ଗତ ମାସରେ ଦକ୍ଷିଣ ପ୍ରଶାନ୍ତ ମହାସାଗରର ସୋଲୋମନ ଦ୍ବୀପପୁଞ୍ଜରେ ନାସନାଲ୍‌ ଜିଓଗ୍ରାଫିକ୍‌ ଅନୁଷ୍ଠାନ ଅଧୀନ ପ୍ରିଷ୍ଟିନ୍‌ ସମୁଦ୍ର ଅଭିଯାନର ବୈଜ୍ଞାନିକମାନେ ଏକ ବିଶାଳ ପ୍ରବାଳ ଠାବ କରିଛନ୍ତି। ତାହା ଏଯାଏ ରେକର୍ଡ କରାଯାଇଥିବା ସବୁଠୁ ବଡ଼ ପ୍ରବାଳ ବୋଲି କୁହାଯାଉଛି। ଲମ୍ବରେ ୧୧୧ ଫୁଟ ଓ ପ୍ରସ୍ଥରେ ୧୦୪ ଫୁଟ୍‌ ବିଶିଷ୍ଟଏହି ବୃହତ୍ତମ ପ୍ରବାଳ ଅଭୂତପୂର୍ବ ଆକାର ପାଇଁ ସମ୍ପ୍ରତି ବିଶ୍ବବାସୀଙ୍କ ଦୃଷ୍ଟି ଆକର୍ଷଣ କରିଛି। ସାମୁଦ୍ରିକ ଅଭିଯାନର ମୁଖ୍ୟ ଡକ୍ଟର ମୋଲି ଟିମର୍ସଙ୍କ କହିବାନୁଯାୟୀ, ସମୁଦ୍ର ଶଯ୍ୟାରେ ପଡ଼ି ରହିଥିବା ଏହି ପ୍ରବାଳଟି ପାଣି ଉପରୁ ପ୍ରଥମେ ଏକ ଦୁର୍ଘଟଣାଗ୍ରସ୍ତ ଜାହାଜର ଭଗ୍ନାବଶେଷ ଭଳି ଜଣାପଡୁଥିଲା। ତେବେ ବୁଡ଼ାଳିମାନଙ୍କ ଦ୍ବାରା ତାହାର ବିଶାଳତାକୁ ମାପିବା ବେଳେ ତାହା ଧୂସର, ହଳଦିଆ ଓ ନୀଳ ରଙ୍ଗର ମିଶ୍ରିତ ତରଙ୍ଗାୟିତ ଛାପର ଏକ ପ୍ରବାଳ ବୋଲି ଜଣାପଡ଼ିଥିଲା। ପ୍ରାୟ ୩୦୦ରୁ ୫୦୦ ବର୍ଷ ବୟସ୍କ ଏହି ପ୍ରବାଳଟି ପୂର୍ବରୁ ଆମେରିକାର ସାମୋଆରୁ ମିଳିଥିବା ତଥା ଏଯାଏ ବୃହତ୍ତମ ପ୍ରବାଳର ସ୍ଥାନ ଅଧିକାର କରିଥିବା “ବିଗ୍‌ ମୋମା’’ ନାମକ ପ୍ରବାଳର ବିଶାଳତାକୁ ପଛରେ ପକାଇଦେଇଛି।

Advertisment

ଶତାବ୍ଦୀ ଶତାବ୍ଦୀ ଧରି ଉଲ୍ଲେଖନୀୟ ପାରିବେଶିକ ପରିବର୍ତ୍ତନର ପ୍ରଭାବକୁ ସହ୍ୟ କରିଥିବା ଏହି ବୃହତ୍ତମ ପ୍ରବାଳ ସାମୁଦ୍ରିକ ଜୈବବିବିଧତା ଅଧ୍ୟୟନରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ଗବେଷକମାନେ ଆଶା ରଖିଛନ୍ତି। ଉକ୍ତ ପ୍ରବାଳଟି ଶାରୀରିକ ଦୃଷ୍ଟିରୁ ସୁସ୍ଥ ଜଣାପଡୁଛି, ତେବେ ଏହା ଉପରେ ଉଭୟ ଆଞ୍ଚଳିକ ଓ ବୈଶ୍ବିକ ବିପଦର ଆଶଙ୍କା ରହିଛି ବୋଲି ଗବେଷକମାନେ ଚିନ୍ତାବ୍ୟକ୍ତ କରିଛନ୍ତି। ବିଶେଷ କରି ପ୍ରଚୁର ମାଛଧରା ଯୋଗୁଁ ପ୍ରବାଳଗୁଡ଼ିକର ସ୍ବାସ୍ଥ୍ୟକୁ ସମର୍ଥନ କରୁଥିବା ପ୍ରମୁଖ ପ୍ରଜାତିଗୁଡ଼ିକର ପର୍ଯ୍ୟାବରଣ ପ୍ରଣାଳୀରେ ବ୍ୟାଘାତ ଘଟିଥାଏ। ସେହିପରି ପାଣିପାଗ ପରିବର୍ତ୍ତନ ଯୋଗୁଁ ସାମୁଦ୍ରିକ ତାପମାତ୍ରାରେ ବୃଦ୍ଧି ଏହି ପ୍ରବାଳ ପ୍ରାଚୀରଗୁଡ଼ିକର ବ୍ଲିଚିଂ ପରି ଦୀର୍ଘକାଳୀନ କ୍ଷତି ପହଞ୍ଚାଇଥାଏ। ଉଲ୍ଲେଖଯୋଗ୍ୟ, ବିଶ୍ବର ସବୁଠୁ ମୂଲ୍ୟବାନ ପ୍ରବାଳ ପର୍ଯ୍ୟାବରଣ ପ୍ରଣାଳୀକୁ ବହନ କରୁଥିବା ଏହି ସୋଲୋମନ୍‌ ଦ୍ବୀପପୁଞ୍ଜରେ ୪୯୦ରୁ ଅଧିକ ସଂଖ୍ୟକ କଠିନ ଓ କୋମଳ ପ୍ରବାଳ ରହିଛନ୍ତି।