ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ରେଞ୍ଜ ଅନ୍ତର୍ଗତ ବରାଙ୍ଗ ସଂରକ୍ଷିତ ଜଙ୍ଗଲରେ ବହୁ ସଂଖ୍ୟାରେ ହରିଣ ରହିଛନ୍ତି। ଏଠାରେ ହରିଣଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ବିଭିନ୍ନ ସମୟରେ ଦୁର୍ଘଟଣା ଓ ବୁଲା କୁକୁର ଆକ୍ରମଣରେ ହରିଣମାନେ ପ୍ରାଣ ହରାଉଛନ୍ତି। ଯାହାକୁ ନେଇ ଅଞ୍ଚଳବାସୀ ଉଦ୍ବେଗ ପ୍ରକାଶ କରିଛନ୍ତି।
ଘସିପୁରା ବ୍ଲକ୍ରେ ଥିବା ବରାଙ୍ଗ ସଂରକ୍ଷିତ ଜଙ୍ଗଲ ୧୩୨୯ ହେକ୍ଟର ପରିମିତ ଅଞ୍ଚଳରେ ବ୍ୟାପିଛି। ଜଙ୍ଗଲ ଚାରିପଟେ ଗଁପୁର, ପୁରୁଣାବାନ୍ଧଗୋଡ଼ା, ବିଲାବନ୍ଧ, ନଣ୍ଡାବର, କୋଳିପାଳ, ବରାଙ୍ଗ, ନୂଆମାଳିଆ, କିଆପଦା ଆଦି ଗ୍ରାମ ରହିଛି। ଏହି ଜଙ୍ଗଲରେ ୧୩୮ଟି ହରିଣ ଥିବା ଆନନ୍ଦପୁର ଡିଏଫ୍ଓ ଅଭୟ କୁମାର ଦଳେଇ ପ୍ରକାଶ କରିଛନ୍ତି। ଏହାଛଡ଼ା ଏହି ଜଙ୍ଗଲରେ ହଜାରରୁ ଊର୍ଦ୍ଧ୍ବ ବିଭିନ୍ନ ପ୍ରଜାତିର ବନ୍ୟପ୍ରାଣୀ ଯଥା; କୁଟରା, ଠେକୁଆ, ଝିଙ୍କ, ଭାଲୁ, ନେଉଳ, ଗୋଧି ଓ ବିରଳ ସରୀସୃପ ରହିଥିବା ପୁରୁଣାବାନ୍ଧଗୋଡ଼ାର ସମାଜସେବୀ ତାରିଣୀ ପ୍ରସାଦ ପଟ୍ଟନାୟକ କହିଛନ୍ତି। ଏତେ ବଡ଼ ଜଙ୍ଗଲର ଜଗାରଖା ପାଇଁ ଜଣେ ମାତ୍ର ଫରେଷ୍ଟର ଓ ଅଳ୍ପକିଛି ଫରେଷ୍ଟ ଗାର୍ଡ ନିୟୋଜିତ ହୋଇଛନ୍ତି। ସୁରକ୍ଷା ଅଭାବରୁ ପ୍ରତିବର୍ଷ ଏଠାରେ ହରିଣମାନଙ୍କର ମୃତ୍ୟୁ ହେଉଛି। ଜଙ୍ଗଲ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସଡ଼କ ଦୁର୍ଘଟଣା ଓ ବୁଲା କୁକୁରଙ୍କ ଆକ୍ରମଣରେ ହରିଣଙ୍କ ଜୀବନ ଯାଉଛି। ବିଶେଷ କରି ଗ୍ରୀଷ୍ମଋତୁରେ ଜଙ୍ଗଲରେ ପିଇବା ପାଣିର ଅଭାବ ଦେଖାଦେଉଛି। ହରିଣମାନେ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମ ଗୁଡ଼ିକରେ ଥିବା ଜଳାଶୟକୁ ପାଣି ପିଇବାକୁ ଆସି କୁକୁରଙ୍କ ଆକ୍ରମଣରେ ପ୍ରାଣ ହରାଉଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ହେଲା, ଏଠାରେ ହରିଣଙ୍କ ସୁରକ୍ଷା ପାଇଁ ସେଭଳି କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ବରାଙ୍ଗ ଜଙ୍ଗଲକୁ ରାଜ୍ୟ ସରକାର ହରିଣ ଅଭୟାରଣ୍ୟ ଭାବେ ଘୋଷଣା କରିବା ସହ ଏ ଦିଗରେ ସ୍ବତନ୍ତ୍ର ପଦକ୍ଷେପ ନେବାକୁ ବିଜେପି ନେତା ଡ. ଶମ୍ଭୁନାଥ ରାଉତ ଆନନ୍ଦପୁର ଗସ୍ତରେ ଆସିଥିବା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଗଣେଶରାମ ସିଂହ ଖୁଣ୍ଟିଆଙ୍କୁ ଭେଟି ଦାବି ଜଣାଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାନଗଲେ ଆଗାମୀ ଦିନରେ ଏଠାରେ ହରିଣ ବଂଶ ଲୋପ ପାଇଯିବାର ଆଶଙ୍କା ରହିଛି ବୋଲି ସ୍ଥାନୀୟ ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/post_attachments/wp-content/uploads/2018/06/deer.jpg)