ଭୁବନେଶ୍ୱର: ‘ପୃଥିବୀ ଆମକୁ ଅନେକ କିଛି ଦେଇଛି। ଆମେ ମଧ୍ୟ ତାକୁ କିଛି ଦେବାର ସମୟ ଆସିଛି। ଏଥିପାଇଁ ପ୍ରତିଟି ପରିବାର ତଥା ସମୁଦାୟ କିଛି ନା କିଛି ଦାୟିତ୍ୱ ନେବା ଦରକାର। ସମ୍ବାଦ ଗ୍ରୁପ୍ ଯେଉଁ କ୍ଲାଇମେଟ୍ ପଞ୍ଚାୟତର ରିପୋର୍ଟ ତିଆରି କରିଛି ସେଥିପାଇଁ ଧନ୍ୟବାଦ। ଜିଲ୍ଲାରୁ ଜିଲ୍ଲାକୁ ବୁଲିବା ସମୟରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଯେଉଁ ଅନୁଭବ ହାସଲ କରିଥିଲି ତାହାର ପ୍ରତିଫଳନ ଏହି ରିପୋର୍ଟରେ ରହିଛି। ‘ସମ୍ବାଦ’ ପ୍ରତିନିଧିମାନେ ଜିଲ୍ଲାରୁ ଜିଲ୍ଲା, ପଞ୍ଚାୟତରୁ ପଞ୍ଚାୟତ ବୁଲି ଏହି କ୍ଲାଇମେଟ୍ ରିପୋର୍ଟ ତିଆରି କରିଛନ୍ତି, ଯାହାର ଲାଭ ରାଜ୍ୟ ସରକାର ଉଠାଇବା ଦରକାର।  ‘ସମ୍ବାଦ’ ପକ୍ଷରୁ ଆୟୋଜିତ ତିନି ଦିନିଆ ‘ପୁନଶ୍ଚ ପୃଥିବୀ’ର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ରଘୁବର ଦାସ ଏହା କହିଛନ୍ତି। ସେ ଆହୁରି କହିଲେ, ମରୁଭୂମି ଦେଶ ଇସ୍ରାଏଲରେ କମ୍ ପାଣିରେ ଅଧିକ ଫସଲ ଉତ୍ପାଦନକୁ ପ୍ରାଧାନ୍ୟ ଦିଆଯାଏ। ଏବେ ସମୟ ଆସିଛି ଆମକୁ ବୁନ୍ଦା ଜଳସେଚନକୁ ପ୍ରାଧାନ୍ୟ ଦେବାକୁ ହେବ। ଏଲ୍‌ଇଡି ଲାଇଟ୍‌ ବ୍ୟବହାର କରିବା ସହ ଯେତେ ପାରିବା ଗଛ ଲଗାଇବା।

Advertisment

ଆଉ ତାହାର ଯତ୍ନ ନେବା। ଗଛ ଲଗାଇ ଶୁଖିବା ପାଇଁ ଛାଡ଼ି ଦେଲେ ଆମେ ବି କେତେବେଳେ ଶୁଖିଯିବା ତାହା କେହି କହିପାରିବେ ନାହିଁ। ଏବେଠାରୁ ସୁସ୍ଥ ଓ ନିରାମୟ ଜୀବନ ପାଇଁ ନିମ୍ବ, ତୁଳସୀ, ପୁଦିନା, ଅଶ୍ୱଗନ୍ଧା, ଭୁସଙ୍ଗ ପତ୍ର ଭଳି ଔଷଧୀୟ ଗଛକୁ ବଗିଚାରେ ଲଗାଯିବା ଦରକାର। କେବଳ ସେତିକି ନୁହେଁ, ବିଦ୍ୟାଳୟ, ମହାବିଦ୍ୟାଳୟ ସମେତ ବିଭିନ୍ନ କାର୍ଯ୍ୟାଳୟରେ ଜଳ ସଂରକ୍ଷଣ ବ୍ୟବସ୍ଥା ହେବା ଉଚିତ୍‌। ବଜାରକୁ କିଣିବାକୁ ଗଲେ ପଲିଥିନ୍ ବଦଳରେ କପଡ଼ାର ବ୍ୟାଗ୍ ବ୍ୟବହାର କରାଯିବା ଦିଗରେ ସମସ୍ତେ ଯତ୍ନବାନ ହେବା ଅପରିହାର୍ଯ୍ୟ ହୋଇପଡ଼ିଛି। ଚାଷ ଜମିରେ ରାସାୟନିକ ସାରର ଅଧିକ ବ୍ୟବହାର ଦ୍ୱାରା ଡାଏବେଟିସ୍, ରକ୍ତଚାପ, କିଡ୍‌ନି ସମସ୍ୟା ଭଳି ରୋଗ ହେଉଥିବା ନଜରକୁ ଆସିଲାଣି। ତାହାକୁ ଦୃଷ୍ଟିରେ ରଖି ଜିଲ୍ଲା ବୁଲିବା ସମୟରେ ରାସାୟନିକ ସାର ବ୍ୟବହାର ନ କରି ଗୋବରରୁ ବାହାରୁଥିବା ଜୈବିକ ସାର ପ୍ରୟୋଗ କରାଯିବା ଦରକାର। ପେଟ୍ରୋଲ୍, ଡିଜେଲ୍ ବଦଳରେ ସିଏନ୍‌ଜି ବ୍ୟବହାର କରନ୍ତୁ। ଏସି, ଫ୍ରିଜ୍‌ ଆଦିକୁ ୨୪ ଘଣ୍ଟା ଚାଲୁ ରଖନ୍ତୁ ନାହିଁ। ଆବଶ୍ୟକତା ନ ଥିଲେ ଲାଇଟ୍, ପଙ୍ଖାକୁ ଅଯଥାରେ ଚାଲୁ ନ ରଖିବାକୁ ସେ ପରାମର୍ଶ ଦେଇଛନ୍ତି।

ଗ୍ଲୋବାଲ୍ ୱାର୍ମିଂ ଯୋଗୁଁ କେବଳ ଭାରତରେ ନୁହଁ, ସାରା ଦୁନିଆରେ ମାନବ ସମାଜ ଉପରେ ବିପଦର ବାଦଲ ଘୂରି ବୁଲୁଛି। ଯେଉଁ ପ୍ରକାରରେ ବାୟୁରେ କାର୍ବନର ମାତ୍ରା ବଢୁଛି, ସେଥିରୁ ଲାଗୁଛି ଏକବିଂଶ ଶତାବ୍ଦୀ ଶେଷ ହେଉ ହେଉ ପୃଥିବୀର ତାପମାତ୍ରା ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିଯିବ। ଏହାର ମୁକାବିଲା ପାଇଁ ଏବେଠୁ ପଦକ୍ଷେପ ନେବାର ଆବଶ୍ୟକତା ରହିଥିବା ରାଜ୍ୟପାଳ କହିଥିଲେ। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେଇ କହିଲେ, ସମସ୍ତେ କୁହନ୍ତି ଓଡ଼ିଶା ବିଦ୍ୟୁତ୍‌-ବଳକା ରାଜ୍ୟ। ମାତ୍ର ବିଦ୍ୟୁତ୍‌ ବିଭାଗ ସମୀକ୍ଷା ସମୟରେ ଜାଣିବାକୁ ପାଇଲି ଯେ ଓଡ଼ିଶାରେ କିଭଳି ଭାବେ ଜଳକୁ ବିଦ୍ୟୁତ୍‌ ଉତ୍ପାଦନ ପାଇଁ ବ୍ୟବହାର କରାଯାଉଛି। ଓଡ଼ିଶାରେ ଥର୍ମାଲ ପାଵାର ଯେତିକି ଉତ୍ପାଦିତ ହେଉଛି, ସେ ସବୁ ଉପଭୋକ୍ତାମାନଙ୍କୁ ଦିଆଯାଉଛି। ସମସ୍ତ ସୌରଶକ୍ତିକୁ ବାହାରକୁ ପଠାଯାଉଛି। ଥର୍ମାଲ ପାଵାରରେ କୋଇଲାର ବ୍ୟବହାର କରାଯାଉଛି। ପାଣିକୁ ଗରମ କରି ଶକ୍ତି ଉତ୍ପାଦିତ ହେଉଛି। ତେବେ କେହି ବି ଆମ ରାଜ୍ୟର ଏହି ପାଣିର କ୍ଷତିକୁ ଦେଖୁନାହାନ୍ତି। ଯେଉଁ ପାଣି ଚାଷୀଙ୍କୁ ଯୋଗାଇଦେବା କଥା, ସେହି ପାଣିକୁ ଚାଷୀକୁ ଦିଆ ନ ଯାଇ ଆମେ ଥର୍ମାଲ ପାଵାର୍‌ ଉତ୍ପାଦନରେ ବ୍ୟବହାର କରୁଛୁ। ଏହା ଉପରେ ଆମେ ଧ୍ୟାନ ଦେବା ଦରକାର। 

‘ପୁନଶ୍ଚ ପୃଥିବୀ’ ସମ୍ପର୍କରେ ମତପ୍ରକାଶ କରି ଶ୍ରୀ ସିଂହଦେଓ କହିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ଗୋଟିଏ ଡାକରା ଦେଇଛନ୍ତି ‘ଏକ ପେଡ୍ ମାଆ କେ ନାମ୍‌’। ସମସ୍ତେ ନିଜ ମାଆଙ୍କ ନାଁରେ ଗୋଟିଏ ଗଛ ଲଗାନ୍ତୁ। ଯଦି ବିଶ୍ୱ ତଥା ଦେଶର ସମସ୍ତ ନାଗରିକ ଗୋଟିଏ ଗୋଟିଏ ଗଛ ନିଜ ମାଆଙ୍କ ନାମରେ ଲଗାଇବେ, ତେବେ ପ୍ରଦୂଷଣକୁ ଆମେ ନିୟନ୍ତ୍ରଣକୁ ଆଣିପାରିବା। ଯେଉଁ ବିଷୟକୁ ନେଇ ଆମେ ଏକତ୍ରିତ ହୋଇଛେ, ସେହି ବିଷୟ ଆମ ସମସ୍ତଙ୍କ ଜୀବନକୁ ପ୍ରଭାବିତ କରୁଛି। ଏବେ ଉନ୍ମୋଚିତ ହେଇଥିବା ‘କ୍ଲାଇମେଟ୍ ପଞ୍ଚାୟତ ରିପୋର୍ଟ’କୁ ରାଜ୍ୟର ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ ପାଖକୁ ପଠାଇବା ଦରକାର ବୋଲି ରାଜ୍ୟପାଳ କହୁଥିଲେ। ତେବେ କେବଳ ଜିଲ୍ଲାପାଳ ନୁହଁନ୍ତି, ବରଂ ପ୍ରତ୍ୟେକ ଉପଜିଲ୍ଲାପାଳଙ୍କ ପାଖକୁ ମଧ୍ୟ ଏହା ପଠାଯିବା ଆବଶ୍ୟକ ବୋଲି ସେ ମତପ୍ରକାଶ କରିଥିଲେ।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦେଇ କହିଲେ, ଏହା କେବଳ ସମ୍ବାଦ ଗ୍ରୁପର କାର୍ଯ୍ୟକ୍ରମ ନୁହେଁ, ଏଥିରେ ସରକାରଙ୍କର ସହଯୋଗ ରହିବ। ଶିଳ୍ପ ଓ ଶକ୍ତି ପ୍ରତିଷ୍ଠା ବିନା ବିକାଶ ସମ୍ଭବ ନୁହେଁ। ତେଣୁ ଉଭୟକୁ ସାଙ୍ଗରେ ନେଇ ଆଗକୁ ବଢ଼ିବାକୁ ପଡ଼ିବ। ପରିବେଶ ପ୍ରତି ରାଜ୍ୟ ଏବଂ କେନ୍ଦ୍ର ସରକାର ସଚେତନ ଅଛନ୍ତି। ପ୍ରଦୂଷଣ ରୋକିବା, ଜଙ୍ଗଲ ସୃଷ୍ଟି କରିବା, ସବୁଜ ଭାରତ ଗଢ଼ିବା, ପ୍ରକୃତି ସାଙ୍ଗରେ ମଣିଷର ଲଢ଼େଇ ଅନ୍ତ କରିବାର ପ୍ରୟାସ ଆରମ୍ଭ କରିବାକୁ ପଡ଼ିବ। ଝାରସୁଗୁଡାଠାରୁ ଆରମ୍ଭ କରି ଯାଜପୁର, ଅନୁଗୁଳ, ବାଲେଶ୍ୱର, ସୁନ୍ଦରଗଡ ପର୍ଯ୍ୟନ୍ତ ବାୟୁ ପ୍ରଦୂଷଣ ଏବେ ଚିନ୍ତାଜନକ। ସବୁଜ ଓଡ଼ିଶା କମୁଥିବାରୁ ପୁନଃ ବନୀକରଣକୁ ବ୍ୟାପକ କରିବାକୁ ହେବ। ‘ପୁନଶ୍ଚ ପୃଥିବୀ’ର ଏ ଯାତ୍ରା ସଫଳତା ପାଇଁ ଆମେ ସମସ୍ତେ ଏ ମିସନରେ ସାମିଲ ହେବା। ‘ପୁନଶ୍ଚ ପୃଥିବୀ’ର ପରିକଳ୍ପନାକୁ ଆଗେଇ ନେଇ ୨୦୩୬ରେ ଓଡ଼ିଶା ୧୦୦ ବର୍ଷରେ ପଦାର୍ପଣ କଲା ବେଳକୁ ଯୋଜନାକୁ ନିଖୁଣ ଭାବେ କାର୍ଯ୍ୟକାରୀ କରିବା। ଆଗାମୀ ଭବିଷ୍ୟତ ପାଇଁ ଗୋଟେ ନୂଆ ଓଡ଼ିଶା, ସବୁଜ ଓଡ଼ିଶା, ପ୍ରଦୂଷଣ ମୁକ୍ତ ଓଡ଼ିଶା, ଜଙ୍ଗଲଯୁକ୍ତ ଓଡ଼ିଶା ଭେଟିଦେବାକୁ ସମସ୍ତେ ସଂକଳ୍ପ କରିବାକୁ ସେ ଆହ୍ୱାନ ଦେଇଥିଲେ।

‘ସମ୍ବାଦ’ ଗ୍ରୁପ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଅଧ୍ୟକ୍ଷତା କରି କହିଲେ, ‘ପୁନଶ୍ଚ ପୃଥିବୀ’ ଏକ ଅଭିନବ ପରିକଳ୍ପନା। ‘ସମ୍ବାଦ’ ଖବର ପ୍ରସାରଣ କରିବା ସହିତ ସବୁବେଳେ କିଛି କିଛି ନୂଆ କଥା କରିବାକୁ ଚେଷ୍ଟା କରିଥାଏ। ଲୋକଙ୍କୁ ଲୋକଙ୍କ ସହ ଯୋଡ଼ିବାକୁ ପ୍ରୟାସ କରେ। ସମସ୍ୟାକୁ ସମାଧାନର ନିକଟତର କରିବା ପାଇଁ ଚେଷ୍ଟା କରିଥାଏ। ଏହି ଚେଷ୍ଟାର ଫଳସ୍ୱରୂପ ଆଜିର ‘ପୁନଶ୍ଚ ପୃଥିବୀ’ ଏକ ବିସ୍ତୃତ ଲମ୍ବା ଅଭିଯାନ। ୧୨ ବର୍ଷ ଧରି ଏହି ଅଭିଯାନ ଚାଲିବ। ଓଡ଼ିଶାକୁ ଯେତେବେଳେ ୧୦୦ ବର୍ଷ ହେଉଥିବ, ସେତେବେଳେ ଆମେ କିପରି ଏକ ଦୁନିଆ ଦେଖିବାକୁ ଚାହୁଁଛୁ, ସେ ସମ୍ପର୍କରେ ଆଜିଠାରୁ ସଙ୍କଳ୍ପ ନେଇ ତାକୁ ଚରିତାର୍ଥ କରିବାକୁ ଉଦ୍ୟମ କରିବା ଏହାର ଲକ୍ଷ୍ୟ।

‘ସମ୍ବାଦ’ ସମ୍ପାଦକ ତନୟା ପଟ୍ଟନାୟକ ଯୋଗଦେଇ କହିଲେ, ‘ପୁନଶ୍ଚ ପୃଥିବୀ’ ଏକ ଅଭିଯାନ ନୁହେଁ, ବରଂ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନ। ଆମର ଏକମାତ୍ର ଉଦ୍ଦେଶ୍ୟ ଲୋକଙ୍କୁ ଏକାଠି କରିବା। ୭ରୁ ୭୦ ସବୁ ବର୍ଗଙ୍କ ପାଖରେ ଆମେ ପହଞ୍ଚିବା। ଜଳବାୟୁ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା। ଝାଡ଼ଖଣ୍ଡରୁ ଓଡ଼ିଶା ପର୍ଯ୍ୟନ୍ତ, ଚାରିଆଡ଼େ ଏବେ ଜଳବାୟୁ ପରିବର୍ତ୍ତନ ସମସ୍ୟା ମୁଣ୍ଡ ଟେକିଛି। ତେଣୁ ଆଗାମୀ ୧୨ ବର୍ଷ ପର୍ଯ୍ୟନ୍ତ ସମ୍ବାଦ ପରିବାର ପୁନଶ୍ଚ ପୃଥିବୀ ଆନ୍ଦୋଳନକୁ ଜାରି ରଖିବ। ଆମେ ସେଥିପାଇଁ ପ୍ରତିଶ୍ରୁତିବଦ୍ଧ। କ୍ଲାଇମେଟ୍ ଆଟଲାସ୍ ମଧ୍ୟ ପ୍ରତିବର୍ଷ ପରିବର୍ତ୍ତନ ହେଉଥିବ ବୋଲି ସେ କହିଥିଲେ।

ଉଦ୍‌ଯାପନୀ ଉତ୍ସବ ଅବସରରେ ବକୁଳ ଫାଉଣ୍ଡେସନ୍‌ ଓ ସୋକ୍ରେଟସ୍‌ ପକ୍ଷରୁ ପ୍ରସ୍ତୁତ କ୍ଲାଇମେଟ୍‌ ଆଟଲାସକୁ ପ୍ରଦର୍ଶିତ କରାଯିବା ସହ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ବକୁଳ ଫାଉଣ୍ଡେସନ୍‌ର ସୁଜିତ ମହାପାତ୍ର, ସୋକ୍ରେଟସ୍‌ର ଦେବୋଜିତ ମିତ୍ରା ଓ ‘ସମ୍ବାଦ’ ଗ୍ରୁପ୍‌ର ବାର୍ତ୍ତା ସମ୍ପାଦକ ଭବାନୀଶଙ୍କର ତ୍ରିପାଠୀ ଯୋଗଦେଇ ୧୪୬ ନିର୍ବାଚନମଣ୍ଡଳୀରେ ଅନୁଷ୍ଠିତ କ୍ଲାଇମେଟ୍‌ ପଞ୍ଚାୟତ ମଧ୍ୟରୁ ୮୧ଟି ନିର୍ବାଚନମଣ୍ଡଳୀକୁ ନେଇ ପ୍ରସ୍ତୁତ ହୋଇଥିବା ଆଟଲାସ୍‌ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ଅଧିକାଂଶ ନିର୍ବାଚନମଣ୍ଡଳୀରେ ଭୂତଳ ଜଳ ସ୍ତର ହ୍ରାସ ସମସ୍ୟା ରହିଥିବା ବେଳେ ପାନୀୟ ଜଳ ସଙ୍କଟ, ମହାନଦୀ କୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ତାପମାତ୍ରା ବୃଦ୍ଧି, ଦକ୍ଷିଣ ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟ, ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପାନୀୟ ଜଳ ପିଇବା ଉପଯୋଗୀ ନ ହେବା ପରି ବିଷୟ ଉପରେ ଉପ ମୁଖ୍ୟମନ୍ତ୍ରୀ ଓ ରାଜସ୍ବ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।