ସମ୍ପ୍ରତି ବୈଶ୍ବିକ ଉଷ୍ଣତା ଓ ପାଗ ଢାଞ୍ଚାରେ ପରିବର୍ତ୍ତନ ଆଲୋଚ୍ୟ ପ୍ରସଙ୍ଗ ପାଲଟିଛି। ତେବେ ବିଶ୍ୱର ଅନେକ ଅଂଶ ଭୂପୃଷ୍ଠ ତାପମାତ୍ରାରେ ଅନିଶ୍ଚିତ ବୃଦ୍ଧି ଅନୁଭବ କରୁଥିବା ବେଳେ ଆଶ୍ଚର୍ଯ୍ୟଜନକ ଭାବରେ ଦକ୍ଷିଣ ଏସୀୟ ଅଞ୍ଚଳ, ବିଶେଷ କରି ଭାରତୀୟ ଉପମହାଦେଶ ଅପେକ୍ଷାକୃତ କମ୍ ବେଗରେ ଉଷ୍ଣ ହେଉଛି। ପ୍ରଥମ ନଜରରେ, ଏହା ଭାରତୀୟଙ୍କ ପାଇଁ ଭଲ ଖବର ପରି ମନେହୁଏ, ମାତ୍ର ଏପରି ମନ୍ଥର ଉତ୍ତପ୍ତୀକରଣ ପଛରେ ଥିବା କାରଣଗୁଡ଼ିକ ପ୍ରକୃତରେ ଆମ ପାଇଁ ଅଧିକ ଚିନ୍ତାଜନକ।
ତଥ୍ୟାନୁଯାୟୀ, ଗତ ୪୦ ବର୍ଷ ମଧ୍ୟରେ ଦକ୍ଷିଣ ଏସୀୟ ଅଞ୍ଚଳର ତାପମାତ୍ରା ପ୍ରତି ଦଶନ୍ଧିରେ ପ୍ରାୟ ୦.୦୯ ସେଲ୍ସିଅସ୍ ବୃଦ୍ଧି ପାଇଛି, ଯାହା ବିଶ୍ୱ ହାରାହାରି ୦.୩୦ ସେଲ୍ସିଅସ୍ ତୁଳନାରେ ଯଥେଷ୍ଟ କମ୍ ଏବଂ ସମାନ ଅକ୍ଷାଂଶରେ ଥିବା ଅଞ୍ଚଳଗୁଡ଼ିକ ପାଇଁ ରେକର୍ଡ ହୋଇଥିବା ୦.୨୩ ସେଲ୍ସିଅସ ତଳେ। ତେଣୁ, ଭାରତ ଓ ପଡ଼ୋଶୀ ଅଞ୍ଚଳରେ ଏହା ପଛରେ ଥିବା କାରଣଗୁଡ଼ିକୁ ବୁଝିବା ଗୁରୁତ୍ୱପୂର୍ଣ୍ଣ। ଏହା ନିଃସନ୍ଦେହ ଯେ ଭାରତ, ବିଶେଷକରି ପଞ୍ଜାବ ଓ ହରିୟାଣାରୁ ବାଂଲାଦେଶ ପର୍ଯ୍ୟନ୍ତ ବିସ୍ତୃତ ଇଣ୍ଡୋ-ଗାଙ୍ଗେୟ ସମତଳ, ବିଶ୍ୱର ସବୁଠାରୁ ପ୍ରଦୂଷିତ ଅଞ୍ଚଳ ମଧ୍ୟରୁ ଗୋଟିଏ। ଏଥିରେ ଅଙ୍ଗାରକାମ୍ଳ ପରି ସବୁଜଗୃହ ଗ୍ୟାସ୍ ନିର୍ଗମନର ଭୂମିକା ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ବାୟୁ ପ୍ରଦୂଷଣକାରୀ ଏରୋସୋଲ ଏବଂ ସବୁଜଗୃହ ଗ୍ୟାସ୍ର ଉତ୍ସ ସମାନ। ତେବେ ପାଶ୍ଚାତ୍ୟ ଦେଶମାନେ ଉଭୟକୁ ହ୍ରାସ କରିଥିବା ବେଳେ ଭାରତ, ପାକିସ୍ତାନ ଓ ବାଂଲାଦେଶ ଭଳି ଦକ୍ଷିଣ ଏସୀୟ ଦେଶଗୁଡ଼ିକରେ ଏରୋସୋଲ ସ୍ତର ସମାନୁପାତିକ ଭାବରେ ହ୍ରାସ ପାଇନାହିଁ।
ଏଠାରେ କୋଇଲାରୁ ବିଦ୍ୟୁତ୍ ଉତ୍ପାଦନ ଏବଂ ଶିଳ୍ପରୁ ପ୍ରଦୂଷଣ ଉତ୍ସର୍ଜନ ଅଧିକ ରହିଛି। ଉଷ୍ଣତାକୁ କମାଇବାରେ ସଲଫେଟ୍ ପରି ଏରୋସୋଲର ଭୂମିକା ପ୍ରଣିଧାନଯୋଗ୍ୟ। ଏହା ସୂର୍ଯ୍ୟାଲୋକକୁ ଦର୍ପଣ ପରି ପ୍ରତିଫଳିତ କରିଦିଏ ଏବଂ ତାହା ଉପର ବାୟୁମଣ୍ଡଳରେ ସୂର୍ଯ୍ୟକିରଣ ବିଚ୍ଛୁରିତ କରି ପୃଥିବୀ ପୃଷ୍ଠର ଉଷ୍ଣତାକୁ କମାଇ ସବୁଜ ଗୃହ ଗ୍ୟାସ୍-ପ୍ରେରିତ ତାପମାତ୍ରା ବୃଦ୍ଧିକୁ ଲୁଚାଇ ରଖେ। ସଲଫେଟ୍ ମେଘ ବୁନ୍ଦା ସଂଖ୍ୟା ମଧ୍ୟ ବୃଦ୍ଧି କରେ। ଦିଲ୍ଲୀ ଭଳି ସହରରେ ସଲଫେଟ୍ ସ୍ତର ପ୍ରାୟତଃ ବାର୍ଷିକ ୨୦ ଗ୍ରାମ/ମି ଅତିକ୍ରମ କରିଥାଏ। ସଲଫେଟ୍ ବ୍ୟତୀତ ଜଙ୍ଗଲୀ ନିଆଁ, କୃଷି ନିଆଁ ଓ ଜୀବାଶ୍ମ ଇନ୍ଧନ ଦହନରୁ ସୃଷ୍ଟ ବ୍ରାଉନ୍ କାର୍ବନ ମଧ୍ୟ ସୂର୍ଯ୍ୟକିରଣ ବିଚ୍ଛୁରିତ କରି ବାୟୁମଣ୍ଡଳକୁ ଥଣ୍ଡା କରେ। ସେହିପରି ନାଇଟ୍ରୋଜେନ୍, ସମୁଦ୍ର ଲବଣ ଓ ଖଣିଜ ଲବଣର ଅକ୍ସାଇଡ୍ ମଧ୍ୟ ଅନୁରୂପ ଭାବେ ପୃଥିବୀକୁ ଥଣ୍ଡା ରଖିବାରେ ସାହାଯ୍ୟ କରେ।
ଏବେ ଚିନ୍ତାର କାରଣ ହେଲା ନାଇଟ୍ରେଟ୍ ଉତ୍ସର୍ଜନ ହ୍ରାସ ପାଇବା ପରେ ତାପମାତ୍ରା ବୃଦ୍ଧିର ବେଗ ତୀବ୍ରତର ହେବ। ଉନ୍ନତ ବର୍ଜ୍ୟବସ୍ତୁ ପରିଚାଳନା ମାଧ୍ୟମରେ ମିଥେନ ହ୍ରାସ ଯଦିଓ ସ୍ବଳ୍ପକାଳୀନ ଉଷ୍ମତାକୁ ଧୀର କରିପାରେ, ତେବେ ଅଙ୍ଗାରକାମ୍ଳର ଦୀର୍ଘ ଜୀବନକାଳର ଅର୍ଥ- ଏହାର ପ୍ରଭାବ ଶତାବ୍ଦୀ ଶତାବ୍ଦୀ ଧରି ଜାରି ରହିବ, ଯାହା ଅଂଶୁଘାତ ଓ ବନ୍ୟା ଭଳି ବିପଦକୁ ବୃଦ୍ଧି କରିବ।