କପ୍ତିପଦା: ସୋନ ନଦୀକୁ ମୟୂରଭଞ୍ଜର ଜିଲ୍ଲାର କପ୍ତିପଦା, ଉଦଳା, ଗୋପବନ୍ଧୁନଗର ଏବଂ ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ୍ର ଜୀବନରେଖା କୁହାଯାଏ। ହେଲେ ଏହି ନଦୀର ଅସ୍ତିତ୍ବ ସଙ୍କଟରେ ପଡ଼ିଛି। ବର୍ଷାଦିନେ କୂଳ ଲଂଘୁଥିବା ସୋନ ନଦୀ ଏବେ ସମ୍ପୂର୍ଣ୍ଣ ଶୁଖିଲା ପଡ଼ିଛି। ଏହି ନଦୀର ପାଣିକୁ ଭରସା କରି ଚାଷକାର୍ଯ୍ୟ କରୁଥିବା ଚାଷୀ ମୁଣ୍ଡରେ ହାତ ଦେଇଥିବା ବେଳେ ନଦୀ ତଟବର୍ତ୍ତୀ ଗ୍ରାମରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି।
କପ୍ତିପଦା ବ୍ଲକ୍ର କଳମଗଡ଼ିଆ ପଞ୍ଚାୟତର ଏକ ସୁନାରି ଗଛ ପାଖରୁ ଉତ୍ପତ୍ତି ହୋଇଥିବାରୁ ଏହି ନଦୀର ନାମ ସୋନ ରଖାଯାଇଛି। ଏହା କପ୍ତିପଦା, ଉଦଳା, ଗୋପବନ୍ଧୁନଗର, ନୀଳଗିରି ବ୍ଲକ୍ ହୋଇ ରେମୁଣା ବ୍ଲକ୍ ନିକଟରେ ବୁଢ଼ାବଳଙ୍ଗ ନଦୀରେ ମିଶିଛି। ଏହି ନଦୀ ଉପରେ ଶାଳଚୁଆଠାରେ ଏକ ଡ୍ୟାମ୍ ନିର୍ମାଣ ହୋଇ କେନାଲ ମାଧ୍ୟମରେ ଚାଷ ଜମିକୁ ଜଳସେଚନ କରାଯାଉଛି। ଏଥିସହ କପ୍ତିପଦା, ଉଦଳା, ଗୋପବନ୍ଧୁନଗର, ନୀଳଗିରି ବ୍ଲକ୍ର ହଜାର ହଜାର ଚାଷୀ ସୋନନଦୀର ପାଣିକୁ ଉପଯୋଗ କରି ନଦୀପଠାରେ ପନିପରିବା ଚାଷ କରନ୍ତି। ହେଲେ ଏବେ ନଦୀରେ ପାଣି ନଥିବାରୁ ଡ୍ୟାମ୍ ଶୁଖିଲା ପଡ଼ିଥିବା ବେଳେ ନଦୀକୂଳିଆ ଚାଷୀ ବି ପ୍ରଭାବିତ ହେଉଛନ୍ତି।
ଗୋଟିଏ ପଟେ ଚାଷକାର୍ଯ୍ୟ ପାଇଁ ପାଣି ମିଳୁନଥିବା ବେଳେ ଅନ୍ୟପଟେ ଭୂତଳ ଜଳସ୍ତର ମଧ୍ୟ ଖସିବାରେ ଲାଗିଛି। ଏଥିପାଇଁ ସୋନନଦୀ ତଟବର୍ତ୍ତୀ ୨୦ରୁ ଅଧିକ ଗ୍ରାମରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ସେହିପରି ନଦୀର ଉତ୍ପତ୍ତିସ୍ଥଳଠାରୁ ଶେଷସ୍ଥାନ ପର୍ଯ୍ୟନ୍ତ ନଦୀଗର୍ଭକୁ ବାଲି ମାଫିଆମାନେ ବିଦାରି ପକାଇଲେଣି। ନଦୀଶଯ୍ୟାରୁ ଦୈନିକ ହଜାର ହଜାର ଟନ୍ ବାଲି ଲୁଟ୍ ହେଉଛି। ଏହି ନଦୀରେ ୧୫ଟି ସରକାରୀ ବାଲିଘାଟ ଥିବାବେଳେ ଏନ୍ଜିଟି କଟକଣା ପାଇଁ ଏହାର ନିଲାମ ହେଉନି। ଏହି ସୁଯୋଗରେ ବାଲି ମାଫିଆମାନେ ବିଳମ୍ବିତ ରାତିରୁ ସକାଳ ପର୍ଯ୍ୟନ୍ତ ନଦୀଗର୍ଭକୁ କୋରି ଚାଲିଛନ୍ତି। ବେଆଇନ ବାଲି ଉତ୍ତୋଳନ ପାଇଁ ନଦୀର ଜଳଧାରଣ କ୍ଷମତା ଓ ଜଳସ୍ତର କମି ଚାଲିଛି। ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ବ କ୍ଷତି ହେଉଥିବା ବେଳେ ସୋନ ନଦୀ ଏବେ ଅସ୍ତିତ୍ବ ହରାଇବାକୁ ବସିଛି। ବେଳ ଥାଉଣୁ ସୋନ ନଦୀର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/04/11/rrAicOlDwAVxxvmiHnDg.jpg)