ଜଳବାୟୁ ପରିବର୍ତ୍ତନ ଦ୍ବାରା ବିଶ୍ବର ସହରୀ ଇଲାକାଗୁଡ଼ିକ ଅଧିକ ପ୍ରଭାବିତ। ଏହା ସେମାନଙ୍କ ଅସ୍ତିତ୍ବ ପାଇଁ ବିରାଟ ଆହ୍ବାନ ସୃଷ୍ଟି କରିଛି। ତେବେ ଆମେରିକାର ସାନ୍ ଡିଏଗୋ, ଇଟାଲିର ମିଲାନ୍ ଓ ଇଣ୍ଡୋନେସିଆର ଜାକର୍ତ୍ତା ପରି ସହର ଭିନ୍ନ ଭିନ୍ନ ଢଙ୍ଗରେ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଆଗେଇ ଆସିଛନ୍ତି, ଯାହା ଅନ୍ୟମାନଙ୍କ ପାଇଁ ଉଦାହରଣୀୟ। କାଲିଫର୍ଣ୍ଣିଆର ଜଳକ୍ଳିଷ୍ଟ ସହର ସାନ୍ ଡିଏଗୋରେ ଆଗାମୀ ଦିନରେ ଅଧିକ ଅନାବୃଷ୍ଟିର ଆଶଙ୍କା ଥିବାରୁ ଜଳ ପରି ଦୁର୍ମୂଲ୍ୟ ସମ୍ବଳର ସଂରକ୍ଷଣ ଅତ୍ୟନ୍ତ ଗୁରୁତ୍ବ ବହନ କରୁଛି। ସେହିପରି ଇଟାଲିର ମିଲାନ୍ର ମାର୍ବଲ ନିର୍ମିତ କୋଠାବାଡ଼ି ସାଙ୍ଗକୁ ପଥର ନିର୍ମିତ ସଂକୀର୍ଣ୍ଣ ରାସ୍ତାଘାଟ ମନୋରମ ହୋଇଥିଲେ ହେଁ ପଥରଗୁଡ଼ିକ ତାପ ବିକିରଣ କରିବା ସହ ଟୋପେ ବି ବର୍ଷାଜଳ ଶୋଷଣ କରିପାରନ୍ତି ନାହିଁ। ତେଣୁ ଆଗାମୀ ଦିନରେ ସେଠି ବର୍ଦ୍ଧିତ ତାପମାତ୍ରା ଓ ବନ୍ୟାପ୍ଳାବନ ସ୍ଥିତି ଅଧିକ ଦେଖାଦେବାର ଆଶଙ୍କା ରହିଛି। ଏଥି ସହିତ ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତା ସହର ପ୍ରତିବର୍ଷ ଶୀତଦିନେ ଜଳବନ୍ଦି ହୋଇ ରହିଥାଏ।
ସୂଚନାଯୋଗ୍ୟ, କେତେକ ସ୍ଥାନରେ ଜଳବାୟୁ ପରିବର୍ତ୍ତନ ଭୀଷଣ ବୃଷ୍ଟିପାତ କରାଉଥିବା ବେଳେ କେଉଁଠି ମରୁଡ଼ିର ପଦଧ୍ବନି ଶୁଭୁଛି। ତେବେ ପ୍ରତିକାର ସ୍ବରୂପ ଜୀବାଶ୍ମ ତୈଳର ବ୍ୟବହାରକୁ କମାଇ ତାପମାତ୍ରା ବୃଦ୍ଧିକୁ ରୋକାଯାଇପାରିଲେ ମନୁଷ୍ୟକୃତ ଜଳବାୟୁ ପରିବର୍ତ୍ତନର ମୁକାବିଲା କରିହେବ। ମାତ୍ର ସମ୍ପ୍ରତି ତାପମାତ୍ରାରେ ଉଲ୍ଲେଖନୀୟ ବୃଦ୍ଧି ଘଟିସାରିଛି। ତେଣୁ ସହରଗୁଡ଼ିକୁ ନିଆରା ପଦକ୍ଷେପ ଆପଣେଇବାକୁ ପଡୁଛି। ଏହି କ୍ରମରେ ମିଲାନ୍କୁ ଥଣ୍ଡା ରଖିବା ପାଇଁ ସହରକୁ ପାରୁପର୍ଯ୍ୟନ୍ତ ସବୁଜିମାରେ ଆଚ୍ଛାଦିତ କରାଯାଉଛି। ସେଠାରେ ୨୦୩୦ ସୁଦ୍ଧା ୩୦ ଲକ୍ଷ ଗଛ ଲଗାଯିବାର ଯୋଜନା କରାଯାଇଛି। ସମୁଦ୍ର ପତ୍ତନ ବୃଦ୍ଧି ଯୋଗୁଁ ୨୦୫୦ ବେଳକୁ ଜାକର୍ତ୍ତାର ୯୫% ଉପକୂଳବର୍ତ୍ତୀ ଭୂମି ଜଳମଗ୍ନ ହୋଇଯାଇଥିବ ବୋଲି ଆକଳନ କରାଯାଇଛି। ଏହାକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଥିଲେ ହେଁ ଜାକର୍ତ୍ତା ଅଧିବାସୀ ଅନ୍ୟତ୍ର ସ୍ଥାନାନ୍ତର ହେବା ହିଁ ଶେଷ ଉପାୟ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ଇଣ୍ଡୋନେସିଆ ସରକାର ‘ନୁସାନ୍ତରା’ ନାମକ ନୂଆ ସହରକୁ ରାଜଧାନୀ ସ୍ଥାନାନ୍ତର କରିବାକୁ ଯାଉଛନ୍ତି।
ସାନ୍ ଡିଏଗୋର ସମସ୍ୟା ହେଉଛି ମରୁଡ଼ି। ଏହି ସହରରେ ବାର୍ଷିକ ୩୦ ସେଣ୍ଟିମିଟର୍ରୁ କମ୍ ବୃଷ୍ଟିପାତ ହୋଇଥାଏ। କିଛି ଦଶନ୍ଧି ତଳୁ ଏହା ଜଳବାୟୁ ଅନୁକୂଳ ପଦକ୍ଷେପ ନେଇଆସୁଥିବାରୁ ଏହାର ସ୍ଥିତି ଅପେକ୍ଷାକୃତ ଭଲ ଅଛି। ଏହି ସହରର ମୁଣ୍ଡପିଛା ଜଳ ବ୍ୟବହାର ପରିମାଣ ୩୦ ବର୍ଷରେ ଅର୍ଦ୍ଧେକ ହୋଇପାରିଛି। ଏବେ ସେଠାକାର ପାନୀୟଜଳ ଚାହିଦାର ୧୦% ଲବଣ ଅପସୃତ ସମୁଦ୍ର ଜଳ ଦ୍ବାରା ପୂରା ହୋଇପାରୁଛି। ପ୍ରଶାସନ ଆଗାମୀ ଦଶନ୍ଧିରେ ନଳାପାଣିକୁ ବିଶୁଦ୍ଧ କରି ପାନୀୟଜଳ ଭାବେ ଅଧିବାସୀଙ୍କୁ ଯୋଗାଇବାର ଯୋଜନା କରୁଛନ୍ତି। ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ କୌଣସି ଗୋଟିଏ ପଦକ୍ଷେପ ଯଥେଷ୍ଟ ହେଉନଥିବା ବେଳେ ଉପରୋକ୍ତ ତିନିଟି ସହର ଆପଣେଇଥିବା ଭିନ୍ନଭିନ୍ନ ପଦକ୍ଷେପ ଏବେ ଆଶାର କିରଣ ସାଜିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/F0wmcxT7HtWHO6l8byyn.jpg)