ସାଲେଭଟା: ଜଙ୍ଗଲ ପ୍ରତି ସମର୍ପିତ ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ କୁଟାସିଂହା ପଞ୍ଚାୟତ ଅନ୍ତର୍ଗତ କଣ୍ଟାପାଲି ଗ୍ରାମ। ଗାଁର ଶତାଧିକ ପରିବାର ପାଳିକରି ଜଙ୍ଗଲକୁ ସୁରକ୍ଷା ଦେଇଆସୁଛନ୍ତି। ଫଳରେ ସବୁଜ ଜଙ୍ଗଲ ହସିଉଠୁଛି। ଆଉ ଗ୍ରାମବାସୀଙ୍କୁ ଯୋଗାଉଛି ଆହାର। କଣ୍ଟାପାଲି ଗାଁରେ ଶତାଧିକ ପରିବାରର ୬ ଶହ ପାଖାପାଖି ଲୋକ ରହୁଛନ୍ତି। ଗାଁରେ ତିନି ଚାରି ଜଣ ଚାକିରିଆଙ୍କୁ ଛାଡ଼ିଦେଲେ ବାକି ସମସ୍ତେ ଚାଷୀ ମୂଲିଆ ଶ୍ରେଣୀର। ବଲାଙ୍ଗୀର ବନଖଣ୍ଡ ଲୋଇସିଂହା ରେଞ୍ଜ୍ ତଥା ସାଲେଭଟା ଫରେଷ୍ଟ ସେକ୍ସନ ଅଧୀନରେ ଥିବା କୁମାରୀ ଜଙ୍ଗଲ ଗାଁକୁ ଲାଗିରହିଛି। ଜଙ୍ଗଲ ଜଗିବା ପାଇଁ ଗାଁରେ ନିଆରା ପରମ୍ପରା ରହିଛି। ପ୍ରତି ସନ୍ଧ୍ୟାରେ ଦୁଇଟି ପରିବାରକୁ ଠେଙ୍ଗା ଓ ଟର୍ଚ୍ଚଲାଇଟ୍ ଦିଆଯାଏ। ଉକ୍ତ ଦୁଇ ପରିବାରରୁ ଜଣେ ଲେଖାଏଁ ତା’ ପରଦିନ ଜଙ୍ଗଲ ଜଗିବାକୁ ଯାଇଥାନ୍ତି। ଏହା ତିନିପିଢ଼ି ହେଲା ଚାଲିଆସୁଥିବା ଗ୍ରାମବାସୀ କହିଛନ୍ତି। ଯେଉଁମାନଙ୍କ ପାଳି ପଡ଼େ ପଖାଳ ଗଣ୍ଡେ ଖାଇ ସକାଳୁ ସକାଳୁ ଜଙ୍ଗଲ ଅଭିମୁଖେ ବାହାରି ପଡ଼ନ୍ତି। ଜଙ୍ଗଲ ନିକଟ ମହୁଲଗଛ ମୂଳେ ସ୍ଥାପିତ ଗାଁର ଇଷ୍ଟଦେବତା ବରପାହାଡ଼ ବୁଢ଼ା ଆଉ ଇଷ୍ଟଦେବୀ ମା’ ଦଶମତୀଙ୍କୁ ମୁଣ୍ଡିଆମାରି ଜଙ୍ଗଲ ଭିତରକୁ ପ୍ରବେଶ କରନ୍ତି। ୧୨ଶହ ହେକ୍ଟର ପରିମିତ ବିରାଟ ଘଞ୍ଚ ଜଙ୍ଗଲରେ ଶାଳ, ପିଆଶାଳ, ମହୁଲ, ଚାର, କେନ୍ଦୁ, ଧଉରା ଆଦି ନାନା କିସମର ଗଛଲତା ରହିଛି। ହାତୀ, ଭାଲୁ, ବାର୍ହା, ହରିଣ, କୁଟୁରା, ଠେକୁଆ, ହେଟାବାଘ, ମୟୂର, ଅଜଗର ଇତ୍ୟାଦି ଜୀବଜନ୍ତୁଙ୍କ ଚଳପ୍ରଚଳ ସବୁବେଳେ ଲାଗିରହିଥାଏ।
ସମୟେ ସମୟେ ବନ୍ୟପ୍ରାଣୀଙ୍କ ଆକ୍ରମଣର ଶିକାର ହେବାର ଅନେକ ମଧ୍ୟ ନଜିର ରହିଛି। ହାତୀ ଆକ୍ରମଣରେ ଜଣଙ୍କର ଜୀବନ ଯାଇଛି। ପୁଣି ମଝିରେ ମଝିରେ କାଠ ମାଫିଆମାନଙ୍କର ଆକ୍ରୋଶର ଶିକାର ହେବାକୁ ପଡ଼ିଥାଏ। ଥରେ କାଠ ମାଫିଆଙ୍କ ପାଲଟା ଅଭିଯୋଗରେ ଗାଁର କିଛି ଲୋକ ବର୍ଷାଧିକ କାଳ ଜେଲ୍ଦଣ୍ଡ ମଧ୍ୟ ଭୋଗିଛନ୍ତି। ତଥାପି ସେମାନଙ୍କ ମନରୁ ଜଙ୍ଗଲ ସୁରକ୍ଷା ନିଶା କମି ନାହିଁ। କାରଣ ଗାଁର ଅଧିକାଂଶ ଲୋକଙ୍କ ପେଟପାଟଣା ଏହି ଜଙ୍ଗଲରୁ ହିଁ ମିଳିଥାଏ। ଶାଳପତ୍ରର ଖଲିଦନା, ମହୁ, ଝୁଣା, ଚାର, ମହୁଲ, ଛତୁ, ଝାଡ଼ୁ, କେନ୍ଦୁପତ୍ର ସଂଗ୍ରହ କରି ପରିବାର ଚଳେଇଥାନ୍ତି। ଗ୍ରାମବାସୀଙ୍କ କହିବାନୁସାରେ ପୂର୍ବରୁ ଏକ ୫ଜଣିଆ କମିଟି ଏହି କାମ କରୁଥିଲା। ଏବେ ସୁରକ୍ଷାକୁ ଆହୁରି କଡ଼ାକଡ଼ି କରିବାକୁ ଗାଁରେ ୧୧ ଜଣିଆ ଜଙ୍ଗଲ ସୁରକ୍ଷା କମିଟି ୩ବର୍ଷ ହେଲା କାମ କରୁଛି। ବେଣୁଧର ନାଏକ, ରାଧେଶ୍ୟାମ ସାହୁ, ଅଶୋକ ସାହୁ, ଝରଣା ସା, ସୁଦାମ ସାହୁ, ପୀତାମ୍ବର ପଧାନ, ମଳୟ ସାହୁ, କର୍ଣ୍ଣ ସାହୁ, ରାମକୃଷ୍ଣ ବିଶ୍ୱାଳ, ସୂର୍ଯ୍ୟକାନ୍ତି ନାଏକ, ସନ୍ତୋଷ ବିଶି ପ୍ରମୁଖ କମିଟିର ସକ୍ରିୟ ସଦସ୍ୟ ଅଛନ୍ତି। ଜଙ୍ଗଲ ବିଭାଗର ପରାମର୍ଶରେ ସମସ୍ତ କାର୍ଯ୍ୟ ସମ୍ପାଦନ ହୋଇଥାଏ। ବିଭିନ୍ନ ସମୟରେ ଆମେରିକା, ଜର୍ମାନୀ, ସୁଇଜରଲ୍ୟାଣ୍ଡ, ଆଫ୍ରିକା ଭଳି ବିଭିନ୍ନ ଦେଶର ପ୍ରକୃତିପ୍ରେମୀମାନେ ଏଠାକୁ ଆସିଛନ୍ତି। ଜଙ୍ଗଲ ବୁଲି ଫଟୋ ଉଠାଇବା ସହ ପ୍ରାମାଣିକ ଚଳଚ୍ଚିତ୍ର ମଧ୍ୟ ତିଆରି କରିଥାନ୍ତି। ଗାଁର ଏକତା, ଜଙ୍ଗଲ ପ୍ରତି ଭଲ ପାଇବା ଦେଖି ଖୁବ୍ ପ୍ରଶଂସା କରିଛନ୍ତି। ଏହି ମହତ୍ କାମ ପାଇଁ ଓଡ଼ିଶା ସରକାରଙ୍କଠାରୁ ‘ପ୍ରକୃତି ମିତ୍ର’ ପୁରସ୍କାର ସାଙ୍ଗକୁ ବହୁ ପୁରସ୍କାର ମିଳିଥିବା ଗ୍ରାମ୍ୟ ଜଙ୍ଗଲ କମିଟି ପୂର୍ବ ସଭାପତି ନୀଳମଣି ପଧାନ, ଜଙ୍ଗଲ କମିଟି ସଭ୍ୟ ମଳୟ ସାହୁ, ଗ୍ରାମବାସୀ ଭକ୍ତ ସାହୁ ପ୍ରମୁଖ ପ୍ରକାଶ କରିଛନ୍ତି।