ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ସାମୁଦ୍ରିକ ସ୍ରୋତରେ ହେଉଥିବା ପରିବର୍ତ୍ତନ ବୈଜ୍ଞାନିକମାନଙ୍କୁ ଚିନ୍ତାରେ ପକାଇ ଦେଇଛି। ପୃଥିବୀର ସବୁଠାରୁ ଶକ୍ତିଶାଳୀ ସ୍ରୋତ ‘ଆଣ୍ଟାର୍କଟିକା ସାର୍କମପୋଲାର କରେଣ୍ଟ’ (ଏ.ସି.ସି.) କ୍ରମଶଃ ମନ୍ଥର ହୋଇଯାଉଛି। ଜଳବାୟୁ ପରିବର୍ତ୍ତନ ସହ ସଂପୃକ୍ତ ଏହି ପରିବର୍ତ୍ତନ ଫଳରେ ସମୁଦ୍ର ପତ୍ତନ ବୃଦ୍ଧି ପାଇପାରେ ଏବଂ ମହାସାଗରଗୁଡ଼ିକ ଉଷ୍ମତର ହୋଇପାରନ୍ତି। ବିଶ୍ୱ ତାପନ ବୃଦ୍ଧି ବଳବତ୍ତର ରହିଲେ ଆଣ୍ଟାର୍କଟିକାର ବରଫ ତରଳିବା ତ୍ବରାନ୍ବିତ ହେବ ଓ ସାମୁଦ୍ରିକ ସ୍ରୋତ ଅଧିକ ମନ୍ଥର ହୋଇ ପରିସ୍ଥିତିକୁ ଅଧିକ ଜଟିଳ କରିବ ବୋଲି ସମୁଦ୍ରବିଜ୍ଞାନୀ ତଥା ଗବେଷକ ତୈମୁର୍ ସୋହେଲ୍ ମତ ଦେଇଛନ୍ତି।
ମନ୍ଥର ସ୍ରୋତ ଏବଂ ଜଳବାୟୁ ପରିବର୍ତ୍ତନ ପ୍ରଭାବ ମେଲବର୍ନ ବିଶ୍ବବିଦ୍ୟାଳୟ ଦ୍ବାରା କରାଯାଇଥିବା ଏକ ଅଧ୍ୟୟନ ବ୍ୟାପକ ପରିବର୍ତ୍ତନ ସଂପର୍କରେ ସତର୍କ କରାଇଦେଇଛି। ଆଣ୍ଟାର୍କଟିକା ଚାରିକଡ଼େ ପ୍ରବାହିତ ହେଉଥିବା ସାମୁଦ୍ରିକ ସ୍ରୋତଗୁଡ଼ିକ ଖୁବ୍ ଶକ୍ତିଶାଳୀ। ବୈଶ୍ବିକ ତାପମାତ୍ରାକୁ ନିୟନ୍ତ୍ରିତ କରିବାରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥାଏ। ଏହି ସ୍ରୋତ ଉତ୍ତାପ ଓ ଅଙ୍ଗାରକାମ୍ଳକୁ ଶୋଷି ନେଇଥାଏ ଏବଂ ଏହା ଅଧିକ ଉତ୍ତପ୍ତ ଜଳକୁ ଆଣ୍ଟାର୍କଟିକାରେ ପ୍ରବେଶ କରିବାକୁ ଦେଇ ନ ଥାଏ।
‘ଏନ୍ଭିରୋନ୍ମେଣ୍ଟାଲ୍ ରିସର୍ଚ ଲେଟର୍ସ’ରେ ପ୍ରକାଶିତ ଏହି ଅଧ୍ୟୟନ ରିପୋର୍ଟରେ ପୂର୍ବାନୁମାନ କରାଯାଇଛି ଯେ ୨୦୫୦ ମସିହା ବେଳକୁ ଏ.ସି.ସି. ସ୍ରୋତ ୨୦% ମନ୍ଥର ହୋଇଯିବ। ଅଧିକ ଅଙ୍ଗାରକ ଉତ୍ସର୍ଜନ ସ୍ଥିତିକୁ ବିଚାରକୁ ନେଇ ଏହି ଆକଳନ କରାଯାଇଛି। ଆଣ୍ଟାର୍କଟିକାର ବରଫ ତରଳିବା ହିଁ ଏହାର ପ୍ରାଥମିକ କାରଣ ବୋଲି ବୈଜ୍ଞାନିକମାନେ କହିଛନ୍ତି। ‘‘ଏହି ସ୍ରୋତ ଦୁର୍ବଳ ହୋଇଗଲେ ଜଳବାୟୁର ଧାରାକୁ ନେଇ ଆଉ ପୂର୍ବାନୁମାନ କରିହେବ ନାହିଁ। ମହାସାଗର ଅପେକ୍ଷାକୃତ କମ୍ ପରିମାଣର ଅଙ୍ଗାରକ ଶୋଷଣ କରିବ, ଯାହାକି ବୈଶ୍ବିକ ତାପନକୁ ଆହୁରି ତ୍ବରାନ୍ବିତ କରିବ’’ ବୋଲି ଆସୋସିଏଟ୍ ପ୍ରଫେସର ବିଶାଖ ଦତ୍ତ ଗାଏନ କହିଛନ୍ତି।