ଭୁବନେଶ୍ବର: ପରିବେଶ ସଂପର୍କରେ ଆଲୋଚନା କରିବା ବେଳେ ଆଦିବାସୀଙ୍କୁ ବାଦ୍ ଦେଇ ଆଲୋଚନା ହୋଇପାରିବ ନାହିଁ। ଆଦିବାସୀ ସମାଜ ଓ ସଂସ୍କୃତି ପରିବେଶକୁ ସୁରକ୍ଷା ଦେବା ପାଇଁ ଅହରହ ଲଢ଼େଇ ଜାରି ରଖିଛନ୍ତି। ମୃତ୍ୟୁ ପରେ ମଧ୍ୟ ଆଦିବାସୀମାନେ ମୃତ ଶରୀରକୁ ନ ଜଳାଇ ଏହାକୁ ପୋତି ଦେଇଥା’ନ୍ତି। କାରଣ ଜାଳିଲେ ବାୟୁ ପ୍ରଦୂଷଣ ହେବ ଓ ଜଳିଥିବା ଭସ୍ମକୁ ପାଣିରେ ଭସାଇଲେ ତାହା ପ୍ରଦୂଷିତ ହେବ। ଏଥିରୁ ଆଦିବାସୀମାନଙ୍କ ପରିବେଶ ପ୍ରତି ରହିଥିବା ଆତ୍ମୀୟତା ଜଣାପଡ଼ିଥାଏ। ପରିବେଶକୁ ବଞ୍ଚାଇବା ଲାଗି ନାଗରିକ ସମାଜ ଓ ସରକାର ଅନେକ କଥା କହୁଛନ୍ତି। ହେଲେ ଏହି ନାଗରିକ ସମାଜରୁ ବାହାରୁଥିବା ପୁଞ୍ଜିପତି ଜଙ୍ଗଲକୁ କାଟି ସଫା କରିଦେଉଛନ୍ତି ବୋଲି କହିଛନ୍ତି ଚୌପାଲ ଗ୍ରାମୀଣ ବିକାଶ ପ୍ରଶିକ୍ଷଣ ଏବଂ ସୋଧ ସଂସ୍ଥାନର ସଭାପତି ଗଙ୍ଗାରାମ ପାଇକରା।

Advertisment

ପୁନଶ୍ଚ ପୃଥିବୀର ଦ୍ବିତୀୟ ଦିବସର ଦ୍ବିତୀୟ ଅଧିବେଶନ ‘ଆଦିବାସୀ ପ୍ରଥା ଓ ଜଙ୍ଗଲ ସଂରକ୍ଷଣ’ ଶୀର୍ଷକ ଆଲୋଚନାରେ ଭାଗ ନେଇ ସେ କହିଥିଲେ, ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ହୋଇଥିବା ବନ ଅଧିକାର ଆଇନ ଓ ପେସା ଆଇନ ଆଦିବାସୀ ଓ ଜଙ୍ଗଲ ସୁରକ୍ଷା ପାଇଁ ଉଦ୍ଦିଷ୍ଟ। ହେଲେ ସରକାର ପୂର୍ବରୁ ବନ ବିଭାଗର ଅଧିକାରୀଙ୍କ ହାତରେ ଲାଠି ଧରାଇଥିଲେ, ଏବେ ବନ୍ଧୁକ ଦେଇଛନ୍ତି। ଆଦିବାସୀଙ୍କୁ ନକ୍ସଲ କହି ଗିରଫ କରାଯାଉଛି। ସେମାନଙ୍କ ମନରେ ସରକାର ଦ୍ବନ୍ଦ୍ବ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ଆଇନ ଅନୁସାରେ ପାରମ୍ପରିକ ସୀମା ଭିତରେ ଗାଁ ପ୍ରତିଷ୍ଠା ହୋଇଥିବା ବେଳେ ବନ ବିଭାଗ କମ୍ପାର୍ଟମେଣ୍ଟ ଆଧାରରେ ଗାଁକୁ ବାଣ୍ଟି ଦେଇଛି। ‘ସମ୍ବାଦ’ ପକ୍ଷରୁ ପରିବେଶକୁ ନେଇ ଚାଲିଥିବା ଏହି ଅଭିଯାନକୁ ଅନ୍ୟ ରାଜ୍ୟମାନେ ମଧ୍ୟ ଶିଖିବା ଦରକାର ବୋଲି ସେ କହିଥିଲେ। 

ମାନବାଧିକାର କର୍ମୀ ଓ ଗବେଷକ ଗ୍ଲାଡସନ ଡୁଙ୍ଗଡୁଙ୍ଗ କହିଥିଲେ, ଆଦିବାସୀମାନେ ପୁରୁଣା କାଳିଆ, ଜଙ୍ଗଲୀ, ମୁର୍ଖ ବୋଲି ଲୋକମାନଙ୍କ ଭିତରେ ଧାରଣା ସୃଷ୍ଟି କରିଦିଆଯାଇଛି। ଆଦିବାସୀଙ୍କ ଜଙ୍ଗଲ ଉପରେ ଅଧିକାର, ଲୋଭ ନୁହେଁ ବରଂ ଏକ ଆବଶ୍ୟକତା। ଆଦିବାସୀମାନେ ବର୍ଷା ସମୟ ପାଇଁ ଆଗୁଆ ୩ମାସର କାଠ ସଂଗ୍ରହ କରି ରଖିଥାନ୍ତି। ଏହା ତାଙ୍କର ଆବଶ୍ୟକତା। ମାତ୍ର ଝାଡ଼ଖଣ୍ଡରେ ଆଦାନି ପାୱାର ପ୍ଲାଣ୍ଟ ପାଇଁ ଶହ ଶହ ଗଛ କଟା ଯାଇଛି। ଏହି ପ୍ଲାଣ୍ଟରୁ ବାହାରୁଥିବା ବିଜୁଳି ବାଂଲାଦେଶକୁ ଯାଉଛି। ସ୍ଥାନୀୟ ଆଦିବାସୀମାନଙ୍କୁ କେବଳ ଧୂଆଁ ମିଳୁଛି। ତେଣୁ ଲୋଭ ଓ ଆବଶ୍ୟକତା ଭିତରେ ଲୋକମାନଙ୍କୁ ଫରକ ବୁଝିବାକୁ ପଡ଼ିବ। ଜଳ-ଜଙ୍ଗଲ-ଜମି ପାଇଁ ଆଦିବାସୀମାନେ ନିଜ ଲଢ଼େଇ ଜାରି ରଖିଛନ୍ତି। ନିଜେ ବଞ୍ଚିବା ପାଇଁ ଆଦିବାସୀ ଚାଷ କରିଥାନ୍ତି, ହେଲେ ଚାଷୀମାନେ ଅର୍ଥ ଉପାର୍ଜନକାରୀ ଫସଲ ଚାଷ କରୁଛନ୍ତି। ଏହାଦ୍ବାରା ଜୈବ ବିବିଧତା ନଷ୍ଟ ହେଉଛି। ସମଗ୍ର ପୃଥିବୀକୁ କ’ଣ କଂକ୍ରିଟ ଜଙ୍ଗଲରେ ପରିଣତ କରିବା ହେଉଛି ବିକାଶ ? ଏହା ହେଲେ ଆଗକୁ ମଣିଷ ଆଉ ବଞ୍ଚିବ ନାହିଁ। ପୁଞ୍ଜିପତିଙ୍କୁ ରୋକିବାକୁ ହେଲେ ଏଭଳି ପ୍ରଶ୍ନ ଉଠାଇବାକୁ ପଡ଼ିବ। ଏଫ୍‌ଇଏସ୍‌ର ମହାପ୍ରବନ୍ଧକ ସ୍ବପ୍ନାଶ୍ରୀ ଷଡ଼ଙ୍ଗୀ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ।