କେନ୍ଦୁଝର ଜିଲ୍ଲାର ଖଣିଜ ସହର ଯୋଡ଼ା ଓ ବଡ଼ବିଲ ନିକଟସ୍ଥ ଗ୍ରାମାଞ୍ଚଳ ଏବେ ମରୁଭୂମି ପାଲଟିଲାଣି। ଆଖିବୁଜା ଖଣି ଖନନ ଯୋଗୁଁ ଏଠାକାର ଚାଷବାସ ଉଜୁଡ଼ି ଯାଇଛି। ଖଣିଜ ଗୁଣ୍ଡ ପଡ଼ି ଜମିଗୁଡ଼ିକ ଉର୍ବରତା ହରାଇବାରୁ ଅନେକ ସ୍ଥାନରେ ଆଉ ଚାଷ ହେଉନି। ଏହା ସହ ବିଭିନ୍ନ ଶିଳ୍ପସଂସ୍ଥା ପାଣି ଶୋଷି ଚାଲିଥିବାରୁ ଚାଷ ପାଇଁ ପାଣି ମିଳୁନି। ଖଣିଜ ସଂପଦ ପାଇଁ ଏହି ଅଞ୍ଚଳର କୃଷିକ୍ଷେତ୍ର ବିଶେଷ ଭାବେ ପ୍ରଭାବିତ ହୋଇଥିବା ବେଳେ ଏହା ଲୋକଙ୍କ ଜୀବନ ଜୀବିକାଙ୍କୁ ମଧ୍ୟ ପ୍ରଭାବିତ କରିଛି। ଯୋଡ଼ା ଖଣି ମଣ୍ଡଳରେ ଅଛି ୯୪ଟି ଖଣି। ଏଥିରୁ ୩୧ଟି ଖଣି କାର୍ଯ୍ୟକ୍ଷମ ଥିବା ବେଳେ, ୪ଟି ଖଣିରୁ କେବଳ ପୂର୍ବରୁ ଖନନ ହୋଇ ରହିଥିବା ଖଣିଜ ପରିବହନ ହେଉଛି। ବୈଧାନିକ ଅନୁମତି ନଥିବାରୁ ୫୯ଟି ଖଣିରୁ ଖନନ ବନ୍ଦ ରହିଛି। ଭୂତତ୍ତ୍ବବିତ୍ ଏସ୍ଏନ୍ ଶର୍ମା ଏଠାରେ ପ୍ରଥମ ଲୌହ ଖଣିର ସନ୍ଧାନ ପାଇଥିଲେ। ୧୯୦୯ରେ ଯୋଡ଼ାପୂର୍ବ ଖଣିକୁ ଲିଜ୍ ଦିଆଯାଇଥିଲା। ଏହାପରେ ୧୯୩୬ରେ ବଳଦା ଓ ଠାକୁରାଣୀ ଅଞ୍ଚଳରେ ବିଭିନ୍ନ କଂପାନି ଖଣି ଲିଜ୍ ନେଇ ଖନନ ଆରମ୍ଭ କରିଥିଲେ। ଖଣି ଖନନ ପୂର୍ବରୁ ଏହି ଅଞ୍ଚଳର ମାଟି ଉର୍ବର ଥିଲା। ଭଲ ଧାନ ଫସଲ ହେଉଥିଲା। ଏବେ ପ୍ରଦୂଷଣ ପାଇଁ ମାଟି ବିଷାକ୍ତ ହୋଇଯାଇଛି। ବ୍ୟାପକ ଗଛକଟା ଯୋଗୁଁ ସବୁଜିମା ନଷ୍ଟ ହୋଇଯାଇଛି।
ରତ୍ନଗର୍ଭା ଯୋଡ଼ାରୁ ଦାଦନ ଚାଲାଣ
ଲୁହାପଥର ଓ ମାଙ୍ଗାନିଜ୍ ଖଣି ପାଇଁ ପ୍ରସିଦ୍ଧି ଲାଭ କରିଥିବା ଅଞ୍ଚଳରେ ଏବେ ଦାଦନ ସମସ୍ୟା ଜଟିଳ ହେବାରେ ଲାଗିଛି। ଯୋଡ଼ା ଅଞ୍ଚଳରେ ପ୍ରଥମେ ଅଧିକାଂଶ ଖଣି ଖନନ ଓ ବୋଝେଇରେ ଅଧିକ ସଂଖ୍ୟାରେ ଶ୍ରମିକ କାମ କରୁଥିଲେ। ତେବେ ପରେ ଖଣି କଂପାନିଗୁଡ଼ିକ ଅଧିକ ମାତ୍ରାରେ ମେସିନ୍ ବ୍ୟବହାର କରିବା ପରେ ଅଣକୁଶଳୀ ଶ୍ରମିକ କର୍ମସଂସ୍ଥାନ ହରାଇଲେ। ଅଧିକ ପାରିଶ୍ରମିକ ପାଇବା ଲୋଭରେ ଚାଷବାସ ଛାଡ଼ି ଖଣିରେ କାମ କରୁଥିବା ଲୋକେ ଏବେ ଜୀବିକା ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ତେଣୁ ଅନେକ ଗ୍ରାମରେ ବୃଦ୍ଧ ବୃଦ୍ଧା, ମହିଳା ଓ ଶିଶୁଙ୍କୁ ଦେଖିବାକୁ ମିଳୁଥିବା ବେଳେ ୨୦ରୁ ୬୦ ବର୍ଷ ବୟସର ଲୋକେ ଭିଟାମାଟି ଛାଡ଼ି ବାହାରେ ଅଛନ୍ତି। ଏଭଳି ସ୍ଥିତିରେ ଏବେ ସ୍ଲରି ପାଇପ୍ ଲାଇନ୍ରେ ଖଣିଜ ପରିବହନ ପାଇଁ ପାଇପ୍ ବିଛା କାମ ଜୋରସୋରରେ ଚାଲିଛି। ଏହି କାରଣରୁ ଅନେକ ଗଛ ବଳି ପଡ଼ିଲାଣି। ପାଇପ୍ରେ ଖଣିଜ ପରିବହନ ହେଲେ ଟ୍ରକ୍ ମାଲିକ, ଡ୍ରାଇଭର ଓ କର୍ମଚାରୀଙ୍କ ସମେତ ବୋଝେଇ ଶ୍ରମିକମାନେ କର୍ମନିଯୁକ୍ତି ହରାଇବେ। ଫଳରେ ଅଞ୍ଚଳବାସୀଙ୍କ ଆର୍ଥିକ ସ୍ଥିତି ଦୋହଲିଯିବ ବୋଲି ଆଶଙ୍କା ପ୍ରକାଶ କରାଯାଉଛି।
ଜଙ୍ଗଲ କ୍ଷୟ ପାଇଁ ବଢ଼ୁଛି ତାପମାତ୍ରା
ପରିବେଶବିତ୍ ଉଦୟ ଶଙ୍କର ଆଚାର୍ଯ୍ୟ କହିଛନ୍ତି, ଯୋଡ଼ାରେ ବ୍ୟାପକ ଖଣି ଖନନ ଯୋଗୁଁ ଜଙ୍ଗଲ ଧ୍ୱଂସ ହେଉଛି। ଅତ୍ୟଧିକ ଖଣିଜ ପରିବହନ ଯୋଗୁଁ ରାସ୍ତା ନଷ୍ଟ ହେଉଛି। କମ୍ପାନିମାନେ ଖଣି ପାଇଁ ଯେତିକି ଗଛ କାଟୁଛନ୍ତି ତା’ର ଦଶଗୁଣ ଅଧିକ ଲଗାଇବାର ନିୟମ ରହିଛି। ପ୍ରତିବର୍ଷ ଖଣି କମ୍ପାନିମାନେ ବୃକ୍ଷରୋପଣ କରୁଥିବା ନେଇ ପ୍ରଚାର କରୁଛନ୍ତି। ପ୍ରକୃତରେ କେତେ ଗଛ ଲଗାଯାଇଛି, କେତେ ଗଛ ବଞ୍ଚିଛି ସରକାର ତାହାର ତଦନ୍ତ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି। ସେହିପରି ଲିଜ୍ ଅବଧି ଶେଷ ହେବା ପରେ ଲିଜ୍ଧାରୀ ଖଣିଜ ଉତ୍ତୋଳନ ଯୋଗୁଁ ହୋଇଥିବା ଗର୍ତ୍ତଗୁଡ଼ିକୁ ପୋତିବାର ପ୍ରାବଧାନ ରହିଛି। ଗର୍ତ୍ତଗୁଡ଼ିକୁ ନ ପୋତି ଛାଡ଼ି ଦିଆଯାଉଥିବାରୁ ଏହା ହାତୀ ଓ ଅନ୍ୟାନ୍ୟ ବନ୍ୟପ୍ରାଣୀଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ଏ ଦିଗରେ ବନ ବିଭାଗ ସମ୍ପୂର୍ଣ୍ଣ ନିରବ ରହୁଛି। ବ୍ୟାପକ ଜଙ୍ଗଲ କ୍ଷୟ ଯୋଗୁଁ ତାପମାତ୍ର ବୃଦ୍ଧି ପାଉଛି। ଦୁଇ ଦଶନ୍ଧି ତଳେ ଖଣି ଅଞ୍ଚଳର ସର୍ବୋଚ୍ଚ ତାପମାତ୍ରା ୩୭ରୁ ୩୮ ଡିଗ୍ରି ରହୁଥିଲା। ଏବେ ଏହା ବୃଦ୍ଧି ପାଇ ୪୫ ଡିଗ୍ରିରେ ପହଞ୍ଚିଲାଣି। ଭୂତଳ ଜଳସ୍ତର ହ୍ରାସ ପାଉଛି। ଖଣି ଖନନ ଓ ପ୍ରଦୂଷଣ ନିୟନ୍ତ୍ରଣ ଉପରେ ସରକାର ସ୍ପଷ୍ଟ ନୀତି ନ ଆଣିଲେ ଖଣି ଅଞ୍ଚଳ ଏକ ଶୁଷ୍କ ଓ ଉତ୍ତପ୍ତ ଅଞ୍ଚଳରେ ପରିଣତ ହେବ ବୋଲି ପରିବେଶବିତ୍ମାନେ ମତ ଦେଇଛନ୍ତି।
ଖଣି ସହରରେ ପ୍ରଦୂଷଣ ଚିନ୍ତା
ଯୋଡ଼ା: ଖଣି ସହର ଯୋଡ଼ାରେ ପ୍ରଦୂଷଣ ସ୍ଥିତି ଚିନ୍ତାଜନକ। ଭାରୀଯାନରେ ବ୍ୟାପକ ଖଣିଜ ପରିବହନ ଯୋଗୁଁ ଧୂଳିଧୂଆଁରେ ଲୋକେ ଅତିଷ୍ଠ ହେଉଛନ୍ତି। ଖଣି ଖନନ ପରେ ସୃଷ୍ଟି ହେଉଥିବା ଗର୍ତ୍ତକୁ ପୋତା ଯାଉନଥିବାରୁ ଏହା ବନ୍ୟପ୍ରାଣୀଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ସେହିପରି ବ୍ୟାପକ ଜଙ୍ଗଲ କ୍ଷୟ ଯୋଗୁଁ ଖଣି ଅଞ୍ଚଳରେ ତାପମାତ୍ରା ବୃଦ୍ଧି ପାଉଛି। ପ୍ରଦୂଷଣ ବଳୟରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଯୋଡ଼ା ସହର ମୁଖ୍ୟରାସ୍ତା ଦେଇ ପ୍ରତିଦିନ ୯ ହଜାରରୁ ଊର୍ଦ୍ଧ୍ବ ଖଣିଜ ବୋଝେଇ ଟ୍ରକ୍ ବିଭିନ୍ନ ରେଳସାଇଡିଂ ସମେତ ଦେଶର ବିଭିନ୍ନ ପ୍ରାନ୍ତକୁ ଚଳାଚଳ କରୁଛନ୍ତି। ଯୋଡ଼ା ସହରକୁ ସଂଯୋଗ କରିଥିବା ପଳାଶପଙ୍ଗା-ଯୋଡ଼ା ରାସ୍ତାର ପ୍ରଶସ୍ତୀକରଣ କାମ ବହୁବର୍ଷ ହେବ ଅଟକି ରହିଛି। ବାଂଶପାଣି ରେଳସାଇଡିଂକୁ ସଂଯୋଗ କରିଥିବା ରାସ୍ତା ଏଯାଏ ପକ୍କା ରାସ୍ତାରେ ପରିଣତ ହୋଇପାରି ନାହିଁ। ରେଳସାଇଡିଂକୁ ଶହଶହ ଟ୍ରକ୍ରେ ଖଣିଜ ପରିବହନ ହେଉଥିବାରୁ ପ୍ରବଳ ଧୂଳି ଉଡ଼ୁଛି। ଧୂଳିଧୂଆଁ ଯୋଗୁଁ ରାସ୍ତାକଡ଼ରେ ଥିବା ଜନବସତି ଗୁଡ଼ିକରେ ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ରାସ୍ତାରେ ଏତେ ଜୋରରେ ଧୂଳି ଉଡ଼ୁଛି ଯେ, ଗାଡ଼ି ଚାଳକଙ୍କୁ କିଛି ଦେଖାଯାଉ ନାହିଁ। ଏଥିପାଇଁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି। ବାଂଶପାଣି ଓ କମାରଯୋଡ଼ା ଅଞ୍ଚଳବାସୀ ପ୍ରଦୂଷଣରେ ଅତିଷ୍ଠ ହୋଇ ବିଭିନ୍ନ ସମୟରେ ଆନ୍ଦୋଳନ, ରାସ୍ତାରୋକ କରୁଛନ୍ତି। ପ୍ରଶାସନିକ ଅଧିକାରୀମାନେ କେବଳ ମିଛ ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି। ଖଣି ମଣ୍ଡଳରେ ଥିବା ଖଣି ଓ ଶିଳ୍ପସଂସ୍ଥା ଗୁଡ଼ିକ ବ୍ୟବସାୟିକ ଉଦ୍ଦେଶ୍ୟରେ ରାସ୍ତାକୁ ବ୍ୟବହାର କରୁଛନ୍ତି। ମାତ୍ର କମ୍ପାନିଗୁଡ଼ିକ ପକ୍ଷରୁ ରାସ୍ତା ନିର୍ମାଣ, ମରାମତି ଓ ବୃକ୍ଷରୋପଣ ପ୍ରତି ଗୁରୁତ୍ବ ଦିଆଯାଉ ନାହିଁ। ସେହିପରି ଖଣି ଅଞ୍ଚଳରେ ରାସ୍ତାଘାଟ ନିର୍ମାଣ, ସବୁଜ ବଳୟ ସୃଷ୍ଟି, ରେଳସାଇଡିଂ ଓ ରାସ୍ତାରେ ନିୟମିତ ଜଳ ସିଞ୍ଚନ କରିବାର ନିୟମ ରହିଛି। ଏଥିପାଇଁ ଡିଏମ୍ଏଫ୍ରୁ ଅର୍ଥ ଖର୍ଚ୍ଚ କରିବାକୁ ନିଷ୍ପତ୍ତି ହୋଇଛି। ଡିଏମ୍ଏଫ୍ରେ ପ୍ରତିବର୍ଷ ୧୫ଶହ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଜମା ହେଉଥିବା ବେଳେ ଏହାର ସୁବିନିଯୋଗ କରାଯାଉ ନାହିଁ।
ପୋତି ହୋଇଗଲାଣି ସୁନା ନଦୀ
ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ୍ରୁ ବାହାରିଥିବା ସୁନା ନଦୀ ହେଉଛି ଯୋଡ଼ା ଖଣି ଅଞ୍ଚଳର ଜୀବନ ରେଖା। ହେଲେ ଏହି ନଦୀ ସଂକୁଚିତ ହୋଇ ସତ୍ତା ହରାଇବାକୁ ବସିଛି। ବ୍ୟାପକ ଖଣି ଖନନ ଯୋଗୁଁ ମୃତ୍ତିକା କ୍ଷୟ ହୋଇ ନଦୀଶଯ୍ୟା ପୋତି ହେବାରେ ଲାଗିଛି। ଏହାସହ ଖଣି ଓ ଶିଳ୍ପାନୁଷ୍ଠାନର ବର୍ଜ୍ୟ ସହ ଯୋଡ଼ା ସହରର ଆବର୍ଜନା ଏହି ନଦୀରେ ମିଶି ସୁନା ନଦୀର ପାଣି ପ୍ରଦୂଷିତ ହେବାରେ ଲାଗିଛି। ପ୍ରାୟ ୪୦ ହଜାର ଲୋକ ଏହି ନଦୀ ଉପରେ ନିର୍ଭର କରୁଥିବା ବେଳେ ପ୍ରଦୂଷିତ ପାଣି ପାଇଁ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହା ସହ ସୁନା ନଦୀ ପାଣିକୁ ଶିଳ୍ପସଂସ୍ଥା ଟାଣି ନେଉଥିବାରୁ ଚାଷ ପାଇଁ ଏହା କାମରେ ଲାଗିପାରୁନି।
ଖଣି ସହରରେ ପ୍ରଦୂଷଣ ଚିନ୍ତା