ଯାଜପୁର/ଯଖପୁରା: ପ୍ରକୃତି କୋଳରେ ବଢ଼ି ଆସିଥିବା କଳିଙ୍ଗନଗରବାସୀ ଆଜି ଶିଳ୍ପାଞ୍ଚଳ ପ୍ରାଚୁର୍ଯ୍ୟ ମଧ୍ୟରେ ଅଣନିଃଶ୍ବାସୀ। ଶିଳ୍ପାଞ୍ଚଳର ମୁଷ୍ଟିମେୟ ବ୍ୟକ୍ତି ଓ ଅନୁଷ୍ଠାନ ଲାଭବାନ ହେଉଥିବା ବେଳେ ପ୍ରକୃତି ଉପରେ ନିର୍ଭର କରି ଜୀବନ ନିର୍ବାହ କରିଆସୁଥିବା ହଜାର ହଜାର ଭୂମିପୁତ୍ରଙ୍କ ପରିବାର ଏବେ ନିଃସହାୟ। ଏପରିକି ପ୍ରକୃତିର ଉତ୍ସ ବଣଜଙ୍ଗଲ ଓ ଝରଣା ନିଜର ଅସ୍ତିତ୍ବ ହରାଇବାରେ ଲାଗିଛନ୍ତି। କଳିଙ୍ଗନଗର ଶିଳ୍ପାଞ୍ଚଳରେ ଥିବା କଚେରିଗାଁ ନାଳ ନିଶ୍ଚିହ୍ନ ହେବାକୁ ବସିଛି। ବଡ଼ସୁଳୀ ପାହାଡ଼ରୁ ବାହାରିଥିବା ଏହି ଚିରସ୍ରୋତା ଝରଣା କାରଖାନାଗୁଡ଼ିକର ଆବର୍ଜନାରେ ଜହର ପାଲଟିଛି। ବର୍ଷର ୬ମାସ ବିଷାକ୍ତ ପାଣି ରହିବା ପରେ ଅବଶିଷ୍ଟ ଦିନଗୁଡ଼ିକ ଶୁଖିଲା ରହୁଛି ଉକ୍ତ ଜଳଉତ୍ସ।  ଯାଜପୁର ଜିଲ୍ଲାର ଦାନଗଦୀ ଓ ସୁକିନ୍ଦା ଅଞ୍ଚଳ ଖଣିଖାଦାନ ଏବଂ ଶିଳ୍ପାଞ୍ଚଳକୁ ନେଇ ସମୃଦ୍ଧ। ଏହି ଅଞ୍ଚଳରେ ଥିବା ବଣଜଙ୍ଗଲ ଘେରା ପାହାଡ଼ରୁ ବାହାରିଥିବା ଅନେକ ଝରଣା ଅସ୍ତିତ୍ବ ହରାଇବାକୁ ବସିଲେଣି।

Advertisment

ସେଥି ମଧ୍ୟରେ କଚେରିଗାଁ ନାଳ ଅନ୍ୟତମ। ଶିଳ୍ପାଞ୍ଚଳ ଅନ୍ତର୍ଗତ ବଡ଼ସୁଳୀ ପାହାଡ଼ରୁ ବାହାରିଥିବା ଏହି ପ୍ରାକୃତିକ ଜଳଉତ୍ସ ଉପରେ ଚାନ୍ଦିଆ, ବାଲିଗୋଠ, ଭିତର ମାଣିକା, ଗାଡ଼ପୁର, ଅରାସାହି, କଚେରିଗାଁ ଆଦି ଗ୍ରାମବାସୀ ନିଜର ଦୈନନ୍ଦିନ କାର୍ଯ୍ୟ ପାଇଁ ନିର୍ଭର କରୁଥିଲେ। ପିଇବା ପାଇଁ ଲୋକମାନେ ଧୀରେ ଧୀରେ ଗ୍ରାମରେ କୂଅ, ନଳକୂଅ ଖନନ କରିବା ପରେ ଲୋକମାନେ କେବଳ ଗାଧୋଇବା ପାଇଁ ଏହାର ପାଣିକୁ ବ୍ୟବହାର କରୁଥିଲେ। ପରବର୍ତ୍ତୀ ସମୟରେ ପାହାଡ଼ ବଡ଼ସୁଳୀ ପାଦଦେଶରେ ଅନେକଗୁଡ଼ିଏ ଶିଳ୍ପାନୁଷ୍ଠାନ ଗଢ଼ି ଉଠିଲା। ପ୍ରଥମେ ଶିଳ୍ପ କାରଖାନାଗୁଡ଼ିକ ଏହି ପ୍ରାକୃତିକ ନାଳର ଗତିପଥକୁ ବଦଳାଇ ଦେଲେ। ଏହାର ଜଳକୁ ବ୍ୟବହାର କରିବା ସହିତ ନିଜ କାରଖାନାର ଦୂଷିତ ଜଳକୁ ଉକ୍ତ ନାଳରେ ଛାଡ଼ିଲେ। ଇସ୍ପାତ କାରଖାନାଠାରୁ ଆରମ୍ଭ କରି ସିମେଣ୍ଟ କାରଖାନା ଆଦିର ଦୂଷିତ ଜଳରେ କଚେରିଗାଁ ନାଳ ଜହର ପାଲଟିଲା। ବର୍ତ୍ତମାନ ପରିସ୍ଥିତିରେ ଏହି ନାଳର ପାଣି ବ୍ୟବହାର ଉପଯୋଗୀ ହୋଇରହିନାହିଁ। ଏହି ନାଳ ଆଗକୁ ବହି ଆସିବା ପରେ ପ୍ଲାଣ୍ଟ୍‌ର ପ୍ରଦୂଷିତ ଜଳ ସହ ମିଶି ଦଶମାଣିଆ, ରାବଣା, କେନ୍ଦୁଢ଼ିପ, ଦାମୋଦରପୁର, ଜଗାଡିହ, ଛତ୍ରକଣ, କୁମ୍ଭୀରଗାଡ଼ିଆ ଦେଇ ଗଣ୍ଡାନାଳ ଏବଂ ତା’ପରେ ଖରସ୍ରୋତାରେ ମିଶୁଛି। ଯାହାକୁ ନେଇ ପରିବେଶବିତ୍ ଓ ଅଞ୍ଚଳବାସୀ ଉଦ୍‌ବେଗ ପ୍ରକାଶ କରିଛନ୍ତି।