୫୧ଟି ଖଣିକୁ ଖନନ ଅନୁମତି ମିଳିବା ପରେ ପାହାଡ଼ରେ ଥିବା ଜଙ୍ଗଲ, ବିଶାଳ ବୃକ୍ଷ ଆଦି ନଷ୍ଟ ହୋଇଯାଉଛି। ସେହିପରି ପର୍ଯ୍ୟାବରଣ ସମ୍ବେଦନଶୀଳ ଅଞ୍ଚଳ ଓ ସଂରକ୍ଷଣ ଜଙ୍ଗଲର ୩ରୁ ୧୫ ମିଟର ଓ ହାତୀ ଚଲାପଥରୁ ୩୦ ମିଟର ଦୂରରେ ଥିବା ଖାଦାନ ନଂ. ୨୧, ୨୯, ୩୦, ୩୨,୪୪, ୫୧, ୬୯, ୭୫, ୭୭, ୯୭, ୧୦୧, ୭୪ ଓ ୩୩ରୁ ଦୈନିକ ବିସ୍ଫୋରଣ କରାଯାଇ ପଥର ଖନନ କରାଯାଉଛି। ଫଳରେ ଭୟରେ ଜୀବଜନ୍ତୁ ଜଙ୍ଗଲ ଛାଡ଼ି ଜନବସତି ମୁହାଁ ହେଉଛନ୍ତି। 

Advertisment

୨୦୦୮ ମସିହାରେ ଖଇରା ତହସିଲ କାର୍ଯ୍ୟାଳୟ ସ୍ଥାପନ ହେବାପରେ ୨୦୦୯-୧୦ ମସିହାରେ ଶାରୀଶୁଆ ପାହାଡ଼ର ୧୦୯ଟି ଖଣିକୁ ସରକାରୀ ଭାବେ ନିଲାମ ଦିଆଯାଇଥିଲା। ମାତ୍ର ହାତୀଙ୍କ ଚଳପ୍ରଚଳ ଲାଗି ୨୦୧୧ ମସିହାରେ କୁଲଡିହା ଅଭୟାରଣ୍ୟକୁ କେନ୍ଦୁଝର ଜିଲ୍ଲା ହଦଗଡ଼ ଯାଏ ବର୍ଦ୍ଧିତ କରାଯିବାକୁ ପ୍ରସ୍ତାବ ରଖିଯାଇଥିଲା। ଯେଉଁଥିରେ ଶାରୀଶୁଆ ପାହାଡ଼ ମଧ୍ୟ ସାମିଲ ଥିଲା। ଯାହାଫଳରେ ହାତୀମାନେ କୁଲଡିହା ଅଭୟାରଣ୍ୟରୁ ପାହାଡ଼ ତଳେ ତଳେ ସାତକୋଶିଆ ଓ ନଟୋ ଜଙ୍ଗଲ ଦେଇ ଶିମିଳିପାଳ ଯାଇପାରିବେ। ଏଥିଲାଗି ୨୦୧୨-୧୩  ମସିହାରୁ ସମସ୍ତ ଖଣିକୁ ବନ୍ଦ କରାଗଲା। ନିଜ ସ୍ବାର୍ଥ ପାଇଁ କେତେକ ପଥର ମାଫିଆ ଉକ୍ତ ଯୋଜନାକୁ ପଣ୍ଡ କରିବାକୁ ଉଦ୍ୟମ ଆରମ୍ଭ କରିଥିଲେ। ଶାରୀଶୁଆ ପାହାଡ଼ ହାତୀ ଚଲାପଥ ଅଞ୍ଚଳରେ ଆସୁ ନଥିବା ସେମାନେ ଦର୍ଶାଇଥିଲେ। ରାଜସ୍ବ ଓ ବନ ବିଭାଗ ପକ୍ଷରୁ ମାପଚୁପ କରାଯାଇ ୧୦୯ରୁ ୯୮ଟି ଖଣି ହାତୀ ଚଲାପଥରେ ଆସୁ ନଥିବା ରିପୋର୍ଟ ବାଲେଶ୍ବର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ। ଏହାପରେ ୨୦୧୭ ସେପ୍ଟେମ୍ବରରେ ୯୮ଟି ଖଣିରୁ ପଥର ଉତ୍ତୋଳନ ଲାଗି ସରକାରୀ ଭାବେ ନିଲାମ ଦିଆଗଲା। ଏଥିରେ ପରିବେଶ ବ୍ୟାପକ ଭାବେ ପ୍ରଭାବିତ ହେବାରୁ ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳର ସ୍ବେଚ୍ଛାସେବୀ ସଂଗଠନ ‘ରୁରାଲ ଅର୍ଗାନାଇଜେସନ ଅଫ୍‌ ସୋସିଆଲ ଏମ୍‌ପାୱାରମେଣ୍ଟ’ (ଆର୍‌ଓଏସ୍‌ଇ) ୨୦୧୯ ଅକ୍ଟୋବରରେ ଗ୍ରିନ୍ ଟ୍ରିବ୍ୟୁନାଲର ଦ୍ବାରସ୍ଥ ହୋଇଥିଲେ। ହାତୀ ଚଲାପଥ ସହ ପରିବେଶ ଉଜୁଡ଼ି ଯାଉଥିବାରୁ ଖଣିକୁ ବନ୍ଦ କରିବାକୁ ସଂପୃକ୍ତ ସଂଗଠନ ଦାବି କରିଥିଲା। ଗ୍ରିନ୍ ଟ୍ରିବ୍ୟୁନାଲର ନିର୍ଦ୍ଦେଶକ୍ରମେ ୪ ବର୍ଷ ପରେ ୯୮ରୁ ୫୧ଟି ଖଣିକୁ ଖଣି ବିଭାଗକୁ ହସ୍ତାନ୍ତର କରାଯାଇଥିଲା। ଏହାପରେ ପଥର ଉତ୍ତୋଳନ ଆରମ୍ଭ ହୋଇଥିଲା। ମାଫିଆମାନେ ମନଇଚ୍ଛା ପଥର ତାଡ଼ି ଚାଲିଥିବା ବେଳେ ଶାରୀଶୁଆ ପାହାଡ଼ର ଉଜୁଡ଼ି ଯାଉଥିବା ପରିବେଶ ପ୍ରତି କେହି ଧ୍ୟାନ ଦେଉନାହାନ୍ତି।

ଏନେଇ ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ତା କହିଛନ୍ତି, ଅଧିକାଂଶ ସମୟରେ ବେଆଇନ ବିସ୍ଫୋରଣ କରି ପଥର ଉତ୍ତୋଳନ ହେଉଛି। ଆଖାପାଖ ଅଞ୍ଚଳର ଲୋକଙ୍କ ଘର କାନ୍ଥ ଫାଟି ଯାଉଛି। ଏନେଇ ଜିଲ୍ଲାପାଳ ଓ ଖଣି ଅଧିକାରୀଙ୍କୁ ତଦନ୍ତ ଲାଗି କରି ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ ବୋଲି ଶ୍ରୀ ପଣ୍ଡା କହିଥିଲେ। ତଥାପି ଶାରୀଶୁଆ ପାହାଡ଼ର ସୁରକ୍ଷା ସମ୍ଭବ ହୋଇ ପାରିନି। ତେଣୁ କୁପାରୀରେ ସ୍ବତନ୍ତ୍ର ଭାବେ ଖଣି ବିଭାଗର ଏକ ଟିମ୍‌ ସର୍ବଦା ମୁତୟନ କରିବା ପ୍ରସଙ୍ଗକୁ ବିଧାନସଭାରେ ଉଠାଇଥିବା ବିଧାୟକ ଶ୍ରୀ ପଣ୍ତା ପ୍ରକାଶ କରିଛନ୍ତି। ସରକାର ଏଦିଗରେ ନଜର ନଦେଲେ, ଶାରୀଶୁଆ ପାହାଡ଼ ଅସ୍ତିତ୍ବ ହରାଇବ ବୋଲି ପରିବେଶବିତ୍‌ ବିଜୟ କୁମାର ଜେନା ପ୍ରକାଶ କରିଛନ୍ତି। ଔପଦା ରେଞ୍ଜର ମନୋରଞ୍ଜନ ନାଇକ କହିଛନ୍ତି ପର୍ଯ୍ୟାବରଣ ସମ୍ବେଦନଶୀଳ ଅଞ୍ଚଳ ଓ ସଂରକ୍ଷଣ ଜଙ୍ଗଲରୁ ପଥର ଖଣି କେତେ ଦୂରରେ ରହିଛି ଜଣାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏନେଇ ରିପୋର୍ଟ ଦିଆଯାଇଛି ବୋଲି ଶ୍ରୀ ନାଇକ ପ୍ରକାଶ କରିଥିଲେ।