ସ୍ବଚ୍ଛ ଶକ୍ତି ଉତ୍ପାଦନରେ ସୌରଶକ୍ତିର ଭୂମିକା ମହତ୍ତ୍ବପୂର୍ଣ୍ଣ। ତେବେ ସୂର୍ଯ୍ୟାଲୋକରୁ ବିଜୁଳି ଶକ୍ତି ଉତ୍ପାଦନ କରୁଥିବା ସୋଲାର୍‌ ପ୍ୟାନେଲ୍‌ର ଆୟୁଷ ୨୫-୩୦ ବର୍ଷ ହୋଇଥିବାରୁ ୨୦୪୭ ସୁଦ୍ଧା ଭାରତରେ ପ୍ରାୟ ୧୧ ନିୟୁତ ଟନ୍ ସୌର ଆବର୍ଜନା ଉତ୍ପାଦିତ ହେବ ବୋଲି ଅନୁମାନ କରାଯାଉଛି। ଦିଲ୍ଲୀଭିତ୍ତିକ ଶକ୍ତି, ପରିବେଶ ଓ ଜଳ ପରିଷଦ (ସିଇଇଡବ୍‌ଲ୍ୟୁ)ର ଏକ ଅଧ୍ୟୟନ ଅନୁଯାୟୀ ଏହି ବର୍ଜ୍ୟ ମୁଖ୍ୟତଃ ସୋଲାର୍‌ ପ୍ୟାନେଲ୍‌ରୁ ସୃଷ୍ଟି ହେବ। ଏହି ଆବର୍ଜନାର ପରିଚାଳନା ପାଇଁ ସାରା ଦେଶରେ ପ୍ରାୟ ୩୦୦ ପୁନଃଚକ୍ରଣ ପ୍ଲାଣ୍ଟ ଏବଂ ପ୍ରାୟ ୪,୨୦୦ କୋଟି ଟଙ୍କାର ବିନିଯୋଗ ଆବଶ୍ୟକ ହେବ। ୨୦୪୭ ସୁଦ୍ଧା ପରିତ୍ୟକ୍ତ ସୌର ପ୍ୟାନେଲରୁ ମୂଲ୍ୟବାନ ଧାତୁ ସଂଗ୍ରହ ଓ ପୁନଃବ୍ୟବହାର ଶିଳ୍ପ ବିକଶିତ ହୋଇପାରିଲେ ୩,୭୦୦ କୋଟି ଟଙ୍କାର ବଜାର ସୃଷ୍ଟି ହୋଇପାରିବ।

Advertisment

ଏହି ସମ୍ଭାବନାକୁ ବାସ୍ତବତାରେ ପରିଣତ କରାଗଲେ ୨୦୪୭ ବେଳକୁ ସୌର ଆବର୍ଜନାରୁ ପୁନରୁଦ୍ଧାର ସିଲିକନ୍, ତମ୍ବା, ଆଲୁମିନିଅମ୍ ଓ ରୁପା ଭଳି ମୂଲ୍ୟବାନ ସାମଗ୍ରୀ ନୂଆ ପ୍ୟାନେଲ୍‌ ଚାହିଦାର ୩୮% ପୂରଣ କରିପାରିବ ଏବଂ ଏହି ପ୍ରକ୍ରିୟାରେ ୩୭ ନିୟୁତ ଟନ୍ ଅଙ୍ଗାର ନିର୍ଗମନକୁ ଏଡ଼ାଇ ଦିଆଯାଇପାରିବ। ସିଇଇଡବ୍‌ଲ୍ୟୁର ଏହି ଅଧ୍ୟୟନ ଦେଶରେ ଏକ ଘରୋଇ ସୌର ପୁନଃଚକ୍ରଣ ଇକୋସିଷ୍ଟମ ପ୍ରସ୍ତୁତିର ବ୍ୟାପକ ନକ୍ସା ଉପସ୍ଥାପନ କରିଛି, ଯାହା ଉଭୟ ସ୍ୱଚ୍ଛ ଶକ୍ତି ଓ ଉତ୍ପାଦନ ଆତ୍ମନିର୍ଭରଶୀଳତା ପାଇଁ ଉପାଦେୟ ସାବ୍ୟସ୍ତ ହୋଇପାରିବ।