ଫୁଲବାଣୀ: ପରିବେଶ ସୁରକ୍ଷା ପାଇଁ କନ୍ଧମାଳର ଗୋଟିଏ ଛୋଟିଆ ଆଦିବାସୀ ପଲ୍ଲୀର ଲୋକଙ୍କ ନିଷ୍ଠାପର ଉଦ୍ୟମ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛି। କନ୍ଧମାଳ ଜିଲ୍ଲା ଫୁଲବାଣୀ ରେଞ୍ଜ୍‌ ଅନ୍ତର୍ଗତ ମଲିକପଡ଼ା ଗ୍ରାମର ଆଦିବାସୀ ପୁରୁଷ ଓ ମହିଳାମାନେ ଏକତ୍ର ହୋଇ ଗାଁ ଉପକଣ୍ଠରେ ଥିବା ଏକ ଲଣ୍ଡା ପାହାଡ଼କୁ ସବୁଜିମ‌ାମୟ କରିଛନ୍ତି। ଗାଁଲୋକେ ଏହି ଟାଙ୍ଗରା ପାହାଡ଼ ଉପରେ ୨୦ ହଜାର ମୂଲ୍ୟବାନ ଗଛ ଲଗାଇଛନ୍ତି। ଖାଲି ଗଛ ଲଗାଇ ଏହି ଗାଁର ଆଦିବାସୀମାନେ ନିଜର କାମ ସାରି ଦେଇ ନାହାନ୍ତି। ବରଂ ପାହାଡ଼ର ଚାରିକଡ଼େ ତାରବାଡ଼ ବୁଲେଇ ଗଛଗୁଡ଼ିକୁ ସୁରକ୍ଷା ପ୍ରଦାନ କରିଛନ୍ତି। ଏହି ଲଣ୍ଡା ପାହାଡ଼ର ୨୫ ଏକର ଜମିରେ ୨୦ ହଜାର ନିମ୍ବ, ଆମ୍ବ, ପଣସ, ବାଉଁଶ, ଜାମୁ, କରଞ୍ଜ, ହରିଡ଼ା, ବାହାଡ଼ା, ଅଶ୍ବତ୍‌ଥ, ବର, ଅଁଳା, ମେହଗାନି, କାଜୁ ଓ ପାଇନ୍‌ ଆଦି ଗଛ ଲଗାଇଛନ୍ତି। ଏଥିରେ ଫୁଲବାଣୀ ବନଖଣ୍ଡ ଅନ୍ତର୍ଗତ ଫୁଲବାଣୀ ରେଞ୍ଜ ଅଧିକାରୀ ଶିବାନନ୍ଦ ଲେଙ୍କା, ଫରେଷ୍ଟର ମୋନାଲିସା ପଣ୍ଡା, ଫରେଷ୍ଟଗାର୍ଡ ପୁଷ୍ପାଞ୍ଜଳି ପାଢ଼ୀ ପ୍ରମୁଖ ବନ କର୍ମଚାରୀମାନେ ସହାୟତା କରିଛନ୍ତି।

Advertisment

ପୂର୍ବରୁ ଏହି ପାହାଡ଼ଟି ବୃକ୍ଷଶୂନ୍ୟ ରହିଥିଲା। ବନ ବିଭାଗ ପକ୍ଷରୁ ଗାଁ ଲୋକଙ୍କ ରୋଜଗାର ବଢ଼ାଇବା ଉଦ୍ଦେଶ୍ୟରେ ଏଠାରେ ୪ ହଜାର ଆମ୍ବ ଓ ୪ ହଜାର ପଣସ ଗଛ ଲଗାଯାଇଛି। ସେହିଭଳି ବଡ଼ବଡ଼ ଗଛ ବଢ଼ିଲେ ଏଠାରେ ବିଭିନ୍ନ ପ୍ରଜାତିର ପକ୍ଷୀ ମଧ୍ୟ ବାସ କରିବେ। ହରିଡ଼ା, ବାହାଡ଼ା, ଅଁଳା, ନିମ୍ବ, ମେହଗାନି ଭଳି ଔଷଧୀୟ ବୃକ୍ଷ ଯୋଗୁ ଲୋକେ ସ୍ବାବଲମ୍ବୀ ହୋଇପାରିବେ। ଏବେ ଗାଁ ଲୋକେ ପାଳିକରି ଏସବୁ ଗଛଗୁଡ଼ିକୁ ଜଗୁଛନ୍ତି ବୋଲି ଗାଁର ସୁରେନ୍ଦ୍ର ସାହୁ, ପ୍ରଶାନ୍ତ ସାହୁ ଓ ରଞ୍ଜନ ନାୟକ କହିଛନ୍ତି। ସେହିଭଳି ମହିଳାମାନେ ମଧ୍ୟ ଠେଙ୍ଗା ଧରି ଏହି ପାହାଡ଼ରେ ଲଗା ଯାଇଥିବା ଗଛକୁ ଜଗି ରହୁଛନ୍ତି ବୋଲି ଗାଁର ଅପର୍ଣ୍ଣା ନାୟକ, ସସ୍ମିତା ସାହୁ, ଶାନ୍ତିଲତା ସାହୁ, ମମତା ସାହୁ, ସବିତା ନାୟକ ସୂଚନା ଦେଇଛନ୍ତି। ତିନିବର୍ଷ ପର୍ଯ୍ୟନ୍ତ ଏ ସବୁ ଗଛର ରକ୍ଷଣାବେକ୍ଷଣ ଦାୟିତ୍ବ ବନ ବିଭାଗ ହାତରେ ରହିବ। ତିନିବର୍ଷ ପରେ ଏସବୁ ଗଛର ମାଲିକାନା ମଲିକପଡ଼ା ଗ୍ରାମବାସୀଙ୍କ ହାତକୁ ଚାଲିଯିବ ବୋଲି ରେଞ୍ଜ ଅଧିକାରୀ ଶ୍ରୀ ଲେଙ୍କା କହିଛନ୍ତି। ପୂର୍ବରୁ ଏହି ଲଣ୍ଡା ପାହାଡ଼ରୁ ମାଫିଆମାନେ ପଥର ଚୋରି କରୁଥିଲେ। କିନ୍ତୁ ଗାଁଲୋକେ ସଚେତନ ହେବା ପରେ ପଥର ଚୋରି ରୋକାଯାଇଛି। ପାହାଡ଼ରେ ଗଛ ଲଗାଯିବା ଫଳରେ ଟାଙ୍ଗରା ପାହାଡ଼ଟି ସବୁଜିମାରେ ଭରିଛି।