ଦଶରଥପୁର: ନଦୀନାଳ ଭରା ଯାଜପୁର ନିର୍ବାଚନମଣ୍ଡଳୀରେ ଜଳାଭାବ ଦେଖା ଦେଲାଣି। ବୈତରଣୀରେ ପାଣି ନାହିଁ। ନଦୀଶଯ୍ୟାକୁ ପୋତିଦେବା ଯୋଗୁଁ ଜଳସ୍ରୋତ ପ୍ରଭାବିତ ହେଉଛି। ନଦୀରୁ ବେଆଇନ ବାଲି ଉତ୍ତୋଳନ ମଧ୍ୟ ପରିବେଶକୁ ପ୍ରଭାବିତ କରୁଛି। ସେହିପରି ଯାଜପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଦଶରଥପୁର ବ୍ଲକ୍ର ଅଧିକାଂଶ ପଞ୍ଚାୟତରେ ଜଳ ସମସ୍ୟା ରହିଛି। ଭୂତଳଜଳ ମଧ୍ୟ ପିଇବା ଯୋଗ୍ୟ ହେଉନାହିଁ। ଜଳ ଅପଚୟ ରୋକିବା ପାଇଁ ଉଦ୍ୟମ କରାଯିବାର ଆବଶ୍ୟକତା ରହିଛି ବୋଲି ‘ସମ୍ବାଦ’ ଗ୍ରୁପ୍ ପକ୍ଷରୁ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଦଶରଥପୁର ବ୍ଲକ୍ କୁଆଁସ ମଙ୍ଗଳା ପୀଠର ବ୍ରଜସୁନ୍ଦର କଲ୍ୟାଣମଣ୍ଡପରେ ଅନୁଷ୍ଠିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯାଜପୁର ବିଧାୟିକା ସୁଜାତା ସାହୁ ଯୋଗଦେଇ ସୁସ୍ଥ ସମାଜ ପାଇଁ ବୃକ୍ଷରୋପଣର ଆବଶ୍ୟକତା ସମ୍ପର୍କରେ ଗୁରୁତ୍ବାରୋପ କରିଥିଲେ।
ପରିବେଶ ପାଇଁ ଏହାର ଉପାଦେୟତାକୁ ଅନୁଭବ କରିବାକୁ କହିଥିଲେ। ଅନ୍ତୁଡ଼ିଶାଳରୁ ଶଶ୍ମାନ ପର୍ଯ୍ୟନ୍ତ ଗଛ ମଣିଷକୁ ସେବା ଦେଇଥାଏ। ବ୍ୟାପକ ବୃକ୍ଷରୋପଣ କରାଗଲେ ଯାଜପୁର ନିର୍ବାଚନମଣ୍ଡଳୀ ସବୁଜସୁନ୍ଦର ହୋଇପାରିବ ବୋଲି ବିଧାୟିକା ଶ୍ରୀମତୀ ସାହୁ ମତ ଦେଇଥିଲେ। ସମ୍ମାନିତ ଅତିଥିଭାବେ ସମାଜସେବୀ କର୍ଣ୍ଣାଟକେଶରୀ ଦାସ ଉପସ୍ଥିତ ରହି ‘ସମ୍ବାଦ’ର ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ପରିବେଶ ପ୍ରଦୂଷଣ ପାଇଁ ଆମେ ସମସ୍ତେ ଦାୟୀ ବୋଲି ଶ୍ରୀ ଦାସ କହିଥିଲେ। ନିର୍ବାଚନମଣ୍ଡଳୀର ସବୁ ପଞ୍ଚାୟତରେ ବିଧାୟିକାଙ୍କ ସହଯୋଗରେ ପରିବେଶ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ କରିବାକୁ ଅନୁରୋଧ କରିଥିଲେ। ଅନ୍ୟତମ ଅତିଥିଭାବେ ଦଶରଥପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଦିଗାମ୍ବର ମଲ୍ଲିକ ଯୋଗଦେଇ ପରିବେଶ ନଷ୍ଟ ହେଲେ ଜୀବଜଗତ ଲୋପ ପାଇଯିବ ବୋଲି କହିଥିଲେ। ପରିବେଶବିତ୍ ଜଗଦୀଶ ଶଙ୍କର ସାହୁ କହିଥିଲେ, ପ୍ରକୃତିକୁ ଭଲ ପାଇବା ଆବଶ୍ୟକ। ଯୁବଗୋଷ୍ଠୀ ନିଜ ଗାଁକୁ ସବୁଜସୁନ୍ଦର କରିବା ପାଇଁ ବୃକ୍ଷରୋପଣ କଲେ ଧୀରେ ଧୀରେ ପୂରା ନିର୍ବାଚନମଣ୍ଡଳୀ ସବୁଜିମାରେ ଭରିଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/KiOWM7n87CJe1qFPmXNy.jpg)